Odisha news

ବରିଷ୍ଠ ନାଗରିକମାନଙ୍କ ଜମାପୁଞ୍ଜିର ସୁରକ୍ଷା ପାଇଁ ଜନବ୍ୟାଙ୍କ୍ ପକ୍ଷରୁ ସଚେତନତା ଶିବିର

0

ବାଲେଶ୍ୱର-୨୭/୦୭ : -ସ୍ଥାନୀୟ ନୃତ୍ୟ-ସଂଗୀତ-କଳା ମନ୍ଦିର ପରିସରରେ ବୁଧବାରଦିନ ପୂର୍ବାହ୍ନରେ ବରିଷ୍ଠ ନାଗରିକମାନଙ୍କ ସଂଚିତ ଅର୍ଥର ସୁରକ୍ଷା ସଂପର୍କରେ ଜନବ୍ୟାଙ୍କ୍ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ଅଧ୍ୟକ୍ଷତା କରିଥିଲେ । ବ୍ୟାଙ୍କର ସହଦେବଖୁଣ୍ଟା ସ୍ଥିତ ବାଲେଶ୍ୱର ଶାଖା ପରିଚାଳକ ତପନ ଘୋଷ ଅତିଥି ଓ ଉପସ୍ଥିତମାନଙ୍କୁ ସ୍ୱାଗତ ଜଣାଇ ବରିଷ୍ଠ ନାଗରିକମାନେ ସଚେତନତା ଅଭାବରୁ କିପରି ବିଭିନ୍ନ ଠକେଇର ସମ୍ମୁଖୀନ ହେଉଛନ୍ତି ତାହାର ଦୃଷ୍ଟାନ୍ତ ସହ ଉପସ୍ଥାପିତ କରିଥିଲେ । କୌଣସି ବ୍ୟାଙ୍କ୍ ଗ୍ରାହକମାନଙ୍କୁ ଟେଲିଫୋନ୍ ଯୋଗେ, ସୋମନଙ୍କର କୌଣସି ସୂଚନା ମାଗେନାହିଁ ବୋଲି ଶ୍ରୀ ଘୋଷ ସୂଚନା ଦେଇ ଏପରି ଟେଲିଫୋନ୍କୁ ଅଗ୍ରାହ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜନ ସ୍କୁଲ୍ ଫାଇନାନ୍ସ୍ ବ୍ୟାଙ୍କ୍ ରିଜର୍ଭ ବ୍ୟାଙ୍କ ଦ୍ୱାରା ପଞ୍ଜୀକୃତ ଏକ ବ୍ୟାଙ୍କ୍ ହୋଇଥିବାରୁ ଉକ୍ତ ବ୍ୟାଙ୍କର ଗ୍ରାହକମାନଙ୍କ ଜମା ଅର୍ଥ ସଂପୂର୍ଣ୍ଣ ସୁରକ୍ଷିତ ରହିବ ଓ କ୍ଷୁଦ୍ର ଜମାକାରୀମାନେ ବିଶେଷକରି ବରିଷ୍ଠ ନାଗରିକମାନେ ଜାତୀୟକରଣ ବ୍ୟାଙ୍କ ଠାରୁ ସ୍ଥାୟୀ ଜମା ଉପରେ ଅଧିକ ସୁଧ ପାଇବେ ବୋଲି ଶ୍ରୀ ଘୋଷ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବେହେରା, ସାମାଜିକ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ ଅତିଥି ଓ ବକ୍ତାଭାବେ ଯୋଗ ଦେଇ ବରିଷ୍ଠ ନାଗରିକମାନେ ସେମାନଙ୍କ ପୁଞ୍ଜିନିବେଶ ପୂର୍ବରୁ ସଂପୃକ୍ତ ସଂସ୍ଥାର ସ୍ଥାୟୀତ୍ୱ ଓ ସେବା ସଂପର୍କରେ ଭଲଭାବେ ଅବଗତ ହେବା ଉଚିତ ବୋଲି ମତ ଦେଇଥିଲେ । ଅବସରପ୍ରାପ୍ତ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପରିଚାଳକ ପ୍ରଫୁଲ୍ଲ କୁମାର ଦାସ ଓ ଜନବ୍ୟାଙ୍କ୍ର ଜମାକାରୀ ନିରଞ୍ଜନ ପଣ୍ଡା, ଜୟନ୍ତ କୁମାର ମିଶ୍ର, ପ୍ରସନ୍ନ କୁମାର ପାଢ଼ୀ, ବିଧାନ ଚନ୍ଦ୍ର ରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବ୍ୟାଙ୍କ୍ର ପରିଚାଳନା ସଂପାଦକ ସଂଜୀବ କୁମାର ନାୟକ ବ୍ୟାଙ୍କର କାର୍ଯ୍ୟଧାରା ଓ ବ୍ୟାଙ୍କ୍ ପ୍ରତିଷ୍ଠାର ଇତିହାସ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମନୀଷ ବରହପୁରିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବ୍ୟାଙ୍କ ପକ୍ଷରୁ ସ୍ନିଗ୍ଧା କମିଳା, ଲକ୍ଷ୍ମୀଧର ବେହେରା, ସତ୍ୟମ୍ କୁମାର ଦଳେଇ, ରାଜେଶ ମହାପାତ୍ର ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତି୍ରଦୀପ କୁମାର ନାୟକ ଓ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।

Nalco
Leave A Reply