ବାଲିଗୁଡା, ତା, ୨୧/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବୃହଦାଗାର ସମବାୟ ସମିତି ଲିଃ.ର ବୋର୍ଡ ସଦସ୍ୟମାନେ ବିଭିନ୍ନ ଦାବି ନେଇ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ସକାଳଠାରୁ ଅନଶନରେ ବସିଥିଲେ। ତେବେ ଲିଖିତ ପ୍ରତିଶ୍ରୁତି ପାଇବା ପରେ ସଭ୍ୟାସଭ୍ୟମାନେ ୨୬ ଘଣ୍ଟା ପରେ ସେମାନଙ୍କର ଅନଶନ ଭଙ୍ଗ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସମବାୟ ସମିତିର ଏମ୍ଡି ବିଷ୍ଣୁପ୍ରିୟା ପ୍ରଧାନ ପହଞ୍ଚି ଅନଶନକାରୀଙ୍କୁ ବୁଝାସୁଝା କରିଥିଲେ ମାତ୍ର କୌଣସି ସମାଧାନ ହୋଇ ପାରି ନ ଥିଲା। ସଭ୍ୟାସଭ୍ୟମାନେ ଲିଖିତ ପ୍ରତିଶ୍ରୁତି ଦେଲେ ଯାଇ ଅନଶନ ଭାଙ୍ଗିବୁ ବୋଲି ଅଡ଼ି ବସିଥିଲେ। ସେପଟେ ବାଲିଗୁଡ଼ା ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ସୁକାନ୍ତ ପାଢ଼ୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ବୋର୍ଡ ସଦସ୍ୟାସଦସ୍ୟଙ୍କୁ ନେଇ ଦାରିଙ୍ଗବାଡ଼ିଠାରେ ଗୋଟିଏ ବୈଠକ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଉକ୍ତ ବୈଠକରେ ଦାରିଙ୍ଗବାଡ଼ି ସମବାୟ ସମିତିରେ ରହିଥିବା ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯିବ ବୋଲି ବୋର୍ଡ ସଭ୍ୟାସଭ୍ୟଙ୍କୁ କୁହାଯାଇଥିଲା। କିନ୍ତୁ ସେମାନେ ଲିଖିତ ମାଗିବାରୁ ଆମେ ବର୍ତ୍ତମାନ ଲିଖିତ ଆକାରରେ ଦେବା ପରେ ଅନଶନ ଭଙ୍ଗ ହୋଇଛି। ଏନେଇ ବୋର୍ଡ ସଦସ୍ୟ ଚକ୍ରଧର ମଲିକ କହିଛନ୍ତି, ଦାରିଙ୍ଗବାଡ଼ି ଥାନା ଏଏସ୍ଆଇ ଶ୍ରୀନିବାସ ରାଓ, ଅର୍ଜ୍ଜୁନ ଶବର ଏବଂ ସମବାୟ ସମିତି ଏମ୍ଡି ବିଷ୍ଣୁପ୍ରିୟା ପ୍ରଧାନ ଅନଶନସ୍ଥଳରେ ପହଞ୍ଚି ଲିଖିତ ଚିଠି ଦେବାରେ ପରେ ଆମର ଏହି ଅନଶନ ଭଙ୍ଗ ହୋଇଛି। ଉକ୍ତ ଅନଶନରେ ସଭାନେତ୍ରୀ ଲିଲିମା ପ୍ରଧାନ, ସାଧୁ ନାୟକ, ଦିଲୀପ ପ୍ରଧାନ, ଚିତ୍ରସେନ ପ୍ରଧାନ, ଧୀରେନ ପ୍ରଧାନ, ଜୁନସ ପ୍ରଧାନ, ପଠାଣି ସାହୁ, ନୀଳମ୍ବର ପ୍ରଧାନ, ପ୍ରକାଶ ପ୍ରଧାନ ପ୍ରମୁଖ ଧାରଣାରେ ବସିଥିଲେ।