ଆଗରପଡ଼ା : ଗୁରୁବାର ସନ୍ଧ୍ୟାରେ ପାଟକନା, ରାଉତରାପୁର ଓ ମହାନ୍ତିପଡ଼ାକୁ ହାତୀ ଆସିବା ପରେ ଉପରୋକ୍ତ ୩ ଗୋଟି ଗ୍ରାମ ସମେତ ସମଗ୍ର ଆଗରପଡ଼ା ଅଞ୍ଚଳରେ ବିଦୁ୍ୟତ ବିଛିନ୍ନ କରାଯାଇଥିଲା । ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଆଜି ଆଗରପଡ଼ା ଥାନାଧିକାରିଣୀ ସୁକାନ୍ତି କେରେଇଙ୍କ ଆବାହତ୍ୱରେ ଉପରୋକ୍ତ ସମସ୍ୟାର ସମାଧାନ ନେଇ ବୈଠକ ଡ଼କା ଯାଇଥିଲା ।
ଏଥିରେ ଭଦ୍ରକ ରେଞ୍ଜର ରଞ୍ଜିତ ମହାନ୍ତି, ନେସ୍କୋ ବିଦୁ୍ୟତ ବିଭାଗର ନିର୍ବାହୀ ଯନ୍ତ୍ରୀ ରଶ୍ମିକାନ୍ତ ବେହେରା, ସହକାରୀ ଯନ୍ତ୍ରୀ ବିଜୟ କୁମାର ମହାନ୍ତି, ଜେଏମ ମନୋରଞ୍ଜନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ସାଂସଦଙ୍କ ପ୍ରତିନିଧି ଶ୍ରୀନାଥ ମହାନ୍ତି, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ସାମ୍ବାଦିକ ହେମନ୍ତ ସିଂହ, ସମିତି ସଭ୍ୟ ଭୀଷ୍ମେଶ୍ୱର ଦାସ, ଶିଳ୍ପଦ୍ୟୋଗୀ ତପନ ସିଂହ, ସତ୍ୟସାଧନ ବେଜ, ପ୍ରକାଶ ବିଶ୍ୱାଳ, ବିଷ୍ଣୁ ପ୍ରସାଦ ସାହୁ, ନିର୍ମଳ ନାୟକ ଓ ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ତେବେ ହାତୀକୁ ସୁରକ୍ଷାଦେବା ନିମନ୍ତେ ସମଗ୍ର ଅଞ୍ଚଳରୁ ବିଦୁ୍ୟତ ବିଛିନ୍ନ ନକରି ଯେତେବେଳେ ଯେଉଁ ଗ୍ରାମରେ ହାତୀ ରହୁଛି ସେହି ସମୟତକ ସେହି ଗ୍ରାମରେ ବିଦୁ୍ୟତ ବିଛିନ୍ନ କରିବାକୁ ଗ୍ରାମବାସୀମାନେ କହିିଥିଲେ । ତେବେ ପ୍ରତିବର୍ଷ ନିକଟସ୍ଥ ହଦଗଡ଼ ଜଙ୍ଗଲରୁ ନିର୍ଦ୍ଧିଷ୍ଟ ଭାବେ ଦୁଇଟି ଦନ୍ତା ହାତୀ ସଂପୃକ୍ତ ଅଞ୍ଚଳକୁ ପଶି ଆସି ବାରମ୍ବାର କ୍ଷତି କରୁଥିଲେ ବି ଏହାର ସ୍ଥାୟୀ ପ୍ରତିକାର ହୋଇପାରି ନାହିଁ । ଏଥିପ୍ରତି ଉଭୟ ବିଭାଗର ଉଚ୍ଚ ଅଧିକାରୀ ଦୃଷ୍ଟିଦେଇ ସ୍ଥାୟୀ ସମାଧାନ କରିବାକୁ ଲୋକେ ଦାବୀ କରିଛନ୍ତି ।