ବାଲେଶ୍ୱର : ଆଜି ବାଲେଶ୍ୱର ଜିଲ୍ଲାରେ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫୬ଛୁଇଁଛି । ଯାହା ଜଣାପଡ଼ୁଛି ଚଳିତ ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରତ୍ୟେକଦିନ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହି ସଂଖ୍ୟା ବଢିବଢି ଚାଲିଛି । ବାଲେଶ୍ୱର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କରୋନାକୁ ନେଇ ସବୁଆଡ଼େ ଆତଙ୍କ ଖେଳିଯାଇଛି । ମହାମାରୀ କରୋନା ପାଇଁ ଅଦ୍ୟାବଧି କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ ଏହା କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ,ସେନିଟାଇଜର ବ୍ୟବହାର କରିବାକୁ ଗୁରୁତ୍ୱ ଦିଆଯାଉଛି । ଏହା ସତ୍ତ୍ୱେ ମଧ୍ୟ ଅନେକ ଅମାନିଆ ସେଦିଗରେ ଧ୍ୟାନ ଦେଉ ନଥିବାରୁ ପ୍ରାଶସନ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଦ୍ୟାବଧି ବାଲେଶ୍ୱର ଜିଲ୍ଲାକୁ ବିଦେଶରୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ୨୮୭ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଅନ୍ୟ ରାଜ୍ୟରୁ ବାଲେଶ୍ୱରକୁ ଆସିଥିବା ୩୫ ହଜାର ୨ଶହ ୮୩ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଗତକାଲି ସୁଦ୍ଧା ମୋଟ ୧୯ ହଜାର ୯୦୨ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୧୯ହଜାର ୩୦୮ଟି ଟେଷ୍ଟ ରିପୋର୍ଟ ମିଳିଛି । ଗତକାଲି ରବିବାର ଦିନ ବାଲେଶ୍ୱର ଜିଲ୍ଲାକୁ ରାଜ୍ୟ ବାହାରୁ ଆସିଥିବା ପ୍ରବାସୀଙ୍କ ସଂଖ୍ୟା ୧୭୮ ହୋଇଥିବା ବେଳେ ଅଦ୍ୟାବଧି ବାଲେଶ୍ୱର ଜିଲ୍ଲାକୁ ୬୫ହଜାର ୪୦୦ ଜଣ ପ୍ରବାସୀ ଆସିଛନ୍ତି ।ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସଂଖ୍ୟା ୧୦୧୭ ହୋଇଥିବା ବେଳେ ସେଠାରେ ମୋଟ ୩୪ ହଜାର ୨୭୫ ବେଡ୍ ରହିଛି । ଜୁଲାଇ ୨୭ ତାରିଖ ସୁଦ୍ଧା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ୱାରେଣ୍ଟାଇନ୍ରେ ରହିଥିବା ଲୋକଙ୍କ ସଂଖ୍ୟା ୪୫୨୦ ହୋଇଥିବା ବେଳେ ଏହି ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୬୧ ହଜାର ୮୬୧ ଜଣ ଡିସ୍ଚାର୍ଜ ହୋଇଛନ୍ତି ।