Odisha news

ବାଲେଶ୍ୱରରେ କୁଆପଥର ସହ ପ୍ରବଳ ବର୍ଷା

0

ବାଲେଶ୍ୱର–ଆଜି ଅପରାହ୍ନ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବା ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଅପରାହ୍ନ ୪ଟା ସମୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ହଠାତ୍ ପବନ ଆରମ୍ଭ ହୋଇ ପ୍ରବଳ ବେଗରେ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା । ବର୍ଷା ଓ କୁଆପଥର ମାଡ଼ ପ୍ରାୟ ୪୦ମିନିଟ୍ ଧରି ଜାରି ରହିଥିବା ବେଳେ କେତେକସ୍ଥାନରେ ଛୋଟଛୋଟ କୁଆପଥରମାନ ଗଦାଗଦା ହୋଇଥିବାର ଦେଖିବାକୁ ମିଳିଥିଲା ।

କୁଆପଥର ମାଡ଼ ଯୋଗୁଁ ରବିଚାଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ସୃଷ୍ଟି ହେବା ସହ ବିଭିନ୍ନ ପନିପରିବା ଚାଷ ମଧ୍ୟ କ୍ଷତି ଘଟିଥିବା ଜଣାପଡ଼ିଛି । କେବଳ ବାଲେଶ୍ୱର ସହର ନୁହେଁ ଜିଲ୍ଲାର କେତେକ ଅଞ୍ଚଳରେ ଏହି ବର୍ଷା ଓ କୁଆପଥର ମାଡ଼ ହୋଇଥିବାର ଖବର ମିଳିଛି । ଚାଷୀମାନଙ୍କ କହିବା କଥା କୁଆପଥର ମାଡ଼ଯୋଗୁଁ ବିଲାତି, ଫୁଲକୋବି, ବନ୍ଧାକୋବି, ବୋଇତାଳୁ ଆଦି ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଆଜି ବର୍ଷା ସମୟରେ ଯେଉଁ କୁଆପଥର ପଡ଼ିଥିଲା ସେହି କୁଆପଥରଗୁଡ଼ିକର ଓଜନ ୫୦ଗ୍ରାମ ଉପରେ ରହିଥିବା ଜଣାଯାଏ । କୁଆପଥର ମାଡ଼ଯୋଗୁଁ କେତେକସ୍ଥାନ ଏଜବେଷ୍ଟସ୍ ଘର କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଥିବା ବେଳେ କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ବିବରଣୀ ମିଳପାରି ନାହିଁ । ଏହି ବର୍ଷା ଯୋଗୁଁ କେତେକ ଖାଲୁଆସ୍ଥାନ ସମେତ ସହରର ମୁଖ୍ୟରାସ୍ତାରେ ବର୍ଷା ଜଳର ଲହଡ଼ି ଭାଙ୍ଗିବାର ଦେଖାଯାଇଥିଲା ।

ସହରର ବିଭିନ୍ନ ସ୍ଥାନରେ ପକ୍କାନାଳ ତିଆରି କାର୍ଯ୍ୟ ଚାଲିଥିବାରୁ ବର୍ଷାଜଳ ଠିକ୍ଭାବରେ ନିଷ୍କାସିତ ହୋଇନପାରି ରାସ୍ତା ଉପରେ ନାଳନର୍ଦ୍ଦମା ଜଳ ସହ ଲହଡ଼ୀ ଭାଙ୍ଗୁଥିବାର ଦେଖିବାକୁ ମିଳିଥିଲା । ଏହି ବର୍ଷା ଯୋଗୁଁ କେତେକସ୍ଥାନରେ ନାଳ ତିଆରି କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବାବେଳେ ଠିକାଦାର ମାନେ ପମ୍ପଲଗାଇ ଜଳନିଷ୍କାସନ କରୁଥିବାର ଦେଖିବାକୁ ମିଳିଥିଲା ।

Leave A Reply