ବାଲେଶ୍ୱର-୧୦/୦୧: ଆଜି ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲା ବାହାବଳପୁର ଠାରେ ମେରାଇନ କେଜ୍ କଲ୍ଚର ( ସମୁଦ୍ରରେ ପୁରୀ ଭିତରେ ମାଛ ଚାଷ) ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରକଳ୍ପ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ମାନ୍ୟବର ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜାତୀୟ ମତ୍ସ୍ୟ ବିକାଶ ବୋର୍ଡର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ସି. ସୁବର୍ଣ୍ଣା, ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ଯୁଗ୍ମ ସଚିବ ଡ. ଜେ.ବାଲାଜୀ , ସାଗର ମେହେରା, ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ନିଦେ୍ର୍ଦଶକ ସ୍ମୃତିରଂଜନ ପ୍ରଧାନ, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ବାହାବଳପୁର ଜିଲ୍ଲା ପରିଷଦ ସଦସ୍ୟା ସୁମତି ନାୟକ, ସରପଂଚ ରଶ୍ମିତା ମଣ୍ଡଳଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଗଭୀର ସମୁଦ୍ରରେ ଅତ୍ୟାଧୁନିକ ମେରାଇନ କେଜ କଲଚର ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ କରାଗଲେ ଏହା ବେଶ୍ ଲାଭଜନକ ସାବ୍ୟସ୍ତ ହେବା ସହ ରାଜ୍ୟ ତଥା ଦେଶର ଅର୍ଥନୈତିକ ପ୍ରଗତି ହୋଇପାରିବ ବୋଲି ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଏହି ଅବସରରେ କହିଥିଲେ । ମାଛ ଚାଷ ପାଇଁ ଏବେ ବିପୁଳ ସବସିଡି ପ୍ରଦାନ କରାଯାଉଥିବା ବେଳେ ଜନସାଧାରଣ ଏହାର ସୁଯୋଗ ନେଇ ମାଛ ଚାଷ କରିବା ସହ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସେଥିରେ ସହଯୋଗ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଜାତୀୟ ମତ୍ସ୍ୟ ବିକାଶ ବୋର୍ଡର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ସି. ସୁବର୍ଣ୍ଣା, ଭାରତ ସରକାରଙ୍କ ଯୁଗ୍ମ ସଚିବ ଡ. ଜେ.ବାଲାଜୀ , ସାଗର ମେହେରା, ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ନିଦେ୍ର୍ଦଶକ ସ୍ମୃତିରଂଜନ ପ୍ରଧାନ ପ୍ରମୁଖ ଏହି ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ କେଜ କଲଚର ପ୍ରକଳ୍ପ ଦ୍ୱାରା ମତ୍ସ୍ୟ ଉତ୍ପାଦନ ବହୁଗୁଣ ବୃଦ୍ଧି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏହି ପ୍ରକଳ୍ପ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଆଶାପ୍ରକଟ କରିଥିଲେ । ସରପଂଚ ରଶ୍ମିତା ମଣ୍ଡଳ ପ୍ରକଳ୍ପ ପାଇଁ ମାନ୍ୟବର ମନ୍ତ୍ରୀ ଏବଂ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ଅତିଥିମାନେ ମତ୍ସ୍ୟ ଚାଷ ସମ୍ପର୍କରେ ପ୍ରସ୍ତୁତ ବିଭିନ୍ନ ପ୍ରଚାରପତ୍ରର ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ବିଶାଖାପାଟଣା ସ୍ଥିତ ଆଇସିଏଆର-ସିଏମଏଫଆରଆଇ ମୁଖ୍ୟ ଡ. ଶୁଭୋଦୀପ ଘୋଷ ମେରାଇନ କେଜ କଲଚର ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
ଆଇସିଏଆର-ସିଏମଏଫଆରଆଇ ପୁରୀ ଶାଖାର ଡ. ସୁବଳ କୁମାର ରାଉଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମତ୍ସ୍ୟ ବିଭାଗର ଉପନିଦେ୍ର୍ଦଶକ ଅଜୟ କୁମାର ଭୋଇ, ଅତିିରିକ୍ତ ନିଦେ୍ର୍ଦଶକ ଦେବାନନ୍ଦ ଭ, ଉପନିଦେ୍ର୍ଦଶକ(ସାମୁଦ୍ରିକ) ବସନ୍ତ କୁମାର ଦାସ, ଉପନିଦେ୍ର୍ଦଶକ ବିରଜା ଦ୍ୱିବେଦୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଦୀପ କୁମାର ଘୋଷ, ମମତା ମହାପାତ୍ର, ସୁବ୍ରତ ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ
