ଡଃ.ଅରୁନ୍ଧତୀ ଦେବୀ : ଶୀତ ଋତର ଶେଷ ମାଘର ପୂର୍ଣ୍ଣମୀକୁ ଅଗିରା ପୂର୍ଣ୍ଣମୀ କହିଥାନ୍ତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଅଗିଜଳା ଏକ ପରିଚିତ ଦୃଶ୍ୟ । ପ୍ରକୃତରେ ଅଗ୍ନୀ ଦେବତାଙ୍କ ପୂଜା ବୈଦିକ ଯୁଗରୁ ରହିଆସିଛି । ବୈଦିକ ଭାଷାରେ – “ଅଗ୍ନୀ ମିଳେ ପୁରୋହିତଂ‘ ତେଣୁ ବେଦରେ ଅଗ୍ନୀ ହେଉଛନ୍ତି ପ୍ରଥମ ଦେବତା । ଓଡ଼ିଆ ଜନଜୀବନରେ ଚିର ପରିଚିତ ଅଗିରା ପୂନେଇଁ ଏକ ପରିଚିତ ଦିନଟି । କେବଳ ଗାଁରେ ନୁହେଁ ସହରରେ ମଧ୍ୟ ଛକ ସ୍ଥାନ ମାନଙ୍କରେ ଧାନ ନଡ଼ା ଏକତ୍ର କରାଯାଇ ଏହାକୁ ପୂଜାର୍ଚ୍ଚନା କରି ଅଗ୍ନୀ ସଂଯୋଗ କରାଯାଇଥାଏ । ଏଥିରେ ବାଇଗଣ ଓ ଅନ୍ୟାନ୍ୟ ପରିବା ପୋଡ଼ି ଖାଇଲେ କିଛି ଚର୍ମରୋଗ ହୋଇନଥାଏ ବୋଲି ଲୋକବିଶ୍ୱାସ ରହିଛି । ଏହିଦିନରୁ ବାଘପରି ମାଘ ମାସର ଶୀତ ବିଦାୟ ନେଇ ବସନ୍ତ ଋତୁର ମୃଦୁ ସମୀରଣ ଭିତରେ ଗ୍ରୀଷ୍ମଋତୁକୁ ସ୍ୱାଗତ କରାଯାଇଥାଏ ।
ଅଗ୍ନି ଦେବତାଙ୍କୁ ପଞ୍ଚାକ୍ଷର ମନ୍ତ୍ରରେ “ଓଁ ଆଗ୍ନେୟ ନମଃ‘ ଉଚ୍ଚାରଣ କରି ଆର୍ଯ୍ୟଋଷି ଜପ କରିଛନ୍ତି । ବୈଦିକ ଅଗ୍ନିଙ୍କ ସ୍ୱରୂପ କଳ୍ପନା କରି ଧ୍ୟାନ କରିଛନ୍ତି – “ସର୍ବଲକ୍ଷଣ ସମ୍ପୂର୍ଣ୍ଣଂ ଜଟାମୁକୁଟ ମଣ୍ଡିତଂ । ଶୁଦ୍ଧଚାମୀକରଭାସଂ ସ୍ମେରାସ୍ୟଂ ମଧୁରାଧରଂ । ପୀତାମ୍ବର ପରିଧାନଂ ଦିବ୍ୟାଭରଣଭୂଷିତଂ ଚନ୍ଦନାଗୁରୁ କପୂରୈ ଶ୍ଚର୍ଚ୍ଚିତଂ ସଗ୍ର ବିଭୂଷିତଂ । ସିତ ପଦ୍ମାସନଂ ଶାନ୍ତିଂ ମେଷାରୁଢ଼ଂ ସ୍ମରୋତ୍ତମଂ । ସୋପବିତଂ ଜଟାମୌଳିମୁଜ୍ଜଳଂ ହାରକଙ୍କଣ÷ଃ । ଚତୁଃଶ୍ରୋତ୍ରଂ ଦ୍ୱିନାସଂଚ ଷଟ୍ ନେନ୍ତ୍ରେଶ୍ଚ ବିରାଜିତଂ । ସପ୍ତହସ୍ତଂ ଚତୁଃଶୃଙ୍ଗ ସପ୍ତଜିହ୍ୱଂ ଦ୍ୱିଶୀର୍ଷକଂ । ତ୍ରିପାଦମଖିଳାନାଂ ଚ ସର୍ବକାମାର୍ଥ ସିଦ୍ଧି ଦଂ । ସ୍ୱାହାତୁଂ ଦକ୍ଷିଣେ ପାଶ୍ୱେର୍ ବାମଭାବେ ସ୍ୱଧା ତଥା । ବିଭ୍ରତଂ ଦକ୍ଷହସ୍ତେତୁଂ ଶକ୍ତିମନ୍ନ ସ୍ରୁବଂ ଶ୍ରୁଚଂ । ଚାମରଂ ବ୍ୟଞ୍ଜନଂ ବାମେ ଘୃତ ପାତ୍ରଂ ଚ ବିଭ୍ରତଂ । ଆତ୍ମାଭି ମୁଖମାସୀନ ମେବଂ ଧ୍ୟାୟେଦ୍ଧୁତାଶନଂ । ଅଗ୍ନିକୁ ଶାନ୍ତ କରିବାକୁ ଯାଇ ଆର୍ଯ୍ୟଋଷି ଗାଇ ଉଠିଥିଲେ – ଓଁ ସମୁଦ୍ରଂଗଚ୍ଛ ସ୍ୱହାନ୍ତରୀକ୍ଷଂ ଗଚ୍ଛ ସ୍ୱାହା, ଦେବଂ ସବିତାରଂ ଚଚ୍ଛ ସ୍ୱାହା, ମିତ୍ରାବରୁଣୌ ଗଚ୍ଛ ସ୍ୱାହା, ଅହୋରାତ୍ରେ ଗଚ୍ଛ ସ୍ୱାହା, ଛନ୍ଦାକଂସି ଗଚ୍ଛ ସ୍ୱାହା, ଦ୍ୟାବା ପୃଥିବୀ ଗଚ୍ଛ ସ୍ୱାହା, ଯଜ୍ଞଂଗଚ୍ଛ ସ୍ୱାହା, ସୋମଂ ଗଚ୍ଛଂ ସ୍ୱାହା, ଦିବ୍ୟଂ ନଭୋଗଚ୍ଛ ସ୍ୱାହା, ଅଗ୍ନ ବେଶ୍ୱାନଂ ଗଚ୍ଛ ସ୍ୱାହା, ମନୋହାର୍ଦ୍ଦି ଗଚ୍ଛଦିବଂ ତେ ଧୂମ ଗଚ୍ଛତୁ ସ୍ୱଂ ଜ୍ୟୋତିଃ ପୃଥିବୀଂ ଭସ୍ମନା ପୃତାସ୍ୱାହା ଇତୀଗ୍ନି ଶାନ୍ତିକରଣଂ । ଭକ୍ତିପୂତ ମାନସରେ ଅଗ୍ନି ଦେବଙ୍କର ପୂଜା କରି ଶେଷରେ ବିସର୍ଜନ କରୁଥିଲେ ଆର୍ଯ୍ୟମାନେ । “ଓଁ ଗଚ୍ଛ ଗଚ୍ଛ ସୁରଶ୍ରେଷ୍ଠଃ ସ୍ୱସ୍ଥାନଂ ପରମେଶ୍ୱର । ଯନ୍ତ୍ରବ୍ରହ୍ମାଦୟୋ ଦେବାସ୍ତତ୍ର ଗଚ୍ଛ ହୁତାଶନଚ୍ଚଂ ଇତି କ୍ଷୀର ଧାରେଣ ଅଗ୍ନି ବିସର୍ଜନଂ । ପରବର୍ତ୍ତୀ କାଳମାନଙ୍କରେ ଏହି ଅଗ୍ନିପୂଜା ଏଡ଼େ ଜଟିଳ ଏବଂ କଷ୍ଟସାଧ୍ୟ ହୋଇପଡ଼ିଛି ଯେ କର୍ମ ମୁଖର ଏବଂ କର୍ମ ଚଞ୍ଚଳ ଜୀବନରେ ମନୁଷ୍ୟ ବିଧିବିଧାନ ମତେ ଯଜ୍ଞ ପ୍ରଭୃତିରେ ଅଗ୍ନି ପୂଜା କରିବା ଅନେକାଂଶରେ ବ୍ୟାହତ ହୋଇଛି । ତଥାପି ଆର୍ଯ୍ୟ ସଭ୍ୟତାରେ ଅଗ୍ନି ଦେବତାଙ୍କର ରହିଛି ସ୍ୱତନ୍ତ୍ର ସ୍ଥାନ ।
