ଭଣ୍ଡାରିପୋଖରୀ,୧ା୬ : ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ ଏସକେପ କଂକ୍ରିଟକରଣ ପାଇଁ ବୁଧବାର ଶିଳାନ୍ୟାସ ହୋଇଯାଇଛି । ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ଏସକେପର କଂକ୍ରିଟକରଣ କାର୍ଯ୍ୟକୁ ମୁଖ୍ୟଅତିଥି ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ସଦସ୍ୟ ଉକôଳ କେଶରୀ ମହାନ୍ତି, ବିଧାୟକ ପ୍ରତିନିଧି ପୟାସକାନ୍ତି ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ, ପୂର୍ବତନ ସରପଞ୍ଚ ଯୁଧିଷ୍ଠିର ପରିଡା ଗଗନ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବହୁ ପ୍ରତିକ୍ଷୀତ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ନିର୍ମାଣ ପାଇଁ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ଟେଣ୍ଡର ଡକାଯାଇ ଚୁକ୍ତିନାମା ହୋଇଛି । ୩୭୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଏସକେପକୁ ସମ୍ପୁର୍ଣ୍ଣଭାବେ ଆର.ସି.ସି. କରାଯାଇ ସ୍ଥାୟୀ ନିର୍ମାଣ କରାଯିବ । ଏସକେପର ଉପରିଭାଗ ୫.୫ମିଟର ରହିବ ଓ ଏକ ଫୁଟର ଉଚ୍ଚତାର କଂକ୍ରିଟ ଢ଼ଳେଇ ନିର୍ମାଣ କରାଯିବ ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି । ମାତ୍ର ବିଭାଗୀୟ ନଥିପତ୍ରରେ ଥିବା ଏହି ଏସକେପର ଉଚ୍ଚତାରେ କୌଣସି ବୃଦ୍ଧି କରାଯିବ ନାହିଁ । ଆଗାମୀ ୧୮ ମାସ ମଧ୍ୟରେ ନିର୍ମାଣ ସମ୍ପୁର୍ଣ୍ଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
