ବୈଶିଙ୍ଗା–୬/୭– ବର୍ତ୍ତନା-ହୋତାପୁର ଜଙ୍ଗଲରୁ ଆଜି ଏକ ଗଳିତ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ବୈଶିଙ୍ଗା ପୋଲିସ। ଏହି ଘଟଣା ସାରା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଞ୍ଚାୟତର ଗୁଡିବଣିଆ ଗ୍ରାମ ନିକଟସ୍ଥ ବର୍ତ୍ତନା-ହୋତା ପୁର ଜଙ୍ଗଲରୁ ଏକ ଗଳିତ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଆଜି ସକାଳ ଦଶ ଘଟିକା ସମୟରେ ଉକ୍ତ ଜଙ୍ଗଲ ମଧ୍ୟକୁ କାଠ ଏବଂ ପତ୍ର ସଂଗ୍ରହ କରିବା ନିମନ୍ତେ କିଛି ବ୍ୟକ୍ତି ଯାଇଥିଲେ। ପଚା ଦୁର୍ଗନ୍ଧ ବାସ୍ନା ହେଉଥିବା ପୋକ ସାଲୁ ବାଲୁ ଝୁଲନ୍ତା ମୃତ ଦେହକୁ ଦେଖିଥିଲେ। ସେମାନେ ପ୍ରଥମେ ଯାଇ ଡାହିସାହି ଗ୍ରାମର ଆଶା ଦିଦିଙ୍କୁ ଜଣାଇଥିଲେ।
ଆଶାଦିଦି ସେହି ଗ୍ରାମର ମୁଖିଆ ବଳରାମ ସାହୁଙ୍କୁ ଉକ୍ତ ଘଟଣା ବାବଦରେ ଜଣାଇଥିଲେ।ବଳରାମ ସାହୁ ତୁରନ୍ତ ସେହି ଖବର ବାବଦରେ ସ୍ଥାନୀୟ ଅଞ୍ଚଳର ସୁପରିଚିତ ଡାକ୍ତର ସାଗର ସାହୁଙ୍କୁ ଅବଗତ କରାଇଥିଲେ। ଡାକ୍ତର ସାହୁ ବୈଶିଙ୍ଗା ଥାନା ପରିଚାଳନା ଦାୟିତ୍ଵରେ ଥିବା ଡିଏସପି ଲକ୍ଷ୍ମୀଧର ସ୍ୱାଇଁ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଥାନା ତରଫରୁ ଏସଆ ହରେନ୍ଦ୍ର ନାଗରୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପୋକ ସାଲୁ ବାଲୁ ହେଉଥିବା ଝୁଲନ୍ତା ଗଳିତ ଶବକୁ ଉଦ୍ଧାର କରିଥିବା ସତ୍ତ୍ୱେ ଯୁବକର ପରିଚୟ ମିଳି ପାରିନଥିଲା। ସେହି ଅପରିଚିତ ଯୁବକର ଶରୀରଟି ଟେଣ୍ଟ ବାନ୍ଧିବା ପାଇଁ ବ୍ୟବହୃତ ହେଉଥିବା କପଡା ଦ୍ୱାରା ଝୁଲି ରହିଥିଲା।ଶବଟିକୁ ଦେଖିଲେ ଲାଗୁଥିଲା ଯେପରି ଘଟଣାଟି ଚାରି ପାଞ୍ଚଦିନ ପୂର୍ବରୁ ଘଟିଛି।ଆଶ୍ଚର୍ଯ୍ୟର ବିଷୟ ହେଉଛି କି ସେହି ଝୁଲନ୍ତା ଶବଟି ଜଙ୍ଗଲ ଭିତରେ କିପରି ପହଞ୍ଚିଲା, ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସର ପୁଙ୍ଖନାପୁଙ୍ଖ ତଦନ୍ତ ପରେ ଜଣାପଡିବ । ଏହି ଘଟଣାର ତଦନ୍ତ କରୁଛନ୍ତି ବୈଶିଙ୍ଗା ଥାନାର ଏସଆଇ ହରେନ୍ଦ୍ରନାଥ ନାଗରୀ
Comments are closed.