ବାଲିପାଟଣା ୨୯/୦୬ : ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବ୍ଲକର ୮୦ ଭାଗ ଲୋକେ ଚାଷ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ଗାଡ଼ି ଗାଡ଼ି ପରିବା ରାଜଧାନୀକୁ ଯୋଗାଇ ଥାନ୍ତି। ଏବେ କିନ୍ତୁ ଏହି ଅଂଚଳର ହାଟ ଓ ବଜାରରେ ଆବଶ୍ୟକ ଅନୁଯାଇ ପରିବା ନ ଥିବାରୁ ଦର ଆକାଶ ଛୁଆଁ ରହିଛି। ଖାଉଟିମାନେ ପରିବା ଉପରେ ହାତ ମାରି ପାରୁନାହାନ୍ତି। ଟମାଟୋ କେଜି ୧୨୦ଟଙ୍କା, ବାଇଙ୍ଗଣ ୧୦୦ ଟଙ୍କା, ପୋଟଳ ୧୦୦, ଭେଣ୍ଡି ୮୦, ବିନ ୧୨୦, କଲରା ୧୦୦, କଞ୍ଚା ଲଙ୍କା ୩୦୦, କାଙ୍କଣ ୧୨୦, ସଜନା ଛୁଇଁ ୧୨୦, କଖାରୁ ୩୦, ଅଦା ୩୦୦,ରସୁଣ ୨୦୦, ଆଳୁ ୨୫ ,ପିଆଜ ୨୫ ଟଙ୍କା ରେ ବିକ୍ରି ହେଉଥିବା ଜଣା ପଡିଛି । ବାଲିପାଟଣା ହାଟ ଓ ଧାନହରା ହାଟ ଆଜି ପରିବା ଦର ଆକାଶଛୁଆଁ ହେତୁ ଜନସାଧାରଣ କେଜି ଏ ପରିବର୍ତ୍ତେ ୨୫୦ ଗ୍ରାମ କିଣି ଘରକୁ ଫେରିଛନ୍ତି । ଯାହାଦ୍ୱାରା ଗରିବ ଓ ଖଟିଖିଆ ଲୋକେ ପରିବା ଖାଇବା ସାତସପନ ହୋଇ ପଡିଛି । ଏ ସମ୍ପର୍କରେ ପରିବା ଚାଷୀ ଙ୍କୁ ପଚାରିବାରୁ ସେମାନେ କୁହନ୍ତି ଚଳିତ ବର୍ଷ ଅତ୍ୟଧିକ ଖରା ହେବାରୁ ଫୁଲ ସବୁ ପୋଡିଗଲା ।ପରିବା ଫଳ ଧରିବାରେ ବାଧା ସୃଷ୍ଟି ହୋଇଥିବା ଜଣା ପଡିଛି ।