Odisha news

ତଳମୁଣ୍ଡରେ ଲଗାଣବର୍ଷା : ଜୁଆର ପାଣିରେ ଉଛୁଳୁଛି ବୈତରଣୀ ଓ ସାଳନ୍ଦୀନଦୀ ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତାର ସୁନ୍ଦରପୁରଛକରେ ଲହଡି ମାରୁଛି ବର୍ଷାପାଣି

0

ଆରଡି,୧୦ା୮ : ଗତ ତିନିଦିନ ଧରି ଲଗାଣ ବର୍ଷା ଓ ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଭଦ୍ରକ ଜିଲା ଚାନ୍ଦବାଲିର ଉପକୂଳବର୍ତ୍ତୀ ଅଂଚଳ ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରେ ଲାଗିଛି । ଏପରିକି ଜଳସେଚନ ବିଭାଗର ନିମ୍ନମାନର କାମ ଯୋଗୁ ସୁନ୍ଦରପୁର ଠାରୁ ବୋଡକ, ମୁଆଁ ଠାରୁ ତିନିତର, ଶୀତଳପୁର ଠାରୁ ନାନ୍ଦପୁର ଦେଇ ଯାଇଥିବା ଲୁଣାବନ୍ଧର ଅନେକ ସ୍ଥାନ ଦୃବଳ ରହିଥିବା ବେଳେ କେତେକ ସ୍ଥାନରେ ଗର୍ତ ଦେଖାଦେଇଥିବାରୁ ସାମ୍ଭାବ୍ୟ ବନ୍ୟାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ନଦୀକୂଳିଆବାସୀ । ଲଘୁଚାପ ପ୍ରଭାବରେ ହାଲକା ପବନ ସାଙ୍ଗକୁ ତୁହାତୁହା ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏପରିକି ବର୍ଷାପାଣି ଅନେକସ୍ଥାନରେ ଆଣ୍ଠୁଏ ଉଚ୍ଚରୁ ଲହଡି ମାରିଥିବାରୁ ଆଖଣ୍ଡଳମଣିପ ଭଦ୍ରକ ମୁଖ୍ୟରାସ୍ତାର ସୁନ୍ଦରପୁରଛକ ନିକଟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ଦୋହରା ମଳିକସାହି ନିକଟରେ ବୈତରଣୀ ନଦୀବନ୍ଧ ବର୍ଷାରେ ଅଧିକାଂଶ ଧୋଇଯିବାରୁ ଆତଙ୍କିତ ହୋଇପଡିଛନ୍ତି ନଦୀକୂଳିଆବାସୀ । ବିଶେଷକରି ପାଣିପାଗ ବିଭାଗ ପକ୍ଷରୁ ଧାମରା ଓ ଚାନ୍ଦବାଲି ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ସର୍ତକତା ଜାରି କରାଯିବା ସହ ବିପଦ ସଂକେତ ଦିଆଯାଇଥିବାରୁ ସମୁଦ୍ର ଓ ନଦୀକୁ ମତ୍ସ୍ୟଜିବୀ ନଯାଇ କୂଳରେ ବସି ରହିଛନ୍ତି । ତାହାସହ କୂଳରେ ଲଙ୍ଗର ପକାଇ ରହିଛି ଶହଶହ ମଟର ବୋଟ ଓ ଟ୍ରଲର ।

Nalco
Leave A Reply