Odisha news

ସରିଲା ସଙ୍ଗରୋଧ ଅବଧି , ବସଯୋଗେ କୁଲାଡରୁ ୫୫ ପ୍ରବାସୀ ଓଡିଆ ଘରକୁ ଫେରିଲେ

0

ଭଞ୍ଜନଗର : ସରିଲା ସଙ୍ଗରୋଧ ଅବଧି । ୨୧ ଦିନ ସଙ୍ଗରୋଧରେ ରହିବାପରେ ଗୁରୁବାର ଭଞ୍ଜନଗର ବ୍ଲକର କୁଲାଡ ସଙ୍ଗରୋଧ କେନ୍ଦ୍ରରେ ଥିବା ମୋଟ ୧୦୭ ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରୁ ଗୁରୁବାର ସନ୍ଧ୍ୟାରେ ଏକ ବସଯୋଗେ ୫୫ଜଣଙ୍କୁ ନିଜ ନିଜ ଘରକୁ ପଠାଯାଇଥିବାବେଳେ ବଳକା ୫୨ଜଣ ପ୍ରବାସୀ ଓଡିଆ ଶୁକ୍ରବାର ଭୋରରୁ ବସଯୋଗେ ନିଜ ନିଜ ଘରକୁ ଫେରିବେବୋଲି ବିଡିଓ ଅନୀଲ କୁମାର ସେଠୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନାପ୍ରକାରେ ବିଶ୍ୱ ମହାମାରୀ କରୋନା ପ୍ରଭାବରୁ କାମଧନ୍ଦା ବନ୍ଦ ହୋଇଯିବାପରେ ସୁରାଟରେ ରହିଥିବା ବହୁ ପ୍ରବାସୀ ଓଡିଆ ବସ ଯୋଗେ ପ୍ରଥମ ଦଫାରେ ଓଡିଶା ଫେରିଥିଲେ ।

ଏମାନଙ୍କ ମଧ୍ୟରୁ ପ୍ରଥମ ୨ଟି ବସରେ ସୁରାଟରୁ ଆସିଥିବା ୧୦୭ଜଣ ପ୍ରବାସୀ ଓଡିଆଙ୍କୁ ଭଞ୍ଜନଗର ବ୍ଲକର କୁଲାଡ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ତେବେ କୁଲାଡ କବିସମ୍ରାଟ ବିଦ୍ୟାପୀଠରେ ଥିବା ଏହି ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀମାନେ ସରକାରୀ ନୀତିନିୟମ ମାନି ଶାନ୍ତିଶୃଙ୍ଖଳାର ସହ ଏଠାରେ ୨୧ ଦିନ ଅତିବାହିତ କରିଥିଲେ । ଏହି ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧିମାନେ ବେଶ ନିଷ୍ଠା ଦେଖାଇଥିଲେ । ଖାଦ୍ୟର ଗୁଣବତ୍ତା ମଧ୍ୟ ଏଠାରେ ବେଶ ଉଚ୍ଚକୋଟୀର ରହିଥିଲା । ଏଣୁ ଜିଲ୍ଲାପାଳ ବହୁବାର ଏହି କେନ୍ଦ୍ର ଗସ୍ତରେ ଆସି ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧିଙ୍କୁ ଭୂୟଶୀ ପ୍ରଶଂସା କରିଥିଲେ ।

ଗୁରୁବାର କୁଲାଡ ହାଇସ୍କୁଲରୁ ବସଯୋଗେ ସଙ୍ଗରୋଧ କେନ୍ଦ୍ରରୁ ଘର ବାହୁଡା ହେଉଥିବା ସମସ୍ତ ଅନ୍ତେବାସୀଙ୍କୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ ଅନୀଲ କୁମାର ସେଠୀ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, କୁଲାଡ ସରପଞ୍ଚ ପ୍ରକାଶ ପାଣିଗ୍ରାହୀ, କୁଲାଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଯୋଧ୍ୟାନାଥ ସାହୁ, ସହକାରୀ ଶିକ୍ଷକ ଗୌରୀନନ୍ଦନ ହୋତାଙ୍କ ସମେତ ସମସ୍ତ ଶିକ୍ଷକ ଓ ବ୍ଲକ ଷ୍ଟାପଙ୍କ ଉପସ୍ଥିତିରେ ସଙ୍ଗରୋଧ କେନ୍ଦ୍ର ଛାଡିଥିବା ସମସ୍ତ ପ୍ରବାସୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବାସହ ଘରେ ୭ଦିନ ହୋମ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେଇ ଛାଡି ଦିଆଯାଇଥିଲା । ଏଠାରେ ଥିବା ଅନ୍ୟ ୫୨ଜଣ ପ୍ରବାସୀ ଓଡିଆ ଶୁକ୍ରବାର ଭୋରରୁ ନିଜ ନିଜ ଘରକୁ ବସଯୋଗେ ଫେରିବେ । ଏଥିପାଇଁ ମଧ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଶେଷ ହୋଇଥିବା ବିଡିଡ ଅନୀଲ କୁମାର ସେଠୀ ସୁଚନା ଦେଇଛନ୍ତି ।

Leave A Reply