ଅସୁରାଳି,ତା୮/୧୦ : ଗାଁ ପାର୍ଶ୍ୱରେ ହୋଇଥିବା କଙ୍କ୍ରିଟ୍ ୱାଲ୍ ଯୋଗୁଁ ଜଳ ନିଷ୍କାସନ ସମସ୍ୟା ଉପୁଜିଛି । ଗତ ଚାରିଦିନର ଅବିଶ୍ରାନ୍ତ ବର୍ଷା ଫଳରେ ଉଦବୃତ୍ତ ଜଳ ନିଷ୍କାସନ ହୋଇ ନପାରି ଲୋକଙ୍କ ଘର ସହ ମନ୍ଦିର ଭିତରକୁ ପଶି ନାହିଁ ନଥିବା ଅସୁବିଧା ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ଜଳ ନିଷ୍କାସନ ଦାବିକରି ଭଦ୍ରକ ନିକଟସ୍ଥ ଲେଙ୍କାସାହି ଗ୍ରାମର ଲୋକେ ଆଜି ଆନନ୍ଦ ବଜାର-ଲୁଣିଆ ଗ୍ରାମ ଉନ୍ନୟନ ରାସ୍ତା ଅବରୋଧ କରିଥିଲେ । ନିକଟରେ ଆନନ୍ଦ ବଜାର-ସହିଦ୍ ନଗର ସଡକ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଠିକା ସଂସ୍ଥା ପକ୍ଷରୁ ଏହି ସଡ଼କର ଲେଙ୍କାସାହି ନିକଟରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇଛି । ଏହି ପ୍ରାଚୀର ନିର୍ମାଣ ବେଳେ ପୂର୍ବରୁ ଥିବା ଡ୍ରେନେଜ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି । ଏହା ଦ୍ୱାରା ଗା’ର ପୂର୍ବ ଜଳ ନିଷ୍କାସନ ପଥ ବନ୍ଦ ହୋଇଯାଇଛି ।
ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଲେଙ୍କାସାହି ଗ୍ରାମର ଶମ୍ଭୁନାଥ ସାହୁ,କଂବୁନାଥ ସାହୁ,ବଳରାମ ସାହୁ,ସଦାନନ୍ଦ ନାୟକ,ନବକିଶୋର ନାୟକ ଆଦିଙ୍କ ଘରେ ପାଣି ପଶିଛି । ଏଥି ସହିତ ଗାଁ ଶିବ ମନ୍ଦିର ଓ କୀର୍ତ୍ତନ ମଣ୍ଡପ ମଧ୍ୟ ବୁଡି ଯାଇଛି । ଏହି ଘଟଣାରେ ଅସନ୍ତୁଷ୍ଟ ଥିବା ଗ୍ରାମବାସୀ ମାନେ ଶୁକ୍ରବାର ସକାଳେ ଆନନ୍ଦ ବଜାର-ଲୁଣିଆ-ସହିଦ୍ ନଗର ରାସ୍ତାରେ ବସି ରହି ଅବରୋଧ କରିବା ସହ ତୁରନ୍ତ ଜଳ ନିଷ୍କାସନ ପାଇଁ ବାଟ ସଫା କରିବାକୁ ଦାବି କରିଥିଲେ । ଗାଁ ଲୋକଙ୍କ ଏଭଳି ପଦକ୍ଷେପ ଯୋଗୁଁ ସକାଳ ଛଅଟା ଠାରୁ ଦିନ ଏଗାର ଟା ଯାଏଁ ରାସ୍ତା ରେ ଯାତାୟତ ବନ୍ଦ ହୋଇ ଯାଇଥିଲା । ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ପାଇ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ଦେବେନ୍ଦ୍ର ପୃଷ୍ଟି,ସମିତି ସଭ୍ୟ ବଟକୃଷ୍ଣ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଂଚି ସ୍ଥିତି ଦେଖିବା ପରେ ଲୋକଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ନିର୍ମାଣ ହୋଇଥିବା ୱାଲ୍ର କିଛି ଅଂଶକୁ ଭାଙ୍ଗି ଜଳ ନିଷ୍କାସନ ପାଇଁ ବାଟ ତିଆରି ହେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା
