ଭଞ୍ଜନଗର- ପେଟର ଭୋକ ଆଗରେ ହାର ମାନିଛି ବୟସ । କରୋନା ଭୟ ସତ୍ୱେ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ରାସ୍ତାକଡ ବ୍ୟବସାୟକୁ ଆପଣାଇଛନ୍ତି ୮୦ବର୍ଷୀୟା ଏମ. ବୁଧି । କରୋନା ଭୟ କାରଣରୁ ବୃଦ୍ଧବୃଦ୍ଧାମାନେ ଘରୁ ପଦାକୁ ନଆସିବାକୁ ସରକାର ଏବେ ବାରମ୍ବାର ବାରଣ କରୁଥିବାବେଳେ ପେଟର ଭୋକ କିନ୍ତୁ ଏମ୍.ବୁଧିଙ୍କୁ ଘରୁ ପଦାକୁ ଆସିବାକୁ ବାଧ୍ୟ କରିଛି । ଭେଣ୍ଡିଆ ପୁଅ ଆରପାରିକୁ ଚାଲିଯିବାପରେ ବିଧବା ବୋହୁ ଓ ୧୪ ବର୍ଷର ନାତିର ବୋଝ ଏବେ ନିଜ କାନ୍ଧକୁ ଉଠାଇଛନ୍ତି ଏହି ୮୦ବର୍ଷୀୟା ବୃଦ୍ଧା ଏମ୍. ବୁଧି ।
ଘର ଭଞ୍ଜନଗର ମେଦିରି ସାହିରେ । କରୋନା ପ୍ରଭାବରୁ ଅନେକ ଦୋକାନ ବଜାର ଦୀର୍ଘ ୪୫ ଦିନ ବନ୍ଦ ରହିଛି । ଫଳରେ ଘର କୋଣରେ ରହି ପରିବାର ଚଳାଇବା କଷ୍ଟକର ହୋଇପଡିଛି । ଏଭଳିସ୍ଥିତିରେ ସେ ବାଧ୍ୟହୋଇ ବାଉଁଶରେ ତିଆରି କୁଲା, ବି‚ଣା, ପୂଜାଥାଳି, ପରିବା ଡାଲା, ଚାଙ୍ଗୁଡି, ଫୁଲତୋଳା ଆଦି ବିଭିନ୍ନ ସାମଗ୍ରୀ ଭଞ୍ଜନଗର ବଜାରକୁ ଆଣି ବିକିବାସହ ଏଥିରୁ ମିଳୁଥିବା ଲାଭରେ ନିଜ ପରିବାରର ୩ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଡ କରୁଛନ୍ତି । ଭଞ୍ଜନଗର ଥାନା ଛକରେ ସକାଳୁ ସକାଳୁ ବୃଦ୍ଧା ଏମ୍. ବୁଧି ନିଜ ବାଉଁଶପାତିର ଏହିସବୁ ଜିନିଷ ବିକ୍ରି କରିବାକୁ ବସିଥିବା ଦେଖିବାକୁ ମିଳିଥିଲା । ଆଉ ବୃଦ୍ଧାଙ୍କ ସହ କଥାବାର୍ତ୍ତାବେଳେ ତାଙ୍କର ଦୁଃଖ କାହାଣୀ କହିଥିଲେ ବୁଧି । କେଉଁକାଳରୁ ବୁଢା ଆରପାରିକି ଚାଲିଗଲାଣି । ଆଉ ଭେଣ୍ଡିଆ ପୁଅକୁ ୧୫ ବର୍ଷ ତଳେ ବାହା କରାଇଥିଲେ ।
୨ ଝିଅଙ୍କ ବାହାଘର ମଧ୍ୟ ସେ କରିଛନ୍ତି । ଝିଅମାନେ ଶାଶୁଘରେ ଭଲରେ ଅଛନ୍ତି । ପୁଅବୋହୁଙ୍କୁ ନେଇ ତାର ସୁନାର ସଂସାର ଚାଲିଥିବାବେଳେ ହଠାତ୍ ଏଥିରେ ଜବନିକା ପଡିଥିଲା । ମାତ୍ର ୪ବର୍ଷର ନାତିକୁ ଛାଡି ପୁଅ ମୋର ରୋଗରେ ପଡି ମୃତ୍ୟୁବରଣ କରିଥିଲା । ବୋହୁ ଓ ନାତିର ମନବଳ ଭାଙ୍ଗି ପଡିଥିବାବେଳେ ବୃଦ୍ଧା ବୁଧି ସେମାନଙ୍କୁ ସାହାସ ଯୋଗାଇ ନିଜେ ସେମାନଙ୍କ ସମସ୍ତ ଭାର କାନ୍ଦରେ ଉଠାଇବାକୁ ପଣ କରିଥିଲେ । ଆଉ ଏବେ ଅଶୀ ବର୍ଷ ବୟସରେ ସେ ଆଦୌ ଭାଙ୍ଗି ନପଡି ବୋହୁ ଓ ନାତି ପାଇଁ ନିଜ ମନକୁ ଟାଣକରି ରାଜରାସ୍ତାକୁ ଓଲ୍ଲାଇଛନ୍ତି । ଶାଶୁ ଓ ବୋହୁ ମିଶି ଘର ଆଗରେ ବାଉଁଶ ପାତିରୁ ବିଭିନ୍ନ ସମଗ୍ରୀ ପ୍ରସ୍ତୁତ କରନ୍ତି ।
ଆଉ ପରେ ଏହାକୁ ସେ ନିଜେ ବଜାରକୁ ଆଣି ବିକ୍ରି କରିଥାନ୍ତି । ବୁଧିଙ୍କ ସୁଚନା ପ୍ରକାରେ ସରକାରଙ୍କ ପକ୍ଷରୁ ତାକୁ ୫ଶହ ଟଙ୍କା ମିଳୁଛି । ବୋହୁକୁ ବି ମିଳୁଛି ବିଧବା ଭତ୍ତା । ରାସନକାର୍ଡରେ ଚାଉଳ ମିଳୁଛି । ଆଉ ବାଉଁଶ ସାମଗ୍ରୀ ବିକି୍ରକରି ସେଥିରୁ ମିଳୁଥିବା ଦିପଇସାରେ ପରିବାରର ଗୁଜୁରାଣ ମେଣ୍ଟାଇବାରେ ସେଭଳି କିଛି ଅସୁବିଧା ହେଉନାହିଁବୋଲି କହନ୍ତି ବୃଦ୍ଧା ବୁଧି । ଏବେ କରୋନା ଭୟ । ଚାରିଆଡେ ଭୟର ବାତାବରଣ । ଲୋକମାନେ ଘରୁ ବାହାରୁନାହାନ୍ତି । ବଜାର ସଂପୂର୍ଣ୍ଣ ଖାଁ ଖାଁ ।
ତେବେ ପେଟର ଭୋକ ଆଗରେ ଭୟର ବାତାବରଣ ତାର ବାଟ ଓଗାଳି ପାରୁନି । ବାଧ୍ୟହୋଇ ସେ ବଜାରକୁ ବାଉଁଶ ସାମଗ୍ରୀ ଧରି ଆସିବାସହ ବିକ୍ରି ବଟା କରି ଶେଷରେ ଘରକୁ ଫେରନ୍ତିବୋଲି କହିଛନ୍ତି ଏମ୍. ବୁଧି । ବାସ୍ତବରେ ଆଜିର ଯୁବପିଢୀଙ୍କ ପାଇଁ ବୃଦ୍ଧା ବୁଧି ଏକ ଜ୍ୱଳନ୍ତ ଉଦାହରଣ । ବୟସର ଅପରାହ୍ନରେ ବି ହାର ନମାନି ସେ । ୮୦ବର୍ଷ ବୟସରେ ନିଜ ପରିଶ୍ରମକୁ ଉଦଜୀବିତ ରଖି ଅନ୍ୟମାନଙ୍କ ପାଇଁ ବାସ୍ତବରେ ଏକ ପ୍ରେରଣା ଉତ୍ସ ପାଲଟି ଯାଇଛନ୍ତି ।