ଭୁବନେଶ୍ୱର : ଭାଇ ହେଲା ଭଗାରୀ । ବଡ଼ ଭାଇକୁ ମାଡ଼ ମାରି ରକ୍ତାକ୍ତ କରି ବନ୍ଧା ହେଲା ସାନ ଭାଇ । ଏଭଳି ଏକ ଘଟଣା ଘଟିଛି ଖଣ୍ଡଗିରି ଥାନା ଅଞ୍ଚଳରେ । ଗିରଫ ଯୁବକ ଜଣକ ହେଲା ଖଣ୍ଡଗିରି ଥାନା ଅଧିନ ଭରତପୁର ବନଦୁର୍ଗାବସ୍ତି ଅଞ୍ଚଳର ରଞ୍ଜନ କୁମାର ନାଏକ(୨୭) । ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି । ଜାମିନ ଖାରଜ ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂନଚାଯୋଗ୍ୟ ଯେ, ବିଦେଶୀ ନାଏକ ତାଙ୍କ ପରିବାର ସହ ରୁହନ୍ତି ।
କୌଣସି କାରଣ ବସତଃ ସାନଭାଇ ରଞ୍ଜନଙ୍କ ସହ ଝଗଡା ଲାଗି ରହୁଥିଲା । ବହୁ ସମୟରେ ବଚସା ହେଉଥିଲେ ମଧ୍ୟ ତାହାର ସମାଧାନ ନିଜ ଲୋକଙ୍କ ମଧ୍ୟରେ ସମାଧାନ ହେଉଥିଲା । ଗତ ମଙ୍ଗଳବାର ଉଭୟଙ୍କ ବଚସା ହୋଇଥିଲା । ବଚସା ପରେ ସାନ ଭାଇ ରଞ୍ଜନ ରାଗିଯାଇ ବଡ଼ ଭାଇର ମୁଣ୍ଡ ଫଟାଇ ଦେଇଥିଲା । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତାଙ୍କ ପରିବାର ଲୋକ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲେ । ଚିକିତ୍ସା ପରେ ଖଣ୍ଡଗିରି ଥାନାରେ ବଡ଼ଭାଇ ବିଦେଶୀ ନାଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
