ବାଲିଗୁଡ଼ା,(ସ.ବ୍ୟୁ.):୧୭ ତାରିଖ ସନ୍ଧ୍ୟା ୭ ଘଣ୍ଟିକା ଠାରୁ ୨୨ତାରିଖ ସକାଳ ୬ଘଣ୍ଟିକା ପାଇଁ ଫୁଲବାଣୀ ପୌରାଞ୍ଚଳ ଓ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ୪ ଦିନିଆ ସଟ୍ ଡାଉନ୍ ଘୋଷଣା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ କନ୍ଧମାଳ ଜିଲ୍ଲାର ପଡ଼ୋଶୀ ଜିଲ୍ଲା ଗୁଡ଼ିକରେ ଗତ କିଛିଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦୈନନ୍ଦିନ କନ୍ଧମାଳ ଜିଲ୍ଲାରୁ ପଡ଼ୋଶୀ ଜିଲ୍ଲା ଗୁଡ଼ିକୁ ବିଭିନ୍ନ କାମରେ ଜିଲ୍ଲାବାସୀ ଯିବାଆସିବା କରନ୍ତି । ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ଚାରି ଦିନିଆ ସଟ ଡାଉନର ପ୍ରଥମ ଦିନରୁହିଁ ଏହି ଦୁଇ ସହରାଞ୍ଚଳର ୨୬ଟି ଓ୍ବାର୍ଡରେ ଘରକୁ ଘର ବୁଲି ହେଲ୍ଥ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
ଶିକ୍ଷକ, ଶିକ୍ଷୟିତ୍ରୀ,ଏଏନ୍ଏମ୍, ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ, ସ୍ୱଚ୍ଛ ସାଥି ମାନଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ପ୍ରତି ଓ୍ବାର୍ଡ ପାଇଁ ୪ଗୋଟି ଟିମ୍ କାମ କରିବେ ଏବଂ ପ୍ରତି ଟିମ୍ ରେ ଦୁଇଜଣ ଲେଖାଁଏ କାମ କରୁଛନ୍ତି । ପ୍ରତି ଓ୍ବାର୍ଡକୁ ଦୁଇଜଣ ଲେଖାଁଏ ମନିଟରିଂ ମଧ୍ୟ କରୁଛନ୍ତି । ଏଥିସହିତ ଏହି ଦୁଇ ସହରାଞ୍ଚଳରେ କାର୍ଯ୍ୟକୁ ୧୦ଜଣ ଜିଲ୍ଲା ସ୍ତରୀୟ ଅଧିକାରୀ ପର୍ଯ୍ୟବେକ୍ଷଣ କରିବାକୁ କନ୍ଧମାଳ ଜିଲ୍ଲାପାଳ ଡ଼ଃ.ବୃନ୍ଦା ଡି. ନିର୍ଦ୍ଦେଶ ଦେଇଛନ୍ତି । ଏହି ସଟ୍ ଡାଉନ୍ ସମୟରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରିବାସହ ଘରୁ ବାହାରକୁ ନବାହାରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ସେପଟେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତରଖାନା, କୋର୍ଟ, ବ୍ୟାଙ୍କ ଆଦି ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନକୁ ସାନିଟାଇଜ୍ କରାଯାଉଛି ।