ବାଲିଗୁଡା:କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଏବେ ଯାତ୍ରୀ ପରିବହନ ଦିଗରେ ସୁଧାର ଆସିଛି l ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗ ପାଇଁ ଏକ ଯାତ୍ରୀବାହୀ ବସ୍ ଚଳାଚଳର ସୁବିଧା କରାଯାଇଛି।
ଏହି ବସ୍ ପ୍ରଥମ ଥର ପାଇଁ ଦାରିଙ୍ଗବାଡିରୁ ଝାରସୁଗୁଡାକୁ ଚଳାଚଳର ଶୁଭାରମ୍ଭ ହୋଇଛି। ପ୍ରକାଶଯେ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦାରିଙ୍ଗବାଡ଼ି ଗସ୍ତ ସମୟରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ବଣିକ ସଂଘ ସଭାପତି ଅରୁଣ କୁମାର ସାହୁ, ସରୋଜ ସାହୁ, ମାନସ କୁମାର ସର୍କାର, ଲଡ଼ୁକିଶୋର ସାହୁଙ୍କ ସମେତ ବହୁ ସଦସ୍ୟ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଏଥିପାଇଁ ଦାରିଙ୍ଗବାଡ଼ି ଅଞ୍ଚଳବାସୀ ପରିବହନ ମନ୍ତ୍ରୀ ଏବଂ ବିଧାୟକ ସାଲୁଗା ପ୍ରଧାନଙ୍କୁ ସାଧୁବାଦ ଜଣାଇଛନ୍ତି।