ବାଲିଗୁଡା :ସ୍ୱେଚ୍ଛାସେ ବୀ ଅନୁଷ୍ଠାନ ସ୍ୱାତୀ ଓ ଓସାସ୍କ ଆନୁକୁଲ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକର କଳିଙ୍ଗା ପଞ୍ଚାୟତର ମାହାନାଜୁଠାରେ ଜାତୀୟ ପୋଷଣ ମାସ ପାଳିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳିଙ୍ଗାର ସରପଞ୍ଚ ରେବେକା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସୁସ୍ଥ ଓ ସବଳ ରହିବାକୁ ହେଲେ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବା ଉପରେ ଗୁରୁତ୍ୱ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅମରସିଂ ନାୟକ, ପୂର୍ବତନ ୱାର୍ଡ ସଭ୍ୟ ସୁରେନ୍ଦ୍ର ପ୍ରଧାନ, ଅଙ୍ଗନୱାଡ଼ି କର୍ମୀ ଅଧିରା ଦେଇ ପ୍ରଧାନ ଓ ଆଶା କର୍ମୀ ମାମି ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ବାଡ଼ିବଗିଚାର ଫାଇଦା ସମ୍ପର୍କରେ ଆଲୋଚନା କରିଥିଲେ। ପୋଷଣଯୁକ୍ତ ଖାଦ୍ୟ ଖାଇବାର ମହତ୍ୱ ସମ୍ପର୍କରେ ବୁଝାଯିବା ସହ ଗର୍ଭବତୀ ମା’, କିଶୋରୀ ବାଳିକା, ବରିଷ୍ଠ ନାଗରିକ, ଛୋଟ ଶିଶୁ ପ୍ରଭୃତିଙ୍କୁ ଅଧିକ ଯତ୍ନ ନେବା ସହ ଏମାନଙ୍କୁ ପ୍ରଚୁର ପରିମାଣରେ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ଦେବାକୁ ଅନୁରୋଧ କରାଯାଇଥିଲା।
ପ୍ରସ୍ତୁତ ହେଉଥିବା ଖାଦ୍ୟରେ ତେଲ ଓ ଘିଅ ଉପଯୁକ୍ତ ପରିମାଣରେ ପକାଇ ଖାଇବା ସମ୍ପର୍କରେ ମଧ୍ୟ ବୁଝାଯାଇଥିଲା। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ପ୍ରାରମ୍ଭରେ ସ୍ୱାତୀର କର୍ମୀ ଅଶୋକ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ସମ୍ପ୍ରତି ମହାମାରୀ କୋରୋନା ସହ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ କର୍ମୀ ମମତା ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶୁଭଲକ୍ଷ୍ମୀ ପ୍ରଧାନ ଧନ୍ୟବାନ ଅର୍ପଣ କରିଥିଲେ। ଏହି ଅବସରରେ ପୋଷଣ ସମ୍ପର୍କିତ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା।
