Odisha news

କନ୍ଧମାଳରେ ପୁଲିସ-ମାଓବାଦୀ ଗୁଳି ବିନିମୟ ଜାରି; ପଛକୁ ହଟୁ ନାହାନ୍ତି ମାଓ କ୍ୟାଡର୍

0
ବାଲିଗୁଡା :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ବାଇବାଲି ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଦୁଇ ଦିନ ହେଲା ଗୁଳି ବିନିମୟ ଚାଲିଛି। ଅଳ୍ପ ସଂଖ୍ୟକ ମାଓବାଦୀ ଥିଲେ ବି ସେମାନେ ଲଢେଇ ଜାରି ରଖିଛନ୍ତି। ଶୁକ୍ରବାର ରାତି ଭଳି ଶନିବାର  ବି ଗୁଳି ଶବ୍ଦ ସ୍ଥାନୀୟ ଅଞ୍ଚଳବାସୀ ଶୁଣିଥିବା କହିଛନ୍ତି।ମାଓବାଦୀ ପଛକୁ ହଟୁ ନଥିବା ବେଳେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଗାଡି ମଟର ଯାଞ୍ଚ ହେବା ସହ ଅଜଣା ଅପରିଚିତ ଲୋକଙ୍କୁ ପଚରାଉଚରା କରୁଛି ପୁଲିସ।
ଦୁଇ ଦିନ ହେଲା ଗୁଳି ବିନିମୟ ଜାରି ରହିଥିବା ବେଳେ ଏହାକୁ ନେଇ ଇନ୍ଦ୍ରଗଡ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।ଅପରସେନ ଚଳାଇଥିବା ଟିମ ଫେରି ନ ଥିବାରୁ ଗୁଳି ବିନିମୟରେ ମୃତାହତ ସମ୍ପର୍କରେ ସୂଚନା ମିଳି ପାରି ନାହିଁ। ଟିମ ଫେରିବା ପରେ ସୂଚନା ମିଳିବ ବୋଲି କନ୍ଧମାଳ ଏସପି ବିନୀତ ଅଗ୍ରୱାଲ କହିଛନ୍ତି। ଗତ ଜୁଲାଇ ମାସରୁ କନ୍ଧମାଳରେ ମାଓବାଦୀ ରକ୍ତ ମୁଖା ହୋଇ ପଡିଛନ୍ତି। ମଝିରେ ମଝିରେ ପୋଷ୍ଟର ଓ ବ୍ୟାନର ମାରି ଉପସ୍ଥିତି ଜାହିର କରୁଛନ୍ତି ତ ଆଉ କେତେ ବେଳେ ନିରୀହ ଲୋକଙ୍କୁ ପୁଲିସ ଇନଫରମର କହି ଟାର୍ଗେଟ କରୁଛନ୍ତି।
କିଛି ପାଇଲେ ଠିକାଦାର କ୍ୟାମ୍ପକୁ ଉଡାଇ ଦେବାକୁ ଯୋଜନା ଚଳାଇଛନ୍ତି।ଗତ ଜୁଲାଇ ମାସରେ ପୁଲିସ ଗୁଳିରେ ୭ ଜଣ ଓ ଗତ ମାସ ୯ ତାରିଖରେ ୫ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଏଥିରେ କିଛି ମାଓବାଦୀ ବି ଆହତ ହୋଇଥିଲେ। ତା’ଠୁ ରକ୍ତମୁଖା ହୋଇ ମାଓବାଦୀ ଜଙ୍ଗଲରେ ବୁଲୁ ଥିବା ବେଳେ ବଡଧରଣର ହିଂସା ଘଟାଇବାକୁ ସୁଯୋଗ ଖୋଜି ବୁଲୁଛନ୍ତି। ଗତ ୧୬ ତାରିଖରେ ବାଲିଗୁଡା ଥାନା ପୋଖରୀବନ୍ଧ ଓ ତୁମୁଡିବନ୍ଧ ଥାନା ବୁଢାନଇ ଜଙ୍ଗଲରେ ମାଓବାଦୀ ହିଂସା ଘଟାଇବାକୁ ମେଳି କରୁଥିବା ବେଳେ ପୁଲିସ ତାକୁ ଭଣ୍ଡୁର କରି ଦେଇଥିଲା। ଛତ୍ରଭଙ୍ଗ ଦେଇ ମାଓବାଦୀ ପଳାଇ ଯାଇଥିବା ବେଳେ ପୁଲିସ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଜିନିଷ ସାମଗ୍ରୀ ଠାବ କରିଥିଲା।
IEC 2 years
Leave A Reply