ରଣପୁର : ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳରୁ କ୍ରାଇମ୍ବ୍ରାଂଚ ର ସ୍ପେସାଲ ଟାକ୍ସ ଫୋର୍ସ ବାଘଛାଲ ଜବତ ଘଟଣାରେ ଗିରଫ ହୋଇଥିବା ଲକ୍ଷ୍ମୀଧର ନାୟକ ନିଜେ ଛୁରା ଧରି ବାଘ ଚମଡାକୁ ଛାଲୁ ଥିବା ଏବଂ ତାଙ୍କ ପାଖରେ ଆଉ ୨ଜଣ ସହଯୋଗ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗିରଫ ଲକ୍ଷ୍ମୀଧର ଘର ଜାମୁଗଣ୍ଡରେ ହୋଇଥିଲାବେଳେ ସେଠାରୁ ମାତ୍ର ଅଧ କି.ମି ରେ ଶଙ୍ଖଯୋଡି ବିଟ୍ ହାଉସ ଥିବାବେଳେ ସେଠାରେ ଫରେଷ୍ଟଗାର୍ଡ ମୁତୟନ ଅଛନ୍ତି ।
ତେବେ ରଣପୁର ବନାଂଚଳ ଅଫିସ ଠାରୁ ଅଳ୍ପ ଦୂରରେ ଏସ.ଟି.ଏଫ୍ ଙ୍କ ଦ୍ୱାରା ବାଘଛାଲ ଜବତ ଓ ଫଟୋ ଭାଇରାଲ ହେବା ପରେ ମଧ୍ୟ ଏହି ଘଟଣା ରଣପୁର ବନାଂଚଳରେ ଘଟିଥିଲେ ମଧ୍ୟ ରଣପୁର ବନବିଭାଗ ପାଖରେ କୌଣସି ଖବର ନଥିବାକୁ ନେଇ ବନବିଭାଗ କାର୍ଯ୍ୟ ଦକ୍ଷତାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ତେବେ ଗତ ୧ମାସ ତଳେ ରଣପୁର ବନାଂଚଳର ରଣପୁର ଠାରୁ ମାତ୍ର ୭କି.ମି ଦୂର ରଣପୁର-ନୟାଗଡ ମୁଖ୍ୟ ରାସ୍ତାରେ ଅଶୁରକୁମାରୀ ଜଙ୍ଗଲରୁ ଏକ ବାଘଛାଲ ର ଅବଶିଷ୍ଟାଂଶ ଏବଂ କିଛି ହାଡ ଜବତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଏବଂ ସ୍ଥାନୀୟ ବନବିଭାଗ ରଣପୁର ବନାଂଚଳରେ ବାଘ ନଥିବା କହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ବେଳେ ଏସ.ଟି.ଏଫ୍ ଦ୍ୱାରା ରଣପୁର ବନାଂଚଳରୁ ବାଘଛାଲ ଜବତ ହେବା ପରେ ରଣପୁର ବନଖଣ୍ଡ ଅଧିକାରୀଙ୍କ ମିଛ ପଦାରେ ପଡିଛି ।
କିଭଳି ରଣପୁର ବନାଂଚଳରେ ଦୁଇ ଦୁଇଟି ବାଘ ଶିକାର କରି ତାର ଛାଲକୁ ଶିକାରୀମାନେ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ ଏହି ଘଟଣା ଦୀର୍ଘଦିନ ଧରି ଚାଲୁଥିଲେ ମଧ୍ୟ ବନବିଭାଗ ପାଖରେ କୌଣସି ସୁରାଗ ନଥିଲା । ତେବେ ଅଶୁରକୁମାରୀ ଜଙ୍ଗଲ ନିକଟ ବଜ୍ରକୋଟ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ରଣପୁର ବନଖଣ୍ଡ ଅଧିକାରୀ କେବେବି ଅଶୁର କୁମାରୀ ଜଙ୍ଗଲକୁ ଆସନ୍ତି ନାହିଁ କି ତାଙ୍କର କୌଣସି ଷ୍ଟାଫ ମଧ୍ୟ ପେଟ୍ରୋଲିଙ୍ଗ କରନ୍ତି ନାହିଁ । ଯାହାର ସୁଯୋଗ ନେଇ ଶିକାରୀମାନେ ସକ୍ରିୟ ହୋଇ ଏଭଳି କାଣ୍ଡ ଭିଆଇଲେ । ତେବେ ସରକାର ବନ୍ୟଜନ୍ତୁ ସୁରକ୍ଷା ଓ ଅତି କମ୍ ସଂଖ୍ୟକ ଥିବା ବାଘର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ରଣପୁର ବନାଂଚଳରେ ବନବିଭାଗର ଅପରାଗତାକୁ ନେଇ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଜଙ୍ଗଲ ପ୍ରେମୀମାନେ ମତ ପ୍ରକାଶ କରିଛନ୍ତି । ତେବେ ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ସ୍ଥାନୀୟ ବନବିଭାଗ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।