Odisha news

ବିଶିଷ୍ଟ ସମାଜସେବୀ ତଥା ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଆଚାର୍ଯ୍ୟଙ୍କ ବିୟୋଗ

0

ବାଲେଶ୍ୱର- ବାଲେଶ୍ୱରର ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ସମାଜସେବୀ ଡା.ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟଙ୍କ ୨୪ ତାରିଖ ରାତିରେ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସୋମବାର ରାତି ପ୍ରାୟ ୮ଘଣ୍ଟା ୩୦ ମିନିଟ୍‍ ସମୟରେ କ୍ଲିନିକ୍‍ରୁ ଘରକୁ ଯାଉଥିବା ବେଳେ ହୃଦ୍‍ଘାତର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ ବାଲେଶ୍ୱର ମେଡ଼ିକାଲ କଲେଜ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ଲୋକପି୍ରୟ ଡାକ୍ତରଭାବରେ ସମଗ୍ର ବାଲେଶ୍ୱରରେ ପରିଚିତ ଥିଲେ ।

ମୃତୁ୍ୟ ଖବର ପାଇ ବାଲେଶ୍ୱର ଡାକ୍ତରଖାନା ପରିସର ଲୋକାରଣ୍ୟ ହୋଇଯାଇଥିଲା । ପରେ ତାଙ୍କ ଶବକୁ ଭାସ୍କରଗଞ୍ଜ ସ୍ଥିତ ବାସଭବନକୁ ଅଣାଯାଇଥିଲା । ବାଲେଶ୍ୱରର ପ୍ରାକ୍ତନ ସାଂସଦ ଇଂ ରବୀନ୍ଦ୍ର ଜେନା, ପ୍ରାକ୍ତନ ବିଧାୟକ ଅରୁଣ ଦେ, ପ୍ରାକ୍ତନ ନଗରପାଳ ତପନ ଚକ୍ରବର୍ତ୍ତୀ, ଡା. ଅମିତାଭ ଗିରି,ସମାଜସେବୀ ସନତ ଦାସ, ବରିଷ୍ଠ ସମ୍ବାଦିକ ବିପ୍ଲବ ମହାନ୍ତି, ରଂଜନ ବାଗ,ସମୀର ଆଚାର୍ଯ୍ୟ, ଚନ୍ଦ୍ରଶେଖର ଖିଲାଲ, ନାଟ୍ୟକାର ସୁରଞ୍ଜନ ଦାସ,ହେମେନ୍ଦ୍ର ମହାପାତ୍ର,ସମାଜସେବୀ ରାଜେଶ ଗିରି, ଯୁବଶିଳ୍ପଦ୍ୟୋଗୀ ସଂଜୟ ଦାସ, ସଂଗ୍ରାମ ଦାସ,ଶ୍ରୀମାନ୍‍ ଶ୍ରୀଚନ୍ଦନ ଙ୍କ ସମେତ ବହୁବିଶିଷ୍ଟ ବ୍ୟକ୍ତି ,ସମାଜସେବୀ,ଡାକ୍ତର ଏବଂ ସାଧାରଣ ଜନତା ଆଜି ଓ ଗତକାଲି ରାତିରେ ତାଙ୍କ ବାସଭବନରେ ପହଞ୍ଚି  ଆଚାର୍ଯ୍ୟଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କର ପନିୀ ବିଜୟ ଲକ୍ଷ୍ମୀ ଆଚାର୍ଯ୍ୟ, ସାନପୁଅ ଅମରଜ୍ୟୋତି ଏବଂ ପୁତ୍ରବଧୂ ଡା. ଭି. ବାଣୀ ଉପସ୍ଥିତ ଥିଲେ । ଦିଲ୍ଲୀରୁ ତାଙ୍କ ବଡ଼ପୁଅ ଶୁଭାଶିଷ ଆଜି ମଧ୍ୟାହ୍ନରେ ପହଞ୍ଚିବା ପରେ  ଆଚାର୍ଯ୍ୟଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ବାଲିଘାଟ ଶ୍ମଶାନରେ ଅତିମ ସତ୍କାର କରାଯାଇଥିଲା ।  ଆଚାର୍ଯ୍ୟ ବାଲେଶ୍ୱର ସହରର ଜଣେ ବିଶିଷ୍ଟ ଏବଂ ଦକ୍ଷ ଚିକିତ୍ସକ ସାଂଗକୁ ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନ ସହ ନିଜକୁ ନିୟୋଜିତ କରି ବହୁ କାର୍ଯ୍ୟ କରିଯାଇଛନ୍ତି ।

ବିନ୍ଦୁବଳୟ ନାଟ୍ୟସଂସ୍ଥାର ସେ ଦୀର୍ଘ ୨୫ ବର୍ଷ ଧରି ସଭାପତି ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହାଛଡ଼ା ନୃତ୍ୟ ସଂଗୀତ କଳାମନ୍ଦିର, ଫକୀରମୋହନ ସାହିତ୍ୟ ପରିଷଦ, ବରିଷ୍ଠ ନାଗରିକ ମଂଚ, ରାଜାବଗିଚା ରାଧାକୃଷ୍ଣ ମନ୍ଦିରର ସଭାପତି ସମେତ ବହୁ ଅନୁଷ୍ଠାନ ସହିତ ସେ ନିଜକୁ ଜଡ଼ିତ ରଖି ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ତାଙ୍କ ଜନ୍ମସ୍ଥାନ ଜଗତ୍‍ସିଂପୁର ଜିଲ୍ଲାର କୁତିଆଁର୍‍ ଗ୍ରାମ ହୋଇଥିବା ବେଳେ ସରକାରୀ ଚାକିରୀ ଛାଡ଼ି ବାଲେଶ୍ୱରରେ ଦୀର୍ଘ ୪୦ ବର୍ଷ ଧରି ବସବାସ କରି ଲୋକଙ୍କୁ ଚିକିତ୍ସାସେବା ଯୋଗାଉଥିଲେ । ତାଙ୍କ ଦ୍ୱାରା ମନ ଆତ୍ମା ଶରୀର ଓ ତାହାର ଇଂରାଜୀ ଅନୁବାଦ ସୋଲ ବଡ଼ି ମାଇଣ୍ଡ୍‍ ଆଦି ୨ଟି ପୁସ୍ତକ ପ୍ରକାଶିତ ହୋଇଛି । ଏହି ପୁସ୍ତକରେ ଡାକ୍ତର ଆଚାର୍ଯ୍ୟ ମଣିଷ କିଭଳି ଶୃଙ୍ଖଳିତ ଜୀବନ ଯାପନ କରିପାରିଲେ ନିଜକୁ ନିରୋଗ ରଖିପାରିବ ସେ ବାବଦରେ ନିଖୁଣ ଭାବରେ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ସମଗ୍ର ସହରରେ ଶୋକର ଛାୟା ଖେଳିଯାଇଛି ।

Leave A Reply