Odisha news

ଏଆଇପିଏଚ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ‘ବିଶ୍ଵ ମଶା ଦିବସ-୨୦୨୨’ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

0

ଭୁବନେଶ୍ୱର, ୨୫ ଅଗଷ୍ଟ ୨୦୨୨: ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବିଶ୍ୱ ମଶା ଦିବସ-୨୦୨୨’ ପାଳନ କରାଯାଇଛି। ବୁଧବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମ୍ୟାଲେରିଆ ସହିତ ମଶାର ସମ୍ପର୍କ’ ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଡାକ୍ତର, ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀମାନେ ମଶା ଯୋଗୁଁ ସୃଷ୍ଟି ହେଉଥିବା ମ୍ୟାଲେରିଆ ଏବଂ ବିଭିନ୍ନ ଭେକ୍ଟର ବାହିତ ରୋଗକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତା’ଉପରେ ମତ ରଖିଥିଲେ।

“କୋଭିଡ୍ ମହାମାରୀ ପରେ ଲୋକମାନେ ଜନସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇଯାଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଖୁସିର କଥା। ଜନସ୍ଵାସ୍ଥ୍ୟ କ୍ଷେତ୍ରରେ ଲୋକମାନଙ୍କୁ ସଚେତନ କରିବା ଲାଗି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବିଶ୍ୱ ମଶା ଦିବସ ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ସ୍ୱାଗତଯୋଗ୍ୟ। ଏହାଦ୍ୱାରା ଲୋକମାନେ ବିଭିନ୍ନ ଭେକ୍ଟର ବାହିତ ରୋଗ ବିଷୟରେ ଅଧିକ ସଚେତନ ହୋଇପାରିବେ”, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୈନିକ ଖବରକାଗଜ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

“ବିଭିନ୍ନ ଭେକ୍ଟର ବାହିତ ରୋଗ ମୁଖ୍ୟ ବାହକ ହେଉଛି ମଶା। ଏହା ଜନସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ। ତେଣୁ ମଶା ସମ୍ପର୍କରେ ଅଧିକ ଅଧ୍ୟୟନ ଓ ଗବେଷଣା କରାଯାଇ ଲୋକମାନଙ୍କୁ ବ୍ୟାପକ ଭାବେ ସଚେତନ କରାଯାଇ ପାରିଲେ ଜନସ୍ୱାସ୍ଥ୍ୟ ପ୍ରତି ଯେଉଁ ବିପଦ ଦେଖାଦେଉଛି ତାହାକୁ ନିୟନ୍ତ୍ରଣ କରିପାରିବା”, ବିଶ୍ୱ ମଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବରିଷ୍ଠ ବୈଜ୍ଞାନିକ ଡକ୍ଟର ରୂପେଂଶୁ କୁମାର ହାଜରା।

ଏହି ଅବସରରେ ଡକ୍ଟର ହାଜରା ‘ଭେକ୍ଟର ବାହିତ ରୋଗ ଏବଂ ଭାରତରେ ଏ ସମ୍ପର୍କରେ ଗବେଷଣା’ ବିଷୟ ଉପରେ ଏକ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ।

ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ପ୍ରଫେସର ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ ‘ମ୍ୟାଲେରିଆ ଏବଂ ସାର୍ ରୋନାଲ୍ଡ ରସ୍’ଙ୍କ ସମ୍ପର୍କରେ ଏକ ବିସ୍ତୃତ ପ୍ରେଜେଣ୍ଟେସନ ଉପସ୍ଥାପନ କରିଥିଲେ।

“ସାର୍ ରୋନାଲ୍ଡ ରସ୍ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ବ୍ୟାପୁଥିବା ନେଇ ତଥ୍ୟର ଆବିଷ୍କାର କରିଥିଲେ। ଏଥିପାଇଁ ୧୯୦୨ରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ଚଳିତ ବର୍ଷ ତାଙ୍କର ଏହି ଆବିଷ୍କାରକୁ ୧୨୫ ବର୍ଷ ପୂରଣ ହୋଇଛି। ତେଣୁ ଏ ବିଷୟରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ଲୋକମାନଙ୍କୁ ଅଧିକ ସଚେତନ କରିବା ଲାଗି ଆମେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଛୁ”, କହିଛନ୍ତି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ପ୍ରଫେସର ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ।

ବିଶ୍ୱ ମଶା ଦିବସ ଅବସରରେ ଅଗଷ୍ଟ ୨୦ ତାରିଖ ଦିନ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମ୍ୟାଲେରିଆ ସମ୍ପର୍କିତ ବିଷୟ ଉପରେ ‘ବକ୍ତୃତା’ ଏବଂ ‘ପୋଷ୍ଟର’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ୫୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ୬ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।

ପୋଷ୍ଟର ପ୍ରତିଯୋଗିତାରେ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟର ଛାତ୍ରୀ ରୋଜାଲିନ ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଛାତ୍ର ସମ୍ଵିତ ବିଶ୍ଵକେତନ ଦ୍ଵିତୀୟ ଏବଂ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟର ଛାତ୍ରୀ ଆକାଂକ୍ଷା କଶ୍ୟପ ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ବକ୍ତୃତା ପ୍ରତିଯୋଗିତାରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଛାତ୍ର ସମ୍ଵିତ ବିଶ୍ଵକେତନ ପ୍ରଥମ ସ୍ଥାନରେ ରହି ପୁରସ୍କୃତ ହୋଇଥିବା ବେଳେ ଏସସିଏସ୍ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ଦେବାଶିଷ ଘୋଷ ଦ୍ଵିତୀୟ ଏବଂ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟ ଛାତ୍ର ସିଦ୍ଧାନ୍ତ ଦ୍ଵିବେଦୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟର କୁଳସଚିବ ଡକ୍ଟର ସାରସ୍ଵତ ମିଶ୍ର ଫାଇଲେରିଆ ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ବିଶ୍ଵବିଦ୍ୟାଳୟର ପବ୍ଲିକ ହେଲଥ୍ ଡିନ୍ ଡାକ୍ତର ପ୍ରଦୀପ କୁମାର ପଣ୍ଡା ସ୍ଵାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଶ୍ଵବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବିଷ୍ଣୁ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏଆଇପିଏଚ୍ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରଭାସ ରଞ୍ଜନ ମିଶ୍ର, କମ୍ପ୍ଟ୍ରୋଲର ଅଫ୍ ଫାଇନାନ୍ସ ଆଲୋକ ଉପାଧ୍ୟାୟ, ବିଭିନ୍ନ ବିଭାଗର ଡିନ୍ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ

Nalco
Leave A Reply