ଔପଦା : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୨ କି.ମି ଦୂରତାରେ ଚିହ୍ନଟ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଔପଦା ବ୍ଲକର କରୋନା ସଂକ୍ରମିତଙ୍କ ପ୍ରଥମ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇ ମୃତ ସଂକ୍ରମିତଙ୍କ ସଂସ୍ପର୍ଶରେ ଅସିଥିବା ବ୍ୟକ୍ତିଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇ ସେହି ରିପୋର୍ଟକୁ ଅପେକ୍ଷା କରିଥିବା ଜଣାଯାଇଛି । ସଂକ୍ରମିତ ଜଣକ ପଶ୍ଚିମବଂଗ ଫେରନ୍ତା ହୋଇଥିବା ବେଳେ ସେ ଔପଦା ସଦର ହାଇସ୍କୁଲ କ୍ୱାରେନଟାଇନ ସେଣ୍ଟରରେ ଥିଲେ । ତାଙ୍କର ବୟସ ୬୦ ରୁ ଉଦ୍ଦ୍ୱର୍ ହୋଇଥିବାରୁ ହଠାତ୍ ଦେହ ଅସୁସ୍ଥ ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିସôା ପାଇଁ ବାଲେଶ୍ୱର ନିଆଯାଇଥିଲା ।
ସେଠାରେ ସ୍ୱାବ ପରୀକ୍ଷା ପରେ ରିପୋର୍ଟ ପଜେଟିଭ ଥିବା ଜଣାପଡିବାରୁ କୋଭିଡ୍ ହସ୍ପିିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ୨୩ ତାରିଖ ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ଏହି ମୃତ ସଂକ୍ରମିତ ସହିତ କାହାର ସଂପର୍କ ଅଛି ସାଧାରଣରେ ଆଲୋଚନା ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଖୋଳତାଡ ଆରମ୍ଭ ହୋଇଯାଇଛି । ସମ୍ପର୍କିତ ବ୍ୟକ୍ତି ମାନଙ୍କର ସ୍ୱାବକୁ ତୁରନ୍ତ ପରୀକ୍ଷା କରାଯାଇ ସେମାନଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ସାଧାରଣରେ ଦାବି ହେଉଛି । ଏହି ପରିସ୍ଥିତିକୁ ନେଇ ଔପଦା ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ବସିଥିବା ବେଳେ ଏଥିରେ ବିଡିଓ ସନ୍ତୋଷ କୁମାର ପତି,ଅତିରିକ୍ତ ତହସିଲଦାର ହେମନ୍ତ ନାୟକ,ଥାନା ଅଧିକାରିଣୀ ସୁଜାତା ଖମାରୀ,ଡା ଯିତେନ୍ଦ୍ର ନାଥ ବେହେରା ,ନୋଡାଲ ଅଧିକାରୀ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି,ସୁପରଭାଇଜର ହାସ୍ୟଲତା ଦାସଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ବିଡିଓ ଶ୍ରୀ ପତିଙ୍କୁ ପଚାରିବାରୁ ସରକାରୀ ସ୍ତରରେ ମୃତ ବ୍ୟକ୍ତିଙ୍କ ମୃତୁ୍ୟର କାରଣ ଜଣାପଡି ନାହିଁ । ଏହା ସଂକ୍ରମିତ ଜନିତ ମୃତ୍ୟୁ ହୋଇଥିଲେ ପରବର୍ତ୍ତିି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
