Odisha news

ବାର୍ଷିକ ଋଣ ଯୋଜନା ଅନୁମୋଦନ ବୈଠକ : ପ୍ରବାସୀ ମାନଙ୍କୁ ବ୍ୟାଙ୍କ ଋଣ ଯୋଗାଇଦେବା ଉପରେ ଗୁରୁତ୍ୱ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଗୁଡିକର ଏକ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତୁଲ୍ୟ କୁମାର ଚମ୍ପତିରାୟ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଉକ୍ତ ବୈଠକରେ ଉପସ୍ଥିତ ଥିଲେ । ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ମହେଶ୍ୱର ଗୋଡଙ୍କ ଆବାହନକ୍ରମେ ସମସ୍ତ ବ୍ୟାଙ୍କ ଏବଂ ଜିଲ୍ଲାର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଥିଲେ ଯେ,କରୋନା ଯୋଗୁଁ ଲକ୍ ଡାଉନ୍ ଘୋଷଣା ହେବା ପରେ ବହୁ ପ୍ରବାସୀ ନିଜ ନିଜ ସ୍ଥାନକୁ ଫେରିଛନ୍ତି । ସେମାନେ ଯଦି କୋଣସି ଚାଷ କାର୍ଯ୍ୟ କିମ୍ବା ବ୍ୟବସାୟ କରିବାକୁ ଚାହିଁବେ ତେବେ ସେମାନଙ୍କୁ ବ୍ୟାଙ୍କ ଋଣ ଯୋଗାଇବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ପ୍ରତି ବ୍ୟାଙ୍କ ନିଜ ଶାଖାରେ କରୋନା ଗାଇଡ୍ ଲାଇନ୍ ମାନି କାମ କରିବାକୁ କୁହାଯାଉଛି । ବ୍ୟାଙ୍କକୁ ଆସୁଥିବା ଗ୍ରାହକ ଯଦି ମାସ୍କ ପିନ୍ଧି ନାହାଁନ୍ତି, ସେମାନଙ୍କୁ ବ୍ୟାଙ୍କ ପକ୍ଷରୁ ମାସ୍କ ବିନା ମୂଲ୍ୟରେ ପ୍ରଦାନ କରିବାକୁ କୁହାଯାଇଥିଲା । କରୋନା ପାଇଁ ଅର୍ଥନୀତି ଦୂର୍ବଳ ହୋଇଯାଇଛି । ଏହାର ସୁଧାର ପାଇଁ ବ୍ୟାଙ୍କ ମାନଙ୍କ ପ୍ରମୁଖ ଭୂମିକା ରହିଛି । ସମସ୍ତ ଚାଷୀ ଯେଉଁଭଳି ଫସଲ ବୀମାର ଫାଇଦା ଉଠାଇ ପାରିବେ ଏବଂ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ବ୍ୟାଙ୍କ ଋଣ ପ୍ରଦାନ କରିବେ ସେ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଡି.ଡି.ଏମ ନାବାର୍ଡ,ଆରସିଟିର ସମ୍ପାଦକ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ୨୦୨୦-୨୧ ଆର୍ଥିକ ବାର୍ଷିକ ଋଣ ଯୋଜନା ପୁସ୍ତିକାକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ । ଏହି ୨୦୨୦-୨୧ ଆର୍ଥିକ ବାର୍ଷିକ ଋଣ ଯୋଜନାରେ କୃଷି, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ କ୍ଷେତ୍ର, ଗୃହ, ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ର ପାଇଁ ସର୍ବମୋଟ ୨୬୦୬.୯୬ କୋଟିର ଋଣ ଯୋଗାଣ ଜିଲ୍ଲା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଶେଷରେ ଆର.ସି.ଟିର ସମ୍ପାଦକ ନିହାର ଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.