ଭୁବନେଶ୍ୱର: ୧୮୯୧ ପରଠୁ ଏପର୍ଯ୍ୟନ୍ତ ଯେତିକି ବାତ୍ୟା ହୋଇଛି, ତାହା ମଧ୍ୟରେ ୧୯୯୯ ମହାବାତ୍ୟା ସବୁଠୁ ବଡ଼। ସେହିପରି ୨୦୦୬ରେ ବାତ୍ୟା ଅଗ୍ନି ସବୁଠୁ ଛୋଟ। ୯୯ର ମହାବାତ୍ୟା ପରେ ଅମ୍ପନ ହେଉଛି ବଙ୍ଗୋପସାଗରରେ ୨ୟ ମହାବାତ୍ୟା ବୋଲି କହିଛନ୍ତି ଆଇଏମଡି ଡିଜି।
ଅମ୍ପନ ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ସୂଚନା ଦେଇ କହିଛନ୍ତି ଯେ, ଅମ୍ପନ ସମୁଦ୍ରରେ ହିଁ ମହାବାତ୍ୟାର ଶକ୍ତି ହ୍ରାସ ପାଇବ। ଭେରି ସିଭିୟର ସାଇକ୍ଲୋନ୍ ରୂପରେ ସ୍ଥଳଭାଗ ଛୁଇଁବ ଏହି ବାତ୍ୟା। ଓଡ଼ିଶାରେ ମାଡ଼ ହେବନି, ବରଂ ଓଡ଼ିଶା ଉପକୂଳ ଦେଇ ଦେଇ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ଥିବା ସୁନ୍ଦରବନ ପାଖାପାଖି ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ମହାବାତ୍ୟା।
ଏହା ପ୍ରଭାବରେ ଆଜିଠୁ ଉତ୍ତର ଓଡ଼ିଶା ଉପକୂଳରେ ୫୫ରୁ ୬୫ କିମି ବେଗରେ ପବନ ବହିବ। ଆସନ୍ତାକାଲି ସକାଳୁ ପବନର ବେଗ ୭୫ କିମିରୁ ଅଧିକ ରହିବ ଏବଂ ୨୦ ତାରିଖରେ ପବନର ବେଗ ୧୧୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିବ ବୋଲି ଆଇଏମଡି ଡିଜି ପୂର୍ବାନୁମାନ କରିଛନ୍ତି। ଲ୍ୟାଣ୍ଡଫଲ୍ ବେଳେ ଉପକୂଳରେ ୬ ମିଟର ଉଚ୍ଚ ଜୁଆର ଉଠିବ। ବାତ୍ୟା ପ୍ରଭାବରେ କଚ୍ଚା ଘର ସଂପୂର୍ଣ୍ଣ ଧୂଳିସାତ ହୋଇଯିବ।