Odisha news

ଫେସବୁକ୍ରେ ବନ୍ଧୁତା ଆଳରେ ୩୦ଲକ୍ଷ ଟଙ୍କା ଠକେଇ ଘଟଣାରେ ଦିଲ୍ଲୀରୁ ଦମ୍ପତି ଗିରଫ : ସେଲଫୋନ, ସୁନାଚେନ,ହୁଣ୍ଡାଇକାର ଜବଦ

0

ବାଲେଶ୍ୱର-୨୭/୦୮: ବାଲେଶ୍ୱର ସହରର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଗୋଶାଳପଦା ଅଞ୍ଚଳରେ ରହୁଥିବା ଜଣେ ସରକାରୀ କର୍ମ·ରୀଙ୍କୁ ହ୍ୱାର୍ଟ୍ସଅପ୍ ଓ ଟେଲିଗ୍ରାମ୍ ଭଳି ସୋସିଆଲ ମିଡ଼ିଆରେ ବନ୍ଧୁତା ସ୍ଥାପନ କରି ତାଙ୍କୁ ଉପହାର ଦେବା ନାମରେ ୩୦ଲକ୍ଷ ଟଙ୍କା ଠକି ନେଇଥିବା ଘଟଣାରେ ପୂର୍ବରୁ ବାଲେଶ୍ୱର ସାଇବର ଥାନା ପୁଲିସ ଦିଲ୍ଲୀରୁ ଜଣେ ସାଇବର ଠକକୁ ଗିରଫ କରିଥିବା ବେଳେ ଏବେ ଆଉ ଏକ ଠକ ଦମ୍ପତିକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହି ଠକ ଦମ୍ପତିଙ୍କ ଠାରୁ ୭ଟି ସେଲ୍ଫୋନ୍, ୨ଟି ସୁନା ଚେନ୍ ଓ ଏକ ହୁଣ୍ଡାଇ ଆଇ-୧୦ କାର୍ ଜବଦ କରାଯାଇଛି । ଘଟଣାରୁ ପ୍ରକାଶ ଗୋଶାଳପଦା ଅଞ୍ଚଳର ବ୍ୟକ୍ତି ଜଣଙ୍କ ଏହି ସାଇବର ଠକଙ୍କ କବଳରେ ପଡ଼ି ଲୋଭର ବଶବର୍ତ୍ତୀ ହୋଇ ୩୦ଲକ୍ଷ ଟଙ୍କା ହରାଇବା ପରେ ସେ ଠକାମିର ଶୀକାର ହୋଇଥିବା ଜାଣିପାରି ବାଲେଶ୍ୱର ସାଇବର ଥାନାରେ ଗତ ଏପ୍ରିଲମାସ ୧୩ ତାରିଖରେ ଅଭିଯୋଗ କରିଥିଲେ । ସାଇବର ଥାନା ଅଧିକାରିଣୀ ମୀନା ବିନ୍ଧାଣୀ ଏବାବଦରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଥିଲେ । ତଦନ୍ତ ସମୟରେ ଏକ ଭାରତୀୟ ନମ୍ବର ମିଳିବା ପରେ ସାଇବର ଥାନା ପୁଲିସ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ସେଠାରେ ରହୁଥିବା ସାମସନ୍ ଇମେକେ ଅଲିକାକୁ ଗିରଫ କରି ବାଲେଶ୍ୱରକୁ ଆଣି ପଚରାଉଚରା କରିବା ପରେ କୋର୍ଟକୁ ·ଲାଣ କରିଥିଲେ । ଏହାପରେ ସାଇବାର ଥାନା ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇ ଦିଲ୍ଲୀରେ ରହୁଥିବା ନାଇଜେରିଆର ନାଗରିକ ଇମାନୁଏଲ୍ ନାମାନୀ ଓରଫ କେଲଭିନ୍ ଅତୁସୋରୋ ନାମାନୀ ଓ ତାଙ୍କ ପତ୍ନୀ ସୁଚୀମ ତିକହରିଙ୍କୁ ଗିରଫ କରି ବାଲେଶ୍ୱର ଆଣିଥିଲେ । କେଲଭିନ୍ର ଘର ନାଇଜେରିଆର ଆବୁଜା ସହରରେ ହୋଇଥିବା ବେଳେ ତାର ପତ୍ନୀ ସୁଚିମର ଘର ନାଗାଲାଣ୍ଡ ରାଜ୍ୟର କିଫେରେ ଗ୍ରାମରେ ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେଶ ପାଣିଗ୍ରାହୀ ଓ ବାଲେଶ୍ୱର ସାଇବର ଥାନା ଅଧିକାରୀ ମୀନା ବିନ୍ଧାଣୀ ଏବାବଦରେ ସୂଚନା ଦେଇଛନ୍ତି । ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ବ୍ୟକ୍ତିମାନେ ଅଭିଯୋଗକାରୀଙ୍କୁ ଲଣ୍ଡନରୁ ଉପହାର ପଠାଇଥିବା ଦର୍ଶାଇ କେଲଭିନ୍ ଯୁବତୀଙ୍କ ପରିଚୟ ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଚାଟିଂ କରିଥିବା ବେଳେ ତାର ପତ୍ନୀ ସୂଚୀନ୍ ନିଜକୁ ଦିଲ୍ଲୀ ବିମାନ ବନ୍ଦରରର କଷ୍ଟମ ଅଧିକାରୀ ବୋଲି ପରିଚୟ ଦେଇ ପର୍ଯ୍ୟାୟ କ୍ରମେ ୩୦ଲକ୍ଷ ଟଙ୍କା ଲୁଟି ନେଇଥିଲେ । ପୂର୍ବରୁ ପୁଲିସ ଏହି ମାମଲାରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆରେ ଥିବା ୬ଲକ୍ଷ ଟଙ୍କାର ଏକ ଫିକ୍ସ ଡ଼ିପୋଜିଟ୍ ଓ ସେଲ୍ ଫୋନ ଆଦି ଜବଦ କରିଥିବା ବେଳେ ଏବେ ୨ ଅଭିଯୁକ୍ତଙ୍କ ଠାରୁ ଭିସା,୨ଟି ପାସ୍ପୋର୍ଟ, ୨ଟି ଲାପ୍ଟପ୍, ୨ଟି ସୁନା ହାର, ୧ଟି ସୁନା ମୁଦି, ୧ଟି କାର୍ ଓ ୭ଟି ସେଲ୍ ଫୋନ୍ ଜବଦ କରିଛି । ଅଭିଯୋଗ ମିଳିବା ପରେ ଅଭିଯୁକ୍ତ ମାନଙ୍କ ଆଇପିକୁ ଚିହ୍ନଟ କରି ଟ୍ରାକ୍ ମାଧ୍ୟମରେ ଧରିଥିବା ଥାନା ଅଧିକାରୀ ମୀନା ବିନ୍ଧାଣୀ ସୂଚନା ଦେଇଛନ୍ତି । ଏବାବଦରେ ବାଲେଶ୍ୱର ସାଇବର ଥାନାରେ କେଶ୍ ନମ୍ବର ୪/୨୦୨୨ ମୂଳେ ଭାରତୀୟ ଦଣ୍ଡବିଧି ଆଇନ୍ର ୪୧୯,୪୨୦, ୪୬୫, ୪୭୬,୪୬୮,୧୨୦-ବି ଓ ଆଇଟି ଆକ୍ଟର ୬୬(ସି), ୬୬(ଡ଼ି)ଧାରାରେ ମାମଲା ରୁଜୁ ହୋଇଥିବା ସାଇବର ଥାନା ସୂତ୍ରରୁ ପ୍ରକାଶ । ଏହି ସାମ୍ବାଦିକ ସମ୍ମିଳନୀରେ ସାଇବର ଥାନାର ଏଏସ୍ଆଇ ମାନସ ବିଶ୍ୱାଳ ଉପସ୍ଥିତ ଥିଲେ ।

Nalco
Leave A Reply