ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ମନରେଗା ଯୋଜନା ଆଣ୍ଠେଇ ପଡିଛିକହିଲେ ଭୁଲ ହେବନି । ମନରେଗା ଜବକାର୍ଡ଼ ଧାରୀମାନେ କାମ କରି ବର୍ଷ ବର୍ଷ ଧରି ନିଜ ନିଜ ର ପ୍ରାପ୍ୟ ପାଉନାହାନ୍ତି । ଏ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ପ୍ରକାଶ ଯେ, ସରକାରୀ ନିୟମ ପ୍ରକାରେ ଜବକାର୍ଡ଼ ଧାରୀମାନଙ୍କୁ କାମ କରିବାର ୧୫ ଦିନ ମଧ୍ୟରେ ପ୍ରାପ୍ୟ ଦେବାର ନିୟମ ରହିଛି ।
ହେଲେ ଏଠାରେ ବର୍ଷବର୍ଷ ପରେ ମଧ୍ୟ ମନରେଗା ପ୍ରାପ୍ୟ ମିଳୁନ ଥିବାରୁ ଜବକାର୍ଡ଼ ଧାରୀମାନେ ପଞ୍ଚାୟତରୁ ଆରମ୍ଭ କରି ବ୍ଳକ ଯାଏ ଦଉଡିଦଉଡି ହତାଶ ହେଉଥିବା ଅଭିଯୋଗ ହେଉଛି । ମନରେଗା ଯୋଜନାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ରଟିଙ୍ଗିଆ ପଞ୍ଚାୟତର ତୁମୁସିଙ୍ଗିଆ ଗ୍ରାମର ବହୁ ହିତାଧିକାରୀ କାମ କରି ପାଖାପାଖି ବର୍ଷେ ହେବ ପାଉଣା ନ ପାଇହନ୍ତସନ୍ତ ହେଉଥିବା କହିଛନ୍ତି ।
ସେମାନେ କରୋନା ମହାମାରୀ ସମୟରେ ଗତ ବର୍ଷ ନିକଟସ୍ଥ ମାହାଡ଼ିମାହା ଗ୍ରାମରେ କାମ କରିଥିଲେ, ହେଲେ ବାରମ୍ଵାର ଅଭିଯୋଗ ପରେ କିଛି କିଛି ପାଉଣା ପାଇଥିବାବେଳେ ଆହୁରି ଲକ୍ଷାଧିକ ଟଙ୍କା ପାଉଣା ବାକି ଥିବା କହୁଛନ୍ତି ।ତେବେ ବର୍ତ୍ତମାନ ପୁଣି କରୋନା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି ।କାମ ଧନ୍ଦା ବି ମିଳୁନି। ଏଣୁ ଚଳିବା ମଧ୍ୟ ମୁସ୍କିଲ ହୋଇ ପଡୁଛି । ଏଣୁ ବକେୟା ପାଉଣା ମିଳିଲେ ସେମାନେ ଭଲରେ ଚଳିପାରନ୍ତେ ବୋଲି ହିତାଧିକାରି ନିରଞ୍ଜନ ଦିଗାଲ ଓ ସୁମିତ୍ରା ନାୟକ ପ୍ରକାଶ କରିଛନ୍ତି । ଏଥିପ୍ରତି ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଜିଲ୍ଲାପାଳ ଓ ବିଡ଼ିଓ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।

Comments are closed.