ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେନ୍ଦୁପଶି ଗ୍ରାମର ଖେଳପଡିଆ ଜବରଦଖଲ ଉଛେଦ ବିବାଦ ରହିଥିବା ବେଳେ ଏହି ଘଟଣାରେ ରାତି ଅଧିଆ ୪ଜଣଙ୍କୁ ପୁଲିସ ଉଠେଇ ନେବା ପ୍ରତିବାଦରେ କେନ୍ଦୁପଶି ଗ୍ରାମବାସୀ ଛେଣ୍ଡିପଦା ଥାନାକୁ ଘେରାଉ କରିବା ସହିତ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ଜାନୁୟାରୀ ମାସରେ କେନ୍ଦୁପଶି ଗ୍ରାମର ସରକାରୀ ଜମି ଜବର ଦଖଲ ଉଛେଦ ଦାବି ନେଇ ଛେଣ୍ଡିପଦା ତହସିଲଦାରଙ୍କ ନିକଟରେ ଦାବି କରିଥିଲେ ।ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା ଓ ପୁଲିସ ଉପସ୍ଥିତିରେ ସରକାରୀ ଜମିକୁ ଜବର ଦଖଲ ଉଛେଦ କରିଥିଲେ ।ଉଚ୍ଚେଦର ୩ ମାସ ପରେ ଗ୍ରାମର କିଛି ଯୁବକ ଉକ୍ତ ସରକାରୀ ଜମିକୁ ପରିଷ୍କାର କରିବାପାଇଁ ଯାଇଥିବା ବେଳେ ଜବର ଦଖଲକାରୀଙ୍କ ମଧ୍ୟରେ ମାଡପିଟ ହୋଇଥିଲା ।
ଏ ନେଇ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଥିଲେ ।ଉକ୍ତ ଘଟଣା ଥାନାରେ ବିଚାର ନକରି ଗ୍ରାମରେ ବିଚାର କରିବା ପାଇଁ ପରାମର୍ଶ ଦେଇ ଗ୍ରାମବାସୀଙ୍କୁ ପଠାଇ ଦେବା ସହିତ ଜବର ଦଖଲକାରୀଙ୍କ ଅଭିଯୋଗକୁ ଭିତି କରି ମାମଲାରୁଜୁ କରିଥିଲେ ।ତେବେ ଏହି ଘଟଣାର ପୁଲିସ ସରଜମିନ ତଦନ୍ତ ନକରି ରବିବାର ବିଳମ୍ବିତ ରାତିରେ ଗ୍ରାମର ସଭାପତିଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ପୁଲିସର ଏପରି କାର୍ଯ୍ୟକୁ ଗ୍ରାମବାସୀ ନିନ୍ଦା କରିବା ସହିତ ଗ୍ରାମର ଶତାଧିକ ମହିଳା ପୁରୁଷ ଛେଣ୍ଡିପଦା ଥାନାକୁ ଘେରାଉ କରି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଗିରଫ ବ୍ୟକ୍ତି ମାନଙ୍କୁ ତୁରନ୍ତ ଛାଡିବା ସହିତ ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।ଏହି ଘଟଣାକୁ ନେଇ ଥାନା ପରିସରରେ ଉତେଜନା ଲାଗି ରହିଥିଲା ।