Editorial : ଓଡ଼ିଆ ନୂଆବର୍ଷ ଆରମ୍ଭରେ ଅକ୍ଷୟତୃତୀୟା ପର୍ବ ଓଡ଼ିଶାର ପୁରପଲ୍ଲୀରେ ଧୂମଧାମରେ ପାଳିତ ହୋଇଥାଏ । ଉକ୍ତ ଦିବସଟିକୁ ଶୁଭଦିବସ ଭାବରେ ଗ୍ରହଣ କରା ଯାଉଥିବାରୁ ସମସ୍ତ ଶୁଭକାର୍ଯ୍ୟ ଏହିଦିନ ଆରମ୍ଭ ହୋଇଥାଏ । ଚାଷୀଭାଇ ମାନେ କୃଷିକାର୍ଯ୍ୟ ଆରମ୍ଭ କରନ୍ତି । ସେମାନେ ହଳମୁଠି ବାହିବା ସହିତ ଧାନବୁଣା କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଅକ୍ଷୟ ତୃତୀୟା ବୈଶାଖାଦି ଦ୍ୱାଦଶ ମାସର ପ୍ରାଥମିକ ବ୍ରତ ଦିବସ । କୃଷକମାନେ ଧାନ୍ୟକ୍ଷେତ୍ରକୁ ପୂଜା କରିବା ସହିତ ଶ୍ରୀଶ୍ରୀଜଗନ୍ନାଥଙ୍କର ଶ୍ରୀଗୁଣ୍ଡିଚା ରଥଯାତ୍ରା ନିମନ୍ତେ ନୀତବିଷ୍ନେନ ରଥ ଆରମ୍ଭ ହୁଏ ।
ଏହିବ୍ରତ ପ୍ରଥମବ୍ରତ ହୋଇଥିବାରୁ ବ୍ରତୀମାନେ ଶୁଦ୍ଧ କାଳରେ ପ୍ରଥମତଃ ଏହିବ୍ରତକୁ ଆରମ୍ଭ କରି ଆଠ ବର୍ଷରେ ଉଦ୍୍ୟାପନ କରବାର ବିଧି ଅଛି । ବ୍ରତ ନିମନ୍ତେ କଳସ,ଆମ୍ବଡାଳ,ବରକୋଳି ପତ୍ର,ଦୁବ,ନାନାପ୍ରକାର ଫୁଲ,ପୁଷ୍ପମାଲ୍ୟ,ତୁଳସୀ,ଚନ୍ଦନକାଠ,ଚନ୍ଦନପେଡ଼ି,କଳସକୁଞ୍ଚା,ସିନ୍ଦୁର,ଗୁଆ ୨ଗୋଟା,ନାସିଲଗା ପଇଡ଼,ଅରୁଆ ଚାଉଳ,ଶୁକ୍ଳଧାନ୍ୟ,ଛେନାଗୁଡାଦି ବା ଭୋଗ,ପାନଗୁଆ,ଧୂପସାମଗ୍ରୀ,ଧୂପଦାନି ସ୍ହିତ ଘିଅଦୀପ,ବସ୍ତ୍ର,ପଞ୍ଚବର୍ଣ୍ଣି ମୁରୁଜ,ବାଲି,ଆମ୍ବକାଠ,ଗବ୍ୟଘୃତ ଇତ୍ୟାଦି ସାଧାରଣ ଦ୍ରବ୍ୟମାନ ଆବଶ୍ୟକ ହୋଇଥାଏ । ଏହାଛଡା ଏ ବ୍ରତରେ ଘଟ,ଯବ,ବସ୍ତ୍ର,ଭୋଜ୍ୟତ୍ସର୍ଗ ସାମଗ୍ରୀ,ଘୃତପକ୍ୱ ନାନାବିଧ ମୋଦକ ଓ ଫଳମୂଳ,ଲାକ୍ଷାଦି ଭୋଗ ଏବଂ ଯଜେ୍ଞାପବୀତ ପ୍ରୟୋଜନୀୟ ଦ୍ରବ୍ୟ । ବ୍ରତ ନିମନ୍ତେ ବ୍ରତୀମାନଙ୍କୁ ପୂର୍ବଦିନ ସଂଯମ ରକ୍ଷା ପୂର୍ବକ ଏକାହାରୀ ହେବାକୁ ପଡ଼ିଥାଏ । ବ୍ରତଦିନ ପ୍ରାତରୁ ବ୍ରତ କ୍ରାୟାଦି ସାରି ଶୁଦ୍ଧାସନରେ ବସି ସ୍ୱସ୍ତିବାଚନାଦି ସଙ୍କଳ୍ପ କରା ଯାଇଥାଏ । କଳେଶ ଗଣପତ୍ୟାଦି ନାନାଦେବତା ପୂଜାପୂର୍ବକ ସଲକ୍ଷ୍ମୀକବାସଦେବ ପୂଜା ଯବଯୁକ୍ତ ବସ୍ତ୍ରାଚ୍ଛାଦିତ ଘଟଦାନ ଭୋଜ୍ୟଦାନ ବ୍ରତକଥା ଶ୍ରବଣ ପୂର୍ବକ ଭବିଷ୍ୟ ପୁରାଣୋକ୍ତ ବିଧିରେ ସଂକଳ୍ପ କରାଯାଇଥାଏ । ଏହାପରେ ଆସନଶୁଦ୍ଧି,ଭୂତଶୁଦ୍ଧି,ସାମାନ୍ୟର୍ଘ୍ୟ ସ୍ଥାପନ,ପ୍ରାଣାୟାମ,ମାତୃକାନ୍ୟାସ ଓ ପ୍ରାଣପ୍ରତିଷ୍ଠା କାର୍ଯ୍ୟକରି ଗଣେଶାଦି ପଞ୍ଚଦେବତା ଓ ଇନ୍ଦ୍ରାଦି ଦଶଦିକ୍ପାଳଙ୍କର ଅର୍ଚ୍ଛନା ବା ବରୁଣ ପୂଜା କରି ସୂର୍ଯ୍ୟପୂଜା କରାଯାଇଥାଏ । ଓଁ ନମଃ ଭଗବତେ ବାସୁଦେବାୟଃ ମନ୍ତ୍ରରେ ଭଗବାନ ବାସୁଦେବଙ୍କୁ ଆବାହନ କରି ଦଶମୁଦ୍ରା ଦେଖାଇ ଯଥାଶକ୍ତି ଉପଚାରରେ ପୂଜା କରି ପ୍ରଣାମ କରାଯାଏ । ତାହାପରେ ଆବରଣ ପୂଜା କରି ସ୍ୱଶାଖୋକ୍ତ କୁଶାଣ୍ଡି ବିଧିରେ ବଳଦ ନାମକ ଅଗ୍ନି ସ୍ଥାପନ କରି ତାହାଙ୍କୁ ଯଥାଶକ୍ତି ପୂଜା କରାଯାଇ ଶେଷରେ ଭୋଜ୍ୟୋତ୍ସର୍ଗ କରା ଯାଇ ବ୍ରତକଥା ଶୁଣିବାକୁ ପଡ଼ିଥାଏ ।
ବ୍ରତର କଥା ଅନୁସାରେ ଶତାନିକଙ୍କୁ ଏକଦା ଯମରାଜା ଜଳଦାନର ମହାତ୍ମ୍ୟ ବିଷୟରେ ପଚାରିଥିଲେ । ତହୁଁ ଶତାନୀକ ଜଣେ ଅଧମ ବ୍ରାହ୍ମଣର କଥା ଯମରାଜାଙ୍କୁ ଶୁଣାଇଥିଲେ । ଥରେ ସେହି ବ୍ରାହ୍ମଣ ଘରକୁ କେହିଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳ ମାଗିବାରୁ ଗୃହୀବ୍ରାହ୍ମଣ ନିଜ ଘରେ କିଛି ନଥିବାର କଥା କହି ତାଙ୍କୁ ଫେରାଇ ଦେବା ସହିତ ପୋଖରୀରୁ ପାଣି ପିଇବାକୁ ପରାମର୍ଶ ଦେଲେ । ମାତ୍ର ଗୃହୀ ବ୍ରାହ୍ମଣର ପତ୍ନୀ ସୁଶୀଳା ସ୍ୱାମୀଙ୍କର କୃପଣତା ପାଇଁ ଦୁଃଖ ପ୍ରକାଶ କରିବା ସହିତ ବ୍ରାହ୍ମଣଙ୍କୁ ଜଳ ପ୍ରଦାନ କରିଥିଲା । ଯୋଗକୁ ସେହିଦିନ ଥିଲା ବୈଶାଖ ମାସର ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା । କିଛି ଦିନପରେ ବ୍ରାହ୍ମଣର ମୃତୁ୍ୟ ହେବାରୁ ଯମଦୂତମାନେ କାଳପାଶରେ ବାନ୍ଧି ବିପ୍ର ପ୍ରାଣକୁ ଯମପୁରକୁ ନେଇଗଲେ । ତୃଷାର୍ତ୍ତ ବିପ୍ରପ୍ରାଣ ଯମଦୂତ ମାନଙ୍କୁ ଜଳପାଇଁ ଅନୁରୋଧ କରିବାରୁ ଯମଦୂତମାନେ ପୂର୍ବ ଘଟଣାକୁ ମନେ ପକାଇ ଦେଇ ଜଳ ଦେଇନଥିବାରୁ ଜଳ ପାଇବ ନାହିଁ ବୋଲି ଜଣାଇ ଦେଲେ । ଏକଥା ଯାଇ ଯମଙ୍କ ପାଖରେ ପହଞ୍ଚିବାରୁ ଯମ କହିଲେ,ଯେହେତୁ ଏହାର ସ୍ତ୍ରୀ ବୈଶାଖ ମାସର ତୃତୀୟାରେ ବ୍ରାହ୍ମଣଙ୍କୁ ଜଳ ପ୍ରଦାନ କରିଥିଲେ ତେଣୁ ତାହାର ଧର୍ମରୁ ଇଏ ମଧ୍ୟ ପୁଣ୍ୟ ପାଇ ସ୍ୱର୍ଗଲୋକକୁ ଗମନ କରିବ ।
ଏଣୁ ଯେଉଁମାନେ ବୈଶାଖ ଶୁକ୍ଳତୃତୀୟା ଦିନ ତପସ୍ୟା,ହୋମ ତଥା ସ୍ନାନ,ଦା.ବେଦାଧ୍ୟୟନ,ପତୃତର୍ପଣ ଓ ବିଷ୍ଣୁ ପୂଜା କରିବ ତାହାର ଅକ୍ଷୟ ପୁଣ୍ୟ ସଞ୍ଚୟ ହୋଇ ମୃତ୍ୟୁ ଅନ୍ତେ ବିଷ୍ନୁଲୋକକୁ ଗମନ କରିଥାଏ ବୋଲି ଶାସ୍ତ୍ର ସମ୍ମତ । “ଅକ୍ଷୟାୟାଂ ବ୍ରତଂ କୃତ୍ୱା ସପନôୀକୋ ଦିବଂ ଯଯୋ÷÷ । ବ୍ରତସ୍ୟାସ୍ୟ ପ୍ରଭାବେଣ ବିଷ୍ଣୁଂ ବଲ୍ଲଭତାମିୟାତ୍ । ଏବଂ କରୋତି ଯା ନାରୀ ନରୋବାପି ସୁସଞ୍ଜତଃ । ଇନ୍ଦ୍ରଲୋକଂ ସମାସ୍ୟାଦ୍ୟ ବିଷ୍ଣୁଲୋକଂ ଚ ଗଛତି ।ା” ଯେଉଁମାନେ ବୈଶାଖମାସର ଦ୍ୱିଜୋତ୍ତମ ତୃତୀୟା ତିଥିରେ ବିଷ୍ଣୁଙ୍କୁ ଆରାଧନା କରିବା ସହିତ ଆଠବର୍ଷ ବ୍ରତ ଆଚରଣ କରେ ସେ ପରଜନ୍ମରେ ବୈଷ୍ଣବ ଭାବରେ ଜନ୍ମ ହୋଇଥାଏ । ସେହିଲୋକ ବିବେକୀ,ଧର୍ମଜ୍ଞ,ଦୟାଶୀଳ ସହିତ ଜାତିସ୍ମର ହୋଇ ଜନ୍ମ ହୋଇଥାଏ । ଯେଉଁମାନେ ସଂଯତ ହୋଇ ବୈଶାଖମାସରେ ଜଳଛତ୍ର କରିବା ଏବଂ ଭୋକିଲାଙ୍କୁ ଅନ୍ନଦାନ ଦେବାସହିତ ଏହିବ୍ରତ ଆଚରଣ କରନ୍ତି ସେହିମାନେ ବିଷ୍ଣୁଙ୍କର ପ୍ରିୟ ହୋଇଥାନ୍ତି ।