Odisha news

ଜିଲ୍ଲାରେ ଏକ ପଂଚାୟତ, ଏକ ଉତ୍ପାଦ କାର୍ଯ୍ୟକ୍ରମର ଶୁଭାରମ୍ଭ

0

ବାଲେଶ୍ୱର-୨୪/୦୭ : ବାଲେଶ୍ୱର ଜିଲ୍ଲାରେ ଆଜି ଏକ ପଂଚାୟତ,ଏକ ଉତ୍ପାଦ କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନେ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସ ମାଧ୍ୟମରେ ଜିଲ୍ଲାର ପ୍ରତି ପଂଚାୟତରେ ଗୋଟିଏ ଗୋଟିଏ ଉତ୍ପାଦ ଭିତିକ କ୍ଲଷ୍ଟର ପ୍ରସ୍ତୁତ କରାଯାଇ ଜିଲ୍ଲାରେ ଥିବା ୩୦ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ମିଶନ ଶକ୍ତି ମା ମାନଙ୍କ ଆର୍ଥିକ, ସାମାଜିକ ଉନ୍ନତି ତଥା ସେମାନଙ୍କୁ ନିରନ୍ତର ଜୀବିକା ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏକ ଛୋଟ ପ୍ରୟାସରୁ ଆରମ୍ଭ ହୋଇଥିବା ଅମୁଲର ସଫଳ କାହାଣୀର ଅବତାରଣା କରି ଜିଲ୍ଲାପାଳ ଶ୍ରୀ ଶିନେ୍ଦ ଜିଲ୍ଲାବାସୀ ବିଶେଷ କରି ଜିଲ୍ଲାର ମହିଳାମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ନିରନ୍ତର ଉଦ୍ୟମ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାବାସୀଙ୍କ ପାଇଁ ରୋଜଗାରର ବିଭିନ୍ନ ପନ୍ଥା ସୃଷ୍ଟି କରିବା ସହିତ ସେମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରୋତ୍ସାହିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମିଶନ ଶକ୍ତି ବିଭାଗ ମାଧ୍ୟମରେ ରାଜ୍ୟର ମହିଳାମାନେ ରୋଜଗାରର ବାଟ ପାଇପାରୁଥିବା ବେଳେ ପ୍ରତି ପଂଚାୟତରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନେ କିଭଳି ଅଧିକ ରୋଜଗାରକ୍ଷମ ହୋଇପାରିବେ ସେଥିନିମନ୍ତେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି ।

ସମସ୍ତ ବିଡିଓମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଅନ୍ୟ ବିଭାଗରେ ଥିବା ଉତ୍ପାଦ ଓ ସେବାକୁ ବିନିଯୋଗ କରାଯାଇ ପ୍ରତ୍ୟେକ ପଂଚାୟତରେ ଏସଏଚଜି ମା ମାନଙ୍କୁ ରୋଜଗାର ତଥା କ୍ଷୁଦ୍ରଶିଳ୍ପରେ ନିୟୋଜିତ କରାଯିବ । ଏଯାବତ୍ ଜିଲ୍ଲାରେ ୩୫୬ଟି ମହାସଂଘ,୧୫୩ଟି ଉତ୍ପାଦକ ଗୋଷ୍ଠୀ ବିଭିନ୍ନ କାର୍ଯ୍ୟ ଯଥା ସବାଇ, ଟେରାକୋଟା, ଜଉ କଣ୍ଢେଇ, ବାଉଁଶ, ନଡିଆ କତା, ନଡିଆ ତେଲ, ପଥର ମୂର୍ତ୍ତି, ସିଲେଇ, ଝୋଟ, ଚାନ୍ଦୁଆ, ଟସର, ଧାନରେ ମୂର୍ତ୍ତି, ପରିବା, ମହୁ, ଛତୁ ଆଦିରେ ଅନ୍ତର୍ଭୁକ୍ତ ଥିବା ବେଳେ ଏସବୁ ସହିତ ଅନ୍ୟାନ୍ୟ କାର୍ଯ୍ୟକୁ କିଭଳି ସମସ୍ତ ପଂଚାୟତରେ ଆଗାମୀ ୩ମାସ ମଧ୍ୟରେ ନିଶ୍ଚିତ କରାଯାଇପାରିବ ତାହା ଉପରେ ଜିଲ୍ଲାପାଳ ଜୋର ଦେଇଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ବାଲେଶ୍ୱର ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଫକୀରମୋହନ ମେଡିକାଲ କଲେଜ ପ୍ରବନ୍ଧକ ମନୋରମା ଭୂୟାଁ, ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର, ଓରମାସ ଡେପୁଟୀ ସିଇଓ ଜିତେନ୍ଦ୍ରିୟ ବିଶ୍ୱାଳ, ଡିପିସି-ମିଶନ ଶକ୍ତି ବିଶ୍ୱଜିତ୍ ପରିଡାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ

Nalco
Leave A Reply