Odisha news

ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

0

ବାଲେଶ୍ୱର-୦୨/୦୭ : -ଆଜି ସକାଳେ ସ୍ଥାନୀୟ ପରମିଟ୍ ପଡିଆଠାରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କ ଉପସ୍ଥିତିରେ ଏକ କ୍ରୀଡା ପ୍ରତିଯୋଗୀ ପ୍ରଦୀପ ପ୍ରଜ୍ଜ୍ୱଳନପୂର୍ବକ ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କ୍ରୀଡାକୁ ପ୍ରୋତ୍ସାହନ ଯୋଜନାରେ ଆୟୋଜିତ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମାଧ୍ୟମରେ ତୃଣମୂଳସ୍ତରରୁ କ୍ରୀଡା ପ୍ରତିଭାମାନଙ୍କୁ ଚୟନ ସହ ସେମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରାଯାଉଅଛି ବୋଲି ଜିଲ୍ଲାପାଳ ଶ୍ରୀ ସିନେ୍ଦ ପ୍ରକାଶ କରିଥିଲେ । ନିକଟରେ ବାଲେଶ୍ୱର ଜିଲ୍ଲାର ଖୋ ଖୋ ଖେଳାଳୀମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଜାତୀୟସ୍ତରରେ ସଫଳତା ଲାଭ କରିପାରିଛନ୍ତି ।

ଏହା ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଆଣିପାରିଥିବା ବେଳେ ଆମ ଜିଲ୍ଲାରୁ ଯେଭଳି ଅଧିକରୁ ଅଧିକ କ୍ରୀଡାବିତ୍ ରାଜ୍ୟ ଓ ଜାତୀୟସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ସେଥି ନିମନ୍ତେ ସମସ୍ତ ସହଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା କ୍ରୀଡା ସଂଘ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିରପେକ୍ଷ ଭାବେ ପ୍ରକୃତ ପ୍ରତିଭା ଚୟନ ନିମନ୍ତେ ସେ ବିଚାରକମଣ୍ଡଳୀକୁ ପରାମର୍ଶ ଦେଇଥିଲେ ।

ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ପ୍ରାରମ୍ଭରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା କ୍ରୀଡା ସଂଘର କାର୍ଯ୍ୟକାରୀ ସଭାପତି ଅଧୀପ ଦାସ ଏବଂ ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଭା ଅନ୍ୱେଷଣରେ ଜିଲ୍ଲା କ୍ରୀଡା ସଂଘର ସହାୟତା ପ୍ରଦାନ କରିବା ନେଇ ନିଜର ବକ୍ତବ୍ୟ ରଖିଥିଲେ । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଯୁବ କ୍ରୀଡାବିତମାନେ ବହୁମାତ୍ରାରେ ଉତ୍ସାହିତ ହେବେ ବୋଲି ସେମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚୟନ ହୋଇଥିବା କ୍ରୀଡାବିତ୍ମାନେ ରାଜ୍ୟସ୍ତରୀୟ ଶାରୀରିକ ଦକ୍ଷତା ଏବଂ କ୍ରୀଡା ଦକ୍ଷତା ପରୀକ୍ଷାରେ ଉତୀର୍ଣ୍ଣ ପରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କ୍ରୀଡା ଛାତ୍ରାବାସଗୁଡିକରେ ରହିବା, ପାଠ ପଢିବା ଏବଂ କ୍ରୀଡା ଅଭ୍ୟାସ କରିବାର ସୁବିଧା ଲାଭ କରିପାରିବେ । ବାଲେଶ୍ୱର ଜିଲ୍ଲାରେ ଏହି କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଜୁଲାଇ ୨, ୪ ଓ ୭ ତାରିଖ ଦିନ ବାଲେଶ୍ୱର ସହର ପରମିଟ୍ ପଡିଆଠାରେ ଅନୁଷ୍ଠିତ ହେଉଥିବା ବେଳେ ଜୁଲାଇ ୬ତାରିଖ ଦିନ ଏହା ସିମୁଳିଆ ସ୍ଥିତ ମାର୍କୋଣା ଆର.ଏନ.ହାଇସ୍କୁଲରେ ଅନୁଷ୍ଠିତ ହେବ ।

ଆଜି ଆଥଲେଟିକ ବିଭାଗରେ ସଟଲ ରନ, ୩୦ମିଟର ରନ୍, ଫରୱାର୍ଡ ବ୍ୟାଣ୍ଡ ଏଣ୍ଡ ରିଚ୍, କ୍ରିକେଟ ବଲ ଥ୍ରୋ ଇତ୍ୟାଦି ମାଧ୍ୟମରେ କ୍ରୀଡାବିତ୍ମାନଙ୍କ ଶାରୀରିକ ଦକ୍ଷତାର ପରୀକ୍ଷଣ ହୋଇଥିବା ବେଳେ ଆସନ୍ତା ୪ତାରିଖ ଦିନ କବାଡି ଖେଳ ମାଧ୍ୟମରେ ସେମାନଙ୍କ ଶାରୀରିକ ଓ କ୍ରୀଡା ଦକ୍ଷତାର ପରୀକ୍ଷଣ କରାଯିବ । ସେହିପରି ଆସନ୍ତା ୬ତାରିଖ ଦିନ ଭଲିବଲ ଏବଂ ୭ତାରିଖ ଦିନ ଭାରୋତଳନରେ କ୍ରୀଡାବିତ୍ମାନଙ୍କ ଶାରୀରିକ ଓ କ୍ରୀଡା ଦକ୍ଷତାର ପରୀକ୍ଷଣ କରାଯିବ । ଏଭଳି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦ୍ୱାରା ସବୁ ବର୍ଗର କ୍ରୀଡା ପ୍ରତିଭାମାନେ ସେମାନଙ୍କ ଦକ୍ଷତା ବୃଦ୍ଧି ସହ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବାକୁ ସୁଯୋଗ ପାଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଉଦଘାଟନୀ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Nalco
Leave A Reply