ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ବାହାମୁଣ୍ଡା ସେକ୍ସନରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଜଣାଯାଇଛି । ହାତୀଟିର ବୟସ ୧୫ରୁ୨୦ ବର୍ଷ ହେବବୋଲି ଅନୁମାନ କରାଯାଉଛି । କିଛି ଦିନ ପୂର୍ବରୁ ହାତୀଟି ଅନୁଗୁଳ ଡିଭିଜନରୁ ସାତକୋଶିଆରେ ପ୍ରବେଶ କରିଥିବା ବେଳେ ଅସୁସ୍ଥ ଥିବା ଜଣାପଡିଥିଲା ।
ହେଲେ ହାତୀକୁ ଠାବ କରି ଚିକିତ୍ସା କରିବା ନିମନ୍ତେ ବନ ବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା । ଗତ କାଲି ବନ ବିଭାଗ ପେଟ୍ରୋଲିଂ ଟିମ ଅସୁସ୍ଥ ହାତୀକୁ ଠାବ କରି ଚିକିତ୍ସା କରିଥିଲେ ମଧ୍ୟ ହାତୀଟିର ମୃତ୍ୟୁ ଘଟିଥିଲା । ହାତୀଟିର ପେଟ ତଳେ ଗୋଟିଏ ପୁରୁଣା କ୍ଷତ ଥିବା ବେଳେ ସେପଟିସେମିଆ ହୋଇ ତାର ମୃତ୍ୟୁ ଘଟିଥିବା ନେଇ ସାତକୋଶିଆ ପ୍ରାଣୀ ଚିକିତ୍ସକ ଙ୍କ ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ବୋଲି ସାତକୋଶିଆ ଡିଏଫଓ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।