Odisha news

ଦୁର୍ଦ୍ଦାନ୍ତ ଅପରାଧି ଚଗଲାର ସହେଯାଗୀ ହର ଗିରଫ, ଚଗଲା ଫେରାର : ବନ୍ଧୁକ ମୁନରେ ପିକ୍ଅପ୍ରୁ ଟଙ୍କାଲୁଟ୍ ଅଭିଯୋଗ

0

ବାଲିଆପାଳ : ବାଲିଆପାଳ ଅଞ୍ଚଳର ଦୁର୍ଦ୍ଦାନ୍ତ ତଥା ପେସାଦାର ଅପରାଧି ପ୍ରକାଶ ସାମଲ ଓରଫ ଚଗଲାର ସହଯୋଗୀ ହରବନ୍ଧୁ ଜେନା (ହର)କୁ ବାଲିଆପାଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଚଗଲା ଓ ତାର ଅନ୍ୟ ସହେଯାଗୀ ଫେରାର ହୋଇଯାଇଛନ୍ତି  । ମିଳିଥିବା ସୂଚନା ମୁତାବକ ଗତ ୧୦ ତାରିଖ ଦିନ ଡଗରା ଗ୍ରାମର ବାଦାମ ବ୍ୟବସାୟୀ ଅମୂଲ୍ୟ ବେହେରା ତାଙ୍କ ପୁଅ ଜ୍ୟୋତିପ୍ରକାଶ ବେହେରା ଓ ପୁତୁରା ପପୁ ନିଜ ପିକ୍ଅପ୍ ନମ୍ବର ସି୩୦୧ଜି-୫୯୫ରେ ବାଦାମ ବୋଝେଇ  କରି ଜାମକୁଣ୍ଡାକୁ ବିକ୍ରୀ ପାଇଁ ଆଣୁଥିଲେ  ।  ଜାମକୁଣ୍ଡା କୋଷ୍ଟ କେନାଲ ରାସ୍ତା ନିକଟରେ ଚଗଲା , ତାର  ସହଯୋଗୀ ହର, ଜାମକୁଣ୍ଡା ଗ୍ରାମର ଦୀପକ କୁମାର ଜେନା, ଲକ୍ଷ୍ମଣ ଦାସ ଅନ୍ୟ କେତେଜଣ ଯୁବକ ପିକ୍ଅପ୍ଟିକୁ ଅଟକାଇଥିଲେ  ।

ଚଗଲା ପିକ୍ଅପ୍ ଭିତରୁ ଅମୂଲ୍ୟଙ୍କୁ ଟାଣି ଘୋଷାରି ବାହାର କରିବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜାମକୁଣ୍ଡାକୁ ବାଦାମ ଅଣିଲେ ପ୍ରତି ବାଦାମ ଟ୍ରିପରେ ୫୦୦୦ ଟଙ୍କା ଦେବାକୁ ଧମକ ଦେଇଥିଲା  । ଅମୂଲ୍ୟ ଜଣେ ଛୋଟ ବ୍ୟବସାୟୀ ଓ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବାରୁ ସମସ୍ତେ ମିଶି ତାଙ୍କୁ ମାରଧର କରିଥିଲେ  । ଚଗଲା ଓ ହର ତାଙ୍କ ପକେଟରେ ଥିବା ୨୦ ହଜାର ୨୦୦ ଟଙ୍କା ଏବଂ ବେକରୁ ଏକ ସୁନା ଚେନ ଛିଣ୍ଡାଇ ନେଇଯାଇଥିବା ଅମୂଲ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ଏ ନେଇ ବାଲିଆପାଳ ଥାନାରେ କେସ ନଂ ୧୪୫/୨୦ ଦଫା ୩୯୪,୨୭୯, ୫୦୬ରେ ଏକ ମାମଲା ରୁଜୁ ହୋଇଛି  ।

ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଖୋଜୁଥିବା ବେଳେ ସମସ୍ତେ ଫେରାର ହୋଇଯାଇଥିଲେ  । ତେବେ ଘଟଣାର ୫ ଦିନ ପରେ ହରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି  । ସୂଚନାଯୋଗ୍ୟ ଯେ ହର ଏବଂ ଚଗଲା ନାମରେ ବାଲିଆପାଳ ଥାନାରେ ଏକାଧିକ ମାମଲା ରହିଛି  । ହରକୁ ଥାନାରୁ ଜାମିନରେ ଛାଡିବା ପାଇଁ ବାଲିଆପାଳ ଅଞ୍ଚଳର ଅନେକ ପ୍ରଭାବଶାଳୀ ଲୋକ ଉଦ୍ୟମ କରିଥିଲେ ମଧ୍ୟ ଆଇ.ଆଇ.ସି ବିମଳ କୁମାର ନାୟକ କାହାରି କଥାରେ ପ୍ରଭାବିତ ନହୋଇ ତାକୁ କୋର୍ଟ ଫରୱାର୍ଡ କରିଥିବାରୁ ସାଧାରଣରେ ଆଇ.ଆଇ.ସି. ଶ୍ରୀ ନାୟକ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି  ।

Leave A Reply