ନଦୀବନ୍ଧ ଉପରେ ବେଆଇନ ଭାବେ ସ୍ଥାୟୀ ଘର ନିର୍ମାଣ ଓ ବନ୍ଧ ହାଣି ଚାଷ କରିବା ସମ୍ବନ୍ଧରେ ଉପଜିଲ୍ଲାପାଳଙ୍କୁ ସ୍ନାରକପତ୍ର।
ଆଠଗଡ଼ ତା ୧୧-୦୫-୨୩ ବଡମ୍ବା ତହସିଲ ଅନ୍ତର୍ଗତ ଭଟ୍ଟାରିକା ପଞ୍ଚାୟତର ଗମେଇଁ ଗ୍ରାମ ଏକ ବନ୍ୟା ପ୍ଲାବିତ ଅଞ୍ଚଳ ଅଟେ। ନଦୀବନ୍ଧ ହେଉଛି ଗ୍ରାମର ସୁରକ୍ଷା କବଚ। ଗତ ବନ୍ୟାରେ ବନ୍ଧର ଅନେକ ଜାଗାରେ ଗଳିଆ ପଡିଥିଲା। ଗ୍ରାମବାସୀ ମାନେ ଏହି ଗଳିଆକୁ ବନ୍ଦ କରିଥିଲେ। ମାତ୍ର ଗ୍ରାମର କିଛି ବ୍ୟକ୍ତି ଏହି ନଦୀ ବନ୍ଧରେ ସ୍ଥାୟୀ ଗୃହ ନିର୍ମାଣ କରିଛନ୍ତି ଓ କିଛି ଲୋକ ବନ୍ଧକୁ ହାଣି ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି। ଏ ବିଷୟରେ ଗତ ୨୦୨୨ ଅଗଷ୍ଟ ୨୯ ତାରିଖରେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା କରାଯାଇ ବେଆଇନ ଭାବରେ ଘର ଓ ଚାଷ କରୁଥିବା ବ୍ୟକ୍ତି ବିଶେଷ ୨୦୨୨ ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ଭାଙ୍ଗି ଦେବେ ବୋଲି ସ୍ଥିର ହୋଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ଅତିକ୍ରମ କରିଥିଲେ ମଧ୍ୟ ବନ୍ଧ ଅବରୋଧ ନ ହଟିବାରୁ ଗ୍ରାମବାସୀ ବଡମ୍ବା ତହସିଲଦାର ଓ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରିଥିଲେ। ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ତହସିଲଦାର ବିଭିନ୍ନ ଆଳ ଦେଖାଇ ଏଭଳି ଏକ ସମ୍ବେଦନଶୀଳ ଘଟଣା କୁ ଏଡାଇ ଯାଉଛନ୍ତି ।ଫଳରେ ଜବରଦଖଲକାରୀ ମାନେ ଘର ଭାଙ୍ଗୁ ନାହାନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ଯଦି ଜବରଦଖଲକାରୀ ଘର ନ ଭାଙ୍ଗନ୍ତି ତେବେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ୧୬ ତାରିଖ ଦିନ ଭାଙ୍ଗିବେ ବୋଲି ଲିଖିତ ଭାବରେ ଗ୍ରାମର ଏକ ପ୍ରତିନିଧି ଦଳ ଆସି ଆଠଗଡ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି।ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କୁ ଗ୍ରାମବାସୀ ମାନେ ଦାବିପତ୍ର ପ୍ରଦାନ କରିଥିଲେ।