ଜଳେଶ୍ୱର : ଜଳେଶ୍ୱରରୁ ଚନ୍ଦନେଶ୍ୱର ରାସ୍ତାକୁ ୫୭ ନଂ ରାଜ୍ୟ ରାଜପଥ ଘୋଷଣା ହୋଇଥିବା ବେଳେ ରାସ୍ତାର ୨ ପଟେ ସରକାରୀ ସ୍ଥାନ ଅବରୋଧ ଯୋଗୁଁ ଜଳ ନିଷ୍କାସନ ହୋଇପାରୁନଥିବାରୁ ନିକଟସ୍ଥ ଗ୍ରାମ ପାଣିରେ ବୁଡି ରହିଛି । ଜଳେଶ୍ୱର ତହସିଲଦାର ସଦଳବଳେ ନାମ୍ପୋ ଯାଇ ଉଚ୍ଛେଦ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ହୋଇପାରିନଥିଲା । ଅନ୍ୟପକ୍ଷରେ ଜଳେଶ୍ୱର ଓ ଭୋଗରାଇ ବିଧାୟକ ଜଳନିଷ୍କାସନ ଲାଗି ପଥ ପରିଷ୍କାର କରିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଜଳେଶ୍ୱରରୁ ଚନ୍ଦନେଶ୍ୱରଯାଏ ମାତ୍ର ୩୭ କିମି. ରାସ୍ତା ପୂର୍ତ୍ତବିଭାଗ ଅଧିନରେ ରହିଛି । ଭୋଗରାଇର ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ କୁମାର ଦାସ ଓ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଆଜି ବିଭିନ୍ନ ଅଞ୍ଚଳ ଗସ୍ତ କରି ୫୭ ତମ ରାଜ୍ୟରାଜପଥର ୨ କଡରେ ଅବରୋଧ ହୋଇଥିବା ଯୋଗୁଁ ବର୍ଷାପାଣି ନିକଟସ୍ଥ ଗ୍ରାମରେ ପଶିବା ଓ ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିଥିଲେ ।
ଏ ସଂପର୍କରେ ସେ ସ୍ଥାନୀୟ ତହସିଲଦାର, ପୂର୍ତ୍ତବିଭାଗ ଉଚ୍ଚ କର୍ମକର୍ତ୍ତା ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଶେଷ କରି ଜଳେଶ୍ୱର ହାଇୱେ ଅଣ୍ଡରପାସ୍ ବାର୍ହାଗଡିଆ ର ଅନତି ଦୂରରେ ପୁର୍ତ୍ତବିଭାଗ ସ୍ଥାନରେ ନିର୍ମାଣ ହୋଇଥିବା ବିରାଟ ପକ୍କାଗୃହ, ଭୁରୁକୁଣ୍ଡା ଠାରେ ନିର୍ମାଣ ଚାଲିଥିବା ଦୋକାନ ଘର, ସୁଗୋ ବଜାର, ନାମ୍ପୋ ବଜାର, କମର୍ଦ୍ଦା ବଜାର, ଥାନାଛକ ଇତ୍ୟାଦି ସ୍ଥାନରେ ଉଚ୍ଛେଦ କରିବାକୁ ସେମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ଆଜି ଶୁକ୍ରବାର ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଜଳେଶ୍ୱର ପୂର୍ତ୍ତବିଭାଗ ସହକରୀ ନିର୍ବାହୀଯନ୍ତ୍ରୀ ଅଶୋକ କୁମାର ପଣ୍ଡା, ପୁଲିସ୍ ଇତ୍ୟାଦି ନାମ୍ପୋଠାରେ ହୋଇଥିବା ଅବରୋଧ ସ୍ଥାନକୁ ଯାଇଥିଲେ । କିନ୍ତୁ ବହୁ ଯୁକ୍ତି ତର୍କ ଓ ବାଦାନୁବାଦ ପରେ ଉଚ୍ଛେଦ ହୋଇନପାରିବାରୁ ପ୍ରଶାସନ ଫେରିଥିବା ଜଣାଯାଇଛି । ପ୍ରତିବର୍ଷ ବର୍ଷା ହେଲେ ଏପରି ରାସ୍ତାକଡ ଅବରୋଧ ଯୋଗୁଁ ଜନସାଧାରଣ ହିନସ୍ତା ହେଉଥିବା ବେଳେ ପ୍ରଶାସନ ନାମକୁମାତ୍ର ବର୍ଷାବେଳେ ଅସ୍ଥ୍ାୟୀ ଜଳନିଷ୍କାସନର ବ୍ୟବସ୍ଥା କରି ଚୁପ ରହୁଛନ୍ତି । ସ୍ଥାୟୀ ଜଳନିଷ୍କାନସ ଲାଗି ଦାବି ହୋଇ ଆସୁଛି ।
