Odisha news

ଜଳୁଛି ଅନୁଗୁଳ: ୪୪ ଡିଗ୍ରୀକୁ ଛୁଇଁଲା ତାପମାତ୍ରା , ଜିଲ୍ଲାକୁ ୟେଲୋ ୱାଣ୍ଣିଂ

0

ଅନୁଗୁଳ: ମହାବାତ୍ୟା ଅମ୍ପନ ପରେ ତାପମାତ୍ରାରେ ହଠାତ୍ ପରିବର୍ତନ ହୋଇଛି । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତ ୫ ଦିନ ହେଲା ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଗତ ୨୩ ତାରିଖ ୪୧ ଡିଗ୍ରୀ ରହିଥିବା ବେଳେ ୨୪ ତାରିଖ ୪୨.୫ ଡିଗ୍ରୀ ରହିଥିଲା । ୨୫ ଓ ୨୬ ତାରିଖରେ ୪୩.୫ ଡିଗ୍ରୀ ପାର କରିଗଲା ପାରଦ । ୨୭ ତାରିଖ ଅପରାହ୍ନ ସୁଦ୍ଧା ୪୪ ଡିଗ୍ରୀ ଛୁଇଁ ଥିଲା ତାପମାତ୍ରା । ଆଗକୁ ତାପମାତ୍ରା ମଧ୍ୟ ଆହୁରି ବଢ଼ିବାର ସମ୍ଭାବନା ଦେଖା ଦେଇଛି । ଏହାର ପ୍ରଭାବରେ ପ୍ରବଳ ଖରା ହେଉଛି ।

ସକାଳ ୧୦ଟା ବାଜିଲେ ମୁଣ୍ଡଫଟା ଖରା ଯୋଗୁଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି । ଦେହରୁ ଗମ୍ ଗମ୍ ଝାଳ ବାହାରୁଛି । କରୋନା କଟକଣା ଯୋଗୁଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଥିଲେ ମଧ୍ୟ ୧୨ଟା ବାଜିଲେ ସବୁକିଛି ବନ୍ଦ ହୋଇ ଯାଉଛି । ରାସ୍ତାଘାଟ ସବୁ ଖାଁ ଖାଁ ହୋଇ ପଡୁଛି । ଲୋକେ ଘରୁ ବାହାରୁ ନାହାଁନ୍ତି । ଯେଉଁମାନେ ଜରୁରୀ କାମରେ ବାହାରକୁ ବାହାରୁଛନ୍ତି ସେମାନେ ମୁଣ୍ଡରେ ଓଦା ଗାମୁଛା ପକାଇ ବାହାରୁଥିବା ଦେଖିବାକୁ ମିଳୁଛି ।

ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଏଭଳି ଖରା ରହୁଛି । ଗରିବ ଦିନ ମଜୁରିଆଙ୍କ ଉପରେ ଏହାର ପ୍ରଭାବ ପଡୁଛି । ସେମାନେ କାମ କରିବାକୁ ଯାଇ ପାରୁ ନାହାଁନ୍ତି । ଲୋକେ ୩ ଦିନରେ ଏତେ କଲବଲ ହେଲେଣି ଆଗକୁ ଆହୁରି ଅଛି । ତେଣୁ ଲୋକେ  ଚିନ୍ତାରେ ପଡି ଯାଇଛନ୍ତି । ତେବେ କେବଳ ଦିନ କାହିଁକି ରାତିରେ ମଧ୍ୟ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଛି । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଖରା ଓ ଗରମ ଅଧିକ ହେଉଥିବା ଜଣା ପଡିଛି । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ଅନୁମାନ କରା ଯାଉଥିବାରୁ ଲୋକେ ଚିନ୍ତାରେ ପଡିଯାଇଛନ୍ତି ।ଗରମ ଗୁଳଗୁଳି ସାଙ୍ଗକୁ ଲୋ ଭୋଲଟେଜ୍ ଓ ଦିନରାତି ସାରା ପାୱାରକଟ୍ ଯମ ଯନ୍ତ୍ରଣା ସଦୃଶ ହୋଇଛି । ସେହିପରି କୋଇଲା ଖଣି ଯୋଗୁଁ ତାଳଚେର ସହରର ତାପମାତ୍ରା ପାଖାପାଖି ୪୫ଡିଗ୍ରୀରେ ପହଁଚିଛି ।

ତାଳଚେର ଓ ଅନୁଗୁଳ ସହର ଏକ ଟୁଇନସିଟି ଭଳି ହୋଇଥିବାରୁ ତାଳଚେର ଉତାପ ମଧ୍ୟ ଅନୁଗୁଳ ସହରରେ ଅନୁଭୁତ ହେଉଛି । ନାଲକୋ ଅଚଂଳରେ ମଧ୍ୟ ସେହି ସମ ଅବସ୍ଥା । ଏହି ଦୃଷ୍ଟିରୁ ରାଜ୍ୟ ପାଣିପାଗ ବିଭାଗ ଅନୁଗୁଳ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛନ୍ତି । କୋଇଲା ଖଣି, ବ୍ୟାପକ ବେଆଇନ ଗଛ କଟା ଓ ଶିଳ୍ପ ସଂସ୍ଥାରୁ ବାହାରୁଥିବା ଗ୍ୟାସ୍ ପ୍ରଭାବରେ ଅନୁଗୁଳ ଓ ତାଳଚେର ସହର ଏକ ଅଗ୍ନିପିଣ୍ଡରେ ପରିଣତ ହୋଇଛି । ଅପର ପଟେ ସମଗ୍ର ଜିଲ୍ଲାରେ ଉକ୍ରଟ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି । ପ୍ରବଳ ଖରା ଓ ପାନୀୟ ଜଳ ସଙ୍କଟ ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

କରୋନା ଯୋଗୁଁ ଜିଲ୍ଲାର ସମସ୍ତ ଅଧିକାରୀ ବ୍ୟସ୍ତ ଥିବା ବେଳେ ଏହି ପ୍ରବଳ ଖରା ଓ ଜଳ ସଙ୍କଟ ପ୍ରତି ପ୍ରଶାସନର ଏପର୍ଯ୍ୟନ୍ତ ନଜର ପଡିନାହିଁ । ମେ ମାସ ସରିବାକୁ ବସିଲାଣି ଜିଲ୍ଲାରେ ବର୍ତମାନ ସୁଦ୍ଧା ଗୋଟିଏ ବି ଜଳଛତ୍ର ଖୋଲିନାହିଁ । ଜିଲ୍ଲାରେ ଥିବା କୂଅ, ପୋଖରୀ, ନାଳ ଓ ଯୋର ଗୁଡିକରୁ ପାଣି ଶୁଖି ଗଲାଣି । ମଣିଷଙ୍କ ସହିତ ପଶୁ ପକ୍ଷୀ ମାନେ ମଧ୍ୟ ପାନୀୟ ଜଳରୁ ବଚିଂତ ହେଲେଣି । ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗକୁ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ତାକୁ ସମ୍ଭାଳିବା ଅସମ୍ଭବ ହୋଇପଡିବ ।

Leave A Reply