ଆନନ୍ଦପୁର : ଆନନ୍ଦପୁର ବନଖଣ୍ଡ ଅଧୀନସ୍ଥ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଟିପା ହରିଣଙ୍କ ଏନ୍ତୁଡିଶାଳ ଭାବେ ଜିଲ୍ଲା ତଥା ରାଜ୍ୟରେ ସୁନାମ ଅର୍ଜନ କରିଛି । ଏହି ଜଙ୍ଗଲରୁ କାଠ ମାଫିଆ ମାନେ ବନ ବିଭାଗ ସହଯୋଗରେ ଲକ୍ଷ ଲକ୍ଷ ଟଙ୍କାର ଚୋରା ଶାଳ କାଠ ବାହାର ଜିଲ୍ଲା କୁ ଚାଲଣ କରୁଥିବା ସ୍ଥାନୀୟ ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି କିଛି ଦିନ ହେଲା କିଛି ଦୁର୍ବୃତ୍ତ ଜଙ୍ଗଲ ମଧ୍ୟରେ ଅବାଧରେ ପଶି ବେଆଇନ ଭାବେ ଚେରମୂଳ କାଟି ନେବା ସହ ମୂଲ୍ୟବାନ ଶାଳ , ଚାର , କେନ୍ଦ୍ର ପ୍ରଭୃତି ଗଛ କାଟି ନେଉଥିବା ଅଭିଯୋଗ ହେଉଛି । ରାଜ୍ୟ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ଦିଗରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିଲେ ମଧ୍ୟ କିଛି ଅସାମାଜିକ ବ୍ୟକ୍ତି ବିଶେଷ ବନକର୍ମଚାରୀଙ୍କ ଦୃଷ୍ଟି ଆଢୁଆଳରେ ଜଙ୍ଗଲ ସମ୍ପଦକୁ ଲୁଟ କରି ଚାଲିଛନ୍ତି । କିଛି ଦିନ ତଳେ ବନବିଭାଗ ପକ୍ଷରୁ ସ୍ଥାନୀୟ ନୃହାମାଳିଆ ଗ୍ରାମର ବଚା ମୁଣ୍ଡା ଘର ଉପରେ ଚଢଉ କରାଯାଇଥିଲା | ଚଢଉ ସମୟରେ
ତା’ଘର ଅଗଣାରେ ପ୍ରାୟ ୧୫ ଫୁଟ ଲମ୍ବର ୮ଟି ମୂଲ୍ୟବାନ ଶାଳବଲ୍ଲା ପଡ଼ିଥିବା ଦେଖିବାକୁ ମିଳିଥିଲା । ବନବିଭାଗର ଟିମ୍କୁ ଦେଖ୍ ବଚା ମୁଣ୍ଡା ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ହେଲେ ଶାଳ ବଲ୍ଲାକୁ ଜବତ ନକରି ବନବିଭାଗର କର୍ମଚାରୀ ଫେରି ଆସିଥିଲେ । ସେହିପରି ବରାଙ୍ଗ ମାଝୀ ସାହିରେ ଚୋରା ମହୁଲି ମଦ ତିଆରି ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଥିବା ବେଳେ ମଦରନ୍ଧା କାର୍ଯ୍ୟରେ ଆବଶ୍ୟକ ହେଉଥିବା ଜାଳକାଠ ସବୁ ଏହି ଜଙ୍ଗଲରୁ ଲୁଟ୍ ହେଉଥିଲେ ମଧ୍ୟ ବନବିଭାଗ ଘଟଣା ସମ୍ପର୍କରେ ଜାଣିସୁଦ୍ଧା ହାତବାନ୍ଧି ବସିଛି । ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ବରାଙ୍ଗ ଜଙ୍ଗଲକୁ ଧ୍ୱଂସ ମୁଖରୁ ବଞ୍ଚାଇବା ସହ ବେଳଥାଉ ସାବଧାନ ହେବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ତଥା ପରିବେଶବିତ୍ ମାନେ ଆନନ୍ଦପୁର ଡିଏଫ୍ଓଙ୍କ ନିକଟରେ ଦାବି କରିଛନ୍ତି ।
