ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ଶରତ ସୁରାଟରୁ ଆସିବା ଦୁଇମାସେ ହେଲାଣି । ସାନଭାଇର ତିନିଟା ଛୁଆ ସାଙ୍ଗରେ ନିଜର ଦୁଇଟା ଛୁଆ ମିଶେଇ ସମୁଦାୟ ପାଂଚଜଣ । ଘରେ ରହିଲେ ଛୁଆଙ୍କୁ ବେଶୀ ଭୋକ । ଦିନରେ ଓଳି କି ଓଳି ଚାରିଥର ଖାଇବାକୁ ମାଗୁଛନ୍ତି । ବାଢିବାଢି ଶରତର ସ୍ତ୍ରୀ ରିନା ଚିଡି ଯାଉଛି । ରୋଜଗାର ନଥିବାକୁ ପିଲାଙ୍କର ଉତ୍ପାତ । ସାନଭାଇ ଭରତ ଗାଁରେ ରହି ଚାଷବାସ କାମ ଦେଖୁଥିଲା । ଶରତ ସୁରାଟର ଗୋଟିଏ ସୂତାକଳରେ ମେସିନ୍ ଅପରେଟର ଥିଲା । ମାସକୁ ଦରମା ପାଉଥିଲା ପଚିଶ ହଜାର, ଓଭର୍ଟାଇମ୍ ଦିନକୁ ଚାରିଘଂଟା କରିଦେଲେ ଦରମାରେ ହାତ ମାରିବାକୁ ପଡେନି । ଚାଷବାସରୁ ଯାହା ଆମଦାନି ହୁଏ ଭରତର ପିଲାପିଲି ସହ ବାପା ମାଆଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ ସବୁ ବନ୍ଧୁବାନ୍ଧବ କାମନିମନ୍ତ ଭାରବେଭାର ବି ଚଳିଯାଏ । ଶରତକୁ ଅବକାରି ଜିନିଷ ଟିକେ ବେଶି ପ୍ରିୟ । ହଁ ହବନି କାହିଁକି! ଦିନଯାକ ପରିଶ୍ରମ କରି ରାତିକୁ ଟିକେ ନିଶାପାଣି ନକଲେ ତାକୁ ନିଦ ଭଲ ହୁଏନି । କିନ୍ତୁ ସ୍ତ୍ରୀ ହାତରେ ଏଟିଏମ୍ କାର୍ଡ ।
ରିନା ପ୍ରତି ସପ୍ତାହାନ୍ତରେ ଶରତକୁ ମାତ୍ର ଦୁଇଶହ ଟଙ୍କା ବାଜେଖର୍ଚ୍ଚ କରିବାକୁ ଦିଏ । ବାକିଦିନ ଶରତ ସଉଦାପତ୍ର କି ହାଟରୁ ପନିପରିବା କିଣିବାକୁ ଯାହା ରିନାଠାରୁ ନିଏ ସେଥିରୁ କିଛି ବଂଚେଇ ସନ୍ଧ୍ୟାବେଳ ଖର୍ଚ୍ଚ ଉଠାଏ ଯେ ହେଲେ ସବୁଦିନେ ଏହା ସମ୍ଭବ ହୁଏନି । ଏବେ ଏ କରୋନା ମହାମାରି ପାଇଁ ସବୁ ବନ୍ଦ । ସବୁ ସୂତା କାରଖାନାରେ ତାଲା ପଡିଛି । ସୁରାଟର ଓଡିଆ ବସ୍ତି କ୍ରିଷ୍ଣାନଗରରେ କୁଆ ଉଡୁଛି । ଯେଉଁଠି ଗଣେଷପାନ ଦୋକାନର କାରବାର ଦିନକୁ ତିନିହଜାର ଟଙ୍କା ଥିଲା, ବାଙ୍କସାହୁ ବରାପିଆଜିରୁ କୋଠା ବାଡେଇଥିଲା, ନନା ତାଟିହୋଟେଲ୍ରେ ଖାଇବାକୁ ଅଧଘଂଟା ଲାଇନ୍ ଲାଗୁଥିଲା, ଆଜି କିନ୍ତୁ ସବୁ ନିସ୍ତବ୍ଧ । କେହି ବୋଲେ କେହି ନାହିଁ । ହଠାତ୍ ଜନଶୂନ୍ୟ ହୋଇଗଲା । ବହୁଦିନ ତଳେ ୧୯୯୪ ମସିହାରେ ସୁରାଟରେ ଏମିତି ଦିନେ ପ୍ଲେଗ୍ରୋଗ ବ୍ୟାପିବାରୁ କେବଳ ମାସକ ପାଇଁ ଏପରି ଅଚଳ ଅବସ୍ଥା ଆସିଥିଲା । କିନ୍ତୁ ତା’ପରେ ସଅଳ ନିୟନ୍ତ୍ରଣ ହୋଇ ସୁରାଟ ଦେଖୁଦେଖୁ ସବୁଠାରୁ ପରିଷ୍କାର ପରିଚ୍ଛନ୍ନ ସହର ଭିତରେ ଗଣାହେଲା । ସମସ୍ତେ କାମକୁ ଫେରି ଆସିଲେ, ପୁଣି ଦିନରାତି କଳ କାରଖାନା ଚାଲିବାରୁୁ ସବୁକିଛି ସାମାନ୍ୟ ହୋଇ ସୁରାଟ ଦୌଡିବାକୁ ଆରମ୍ଭ କଲା ।
ଏବେକାର ସମସ୍ୟା ଅଦ୍ଭୁତପୂର୍ବ । ଶରତ ଉପରେ ଏଗାର ଜଣଙ୍କର ବୋଝ । ତିନିଓଳି ପେଟପୁରା ଖାଇପିଇ ବଂଚିବା ଚିନ୍ତା ଘାରୁଛି । ବିଗତ ଦଶବର୍ଷରେ ଦୁଇଭାଇ ଯାହକିଛି ସଂଚିଥିଲେ ସବୁଟଙ୍କା ଖର୍ଚ୍ଚକରି ଛାତଘର ଦୁଇବଖରା ତୋଳୁଥିଲେ । ଏବେ ଲିନିଟଲ୍ ଉପରକୁ ପଥର ଗଢାଯାଇଛି । କିନ୍ତୁ ଛାତ ପଡିନି କି ଆଉ ପଡିଲା ଭଳି ଲାଗୁନି । ଶରତ ଭାବିଥିଲା ଗତ ମାର୍ଚ୍ଚମାସରେ ବୋନସ୍ ସହ ମିଲ୍ ମାଲିକଙ୍କଠାରୁ କିଛି ଅଗ୍ରୀମ ଟଙ୍କା ମାଗି ଘର ଦି’ବଖରା ସମ୍ପୂର୍ଣ୍ଣ କରିଥାନ୍ତା । ବୋନସ୍ କଥା ଛାଡ, ବାକି ଦରମା ବି ପୁରା ମିଳିଲାନି । ଭରତ ତା’ପିଲାଛୁଆଙ୍କ ସହ ଯେମିତି ସେମିତି ଆଡ୍ଜଷ୍ଟ କରୁଥିଲା । ଏବେ ଶରତ ପରିବାର ଆସିବାରୁ ରୋଜଗାରିଆ ବଡଭାଇକୁ ଏକମାତ୍ର ଶୋଇବା ଚାଳଘର ଭରତ ଛାଡିଦେଇ ସେ ନୂଆଘରେ ପାଲଟାଣି ରହୁଛି । ବାପା ବରଣ୍ଡାରେ ଶୋଉଛନ୍ତି ଓ ମା ରୋଷଘର ଚାଳିଆରେ କାନିପାରି ରାତି ବିତାଉଛି ।
ସରକାରଙ୍କ ତରଫରୁ ଫନି ବାତ୍ୟା ବେଳେ ମିଳିଥିବା ତାରପୋଲିନ୍ ପାଲରୁ ଦୁଇଖଣ୍ଡ ଭରତ ସେହି ଅଧାଗଢାଘର କାନ୍ଥରେ ବାଉଁଶ ସାହାଯ୍ୟରେ ବାନ୍ଧି, ତା’ରି ତଳେ ନିଜ ଭାରିଜା ପିଲାଛୁଆଙ୍କ ସାଙ୍ଗରେ ଶୋଉଛି । ଏସବୁ ସମସ୍ୟା ଏତେ ବଡ ନୁହେଁ । ବଡ ସମସ୍ୟା ହେଲା ପେଟ । ଆରମାସରୁ ବାପା ମାଆଙ୍କର ଔଷଧ ବନ୍ଦ ହୋଇଛି । କ୍ଷୀର ଚା’ ବଦଳରେ ନିକାସିନି ଲୁଣ ପକେଇ ପିଉଛନ୍ତି । ଛୁଆମାନଙ୍କୁ ଚାରିଓଳିରୁ ତିନି ଓଳି ଖାଇବାକୁ ଦେଇ ଛଅଜଣ ବଡଲୋକ ଦୁଇଓଳି ଖାଉଛନ୍ତି । ରିନା ପାଠ ପଢିଛି । ଶରତକୁ ସାହାଯ୍ୟ କରିବାକୁ ଭାବି ଟୁ୍ୟସନ୍ ପିଲା ଖୋଜୁଛି ଯେ ସୁରାଟରୁ ଫେରିଛନ୍ତି ବୋଲି କରୋନା ଡରରେ କେହି ତା’ଙ୍କ ଛୁଆକୁ ପଠେଇବାକୁ ରାଜି ହେଉନାହାନ୍ତି । ଶରତର ଆର୍ଥôକ ଅନାଟନ ଅବସ୍ଥା ଦେଖି କେତେଜଣ କହିଲେଣି ମୂଲିଆ କାମ କର । କିନ୍ତୁ ଶରତକୁ ଗାଁରେ ମୂଲ ଲାଗିବାକୁ ଲାଜ ଲାଗୁଛି । ଯେଉଁମାନେ ତା’ର ବୋଲହାକ କରି ସାର୍ସାର୍ କହୁଥିଲେ, ସେହିମାନଙ୍କ ସାଙ୍ଗରେ ଅନ୍ୟର ବିଲକୁ ମୂଲିଆ ହିସାବରେ ଯାଇ ତଳି ରୋଇ ସନ୍ଧ୍ୟାରେ ଦୁଇଶହ ଟଙ୍କା ମୂଲ ଆଣିବାକୁ ବିବେକ ବାଧା ଦେଉଛି । ଗତବର୍ଷ ମୂଲିଆ ମଜୁରୀ ଥିଲା ଅଢେଇଶହ ଟଙ୍କାରୁ ତିନିଶହ ଟଙ୍କା ।
ସେଥିରେ ଲୋକଙ୍କୁ ବହୁତ ଖୋସାମତ କରିବାକୁ ହେଉଥିଲା, ତଥାପି ଦରକାର ମୁତାବକ ଲୋକ ମିଳୁନଥିଲେ । ଆଜି ବାହାର ରାଜ୍ୟରୁ ପାଂଚଲକ୍ଷ ଦାଦନ ଓଡିଶା ଫେରିଛନ୍ତି ବୋଲି ସରକାର କହୁଛନ୍ତି । ପ୍ରକୃତ ସଂଖ୍ୟା କାହାପାଖରେ ନାହିଁ । କାରଣ ଜଳ ସ୍ଥଳ ଦେଇ କେତେ କୋଉ ବାଟରେ କେତେ କେତେ ଆସିଛନ୍ତି କିଏ ଜାଣିଛି! ଦୁଇ ତିନିଟା ଡଙ୍ଗା ଧରିଥିଲେ, ତା ଭିତରୁ ଅଧାବାଟରେ ଅଧା ଓହ୍ଲାଇ ଯାଇଥିଲେ । ସକାଳୁସକାଳୁ ଗାଁ ଛକରେ ମଣିଷ ହାଟ ଦେଖିବାକୁ ମିଳୁଛି । ଦୁଇଶହରେ କାମ କରିବାକୁ ବାଡିଆବାଡି ହେବା ଦେଖି ଜମିଦାରମାନେ ଭାବୁଛନ୍ତି ବେଉଷଣ କି ଫସଲ ଅମଳ ବେଳକୁ ଦେଢଶହ ଟଙ୍କା ଲେଖା ମଜୁରୀ ଦେବେ । ତଥାପି ଖଟିବା ଲୋକ ହାଉଯାଉ । କାମ ନାହିଁ ଯେତେବେଳେ, ପେଟ ପୋଡିଗଲେ ଉପାୟ କଣ!
ଭରତର ଚିନ୍ତା ନାହିଁ, ଘର କଥା ବଡଭାଇ ଭାଉଜ ବୁଝିବେ । ବାପା ବିମ୍ବାଧର କାଲି ବୋହୁ ରିନାକୁ ଡାଲ୍ମା ପାଟିକୁ ସୁଆଦିଆ ଲାଗୁନି ବୋଲି କହିଲେ । ରିନା ରାଗିଯାଇ ପଚାରିଲା,- ‘କ’ଣ ଲାଗୁଛି?’ – ‘ଭଲ ଲାଗୁନି । ଖାଲି ଭାତ ସାଙ୍ଗରେ ତ ଡାଲ୍ମାଗିନାଏ ଦେଉଛ । ନ’ଭଜା ଛ’ତିଅଣ ଅଛି ଯେ ଅନ୍ୟ କିଛି ଲଗେଇ ଭାତ ଖାଇହେବ! ବିଲାତି ବାଇଗଣ ଟିକେ ଡାଲ୍ମାରେ ପକେଇଲେ ଖଟାଖଟା ସ୍ୱାଦ ଭଲଲାଗେ ।’ ଏତିକି ଶୁଣିଲା ପରେ ରିନାର ପିତ ମୁଣ୍ଡକୁ ଉଠିଗଲା । ବଡପାଟିରେ ସମସ୍ତଙ୍କୁ ଶୁଣେଇ ଶୁଣେଇ ବୁଢାକୁ କହିଲା,
– ‘କୁମ୍ଭୀର ନେଇ ମଝିନଈରେ କଲାଣି, ତୁମକୁ ଲାଗୁଛି ମେଘ ଦୁଲୁକୁଛି! ଆର ସପ୍ତାହକୁ ତତଲା ଭାତ ସାଙ୍ଗରେ ଡାଲ୍ମା ଖାଇବା ଭୁଲିଯାଅ । ବଗଡାଚାଉଳ ହାଣ୍ଡିଏ ରାନ୍ଧି ପଖଳା ହେବ । ସାଙ୍ଗରେ ଲୁଣ, ଲଙ୍କା ସହ ଲେମ୍ବୁ ଦଳି ଖାଇବାକୁ ହେବ । ପୁଅମାନଙ୍କ ରୋଜଗାର ନାହିଁ ବୋଲି କ’ଣ ତୁମକୁ କହିବାକୁ ପଡିବ! ବିଲାତି ବାଇଗଣ କିଲୋ ଶହେ ଟଙ୍କା, ବାଇଗଣ କିଲୋ ଷାଠିଏ । କୌଣସି ପରିବା କିଲୋ ପଚାଶଟଙ୍କା ତଳେ ନାହିଁ । ଜିଭକୁ ବୁଝେଇ ଦିଅ, ଯାହା ମିଳୁଛି ସେଇଆ ଖାଇ ବଂଚିବାକୁ ଚେଷ୍ଟାକର । କରୋନା ଭୂତାଣୁର ଔଷଧ କି ଟୀକା ବାହାରିଲା ପରେ ଆମେ ସୁରାଟ ଫେରିଲେ ଯାଇ ତୁମେ ଚିକଣ ଖାଇବ ।’
ବିମ୍ଭାଧର ମନମାରି ଖାଇଦେଇ ରାସ୍ତାକଡ ବରଗଛ ତଳ ଚାନ୍ଦିନିକୁ ଆସି ଗାମୁଛାପରି ଲମ୍ବିଗଲେ । ଜଣେ ଅଧ୍ୟାପକ ସାଇକେଲ୍କୁ ଚାନ୍ଦିନିରେ ଡେରିଦେଇ ବିମ୍ଭାଧର ପାଖକୁ ଆସି ଛାଇରେ ଥକାମେଂଟାଇବା ଉଦେ୍ଦଶ୍ୟରେ ବସିବା ପରେ ଦୁହେଁ ସମୟ କାଟିବାକୁ କଥାବାର୍ତ୍ତା ଆରମ୍ଭ କଲେ । ବିମ୍ବାଧରଙ୍କର କହିବା କଥା ହେଲା, – ‘ଆମ ଓଡିଶାରାଜ୍ୟର ବିକାଶ ଗତି ଏତେ ଧିମା କାହିଁକି? ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ, ହରିୟାନା ଓ ଚେନାଇ ଆଦି ରାଜ୍ୟରେ ପ୍ରାୟ ଦଶଲକ୍ଷରୁ ଉର୍ଦ୍ଧ ଓଡିଆ ଯୁବକ କାମ କରୁଥିଲେ । ସେମାନଙ୍କ ଭିତରୁ ଅର୍ଦ୍ଧାଧିକ କରୋନା ଯୋଗୁଁ ଗାଁ ଭୂଇଁକୁ ଏବେ ଫେରିଛନ୍ତି । ଏମାନଙ୍କ ହାତକୁ ସରକାର ଶୀଘ୍ର କିଛିନା କିଛି କାମର ବନେ୍ଦାବସ୍ତ ନକଲେ ଅପରାଧ ମାମଲା ଏତେ ବଢିବ ଯେ ନିୟନ୍ତ୍ରଣ କରିବା କଷ୍ଟକର ହେବ । ପ୍ରାକୃତିକ ସମ୍ପଦର ଓଡିଶାରେ କିଛି ଅଭାବ ନାହିଁ । ଭାରତରେ ପୃଥିବୀର ଏକଚତୁର୍ଥାଂଶ ଲୁହାପଥର ଗଚ୍ଛିତ ଅଛି ଏବଂ ତନ୍ମଧ୍ୟରୁ ଅର୍ଦ୍ଧାଧିକ ଆମ ଓଡିଶା ରାଜ୍ୟରେ ଅଛି । ଏସବୁ ଲୁହାପଥର ଅତି ଉନ୍ନତ ମାନର, ପ୍ରାୟ ଶତକଡା ଷାଠିଏଭାଗରୁ ଅଧିକ ଲୁହା ମିଳୁଥିବାରୁ ଆମପଥରକୁ ହେମାଟାଇଟ୍ କୁହାଯାଏ । କେନ୍ଦୁଝରର ଦଇତାରୀ, ବୋଲାନି ଓ ଗନ୍ଧମାର୍ଦ୍ଦନ, ଟମକା କିରିବୁରୁ, ସୁନ୍ଦରଗଡର ବଣାଇ, କୋରାପୁଟର ହୀରାପୁର, କଟକର ସୁକିନ୍ଦା, ମୟୁରଭଞ୍ଜର ବାଦାମପାହାଡ, ଗୋରୁମହିଷାଣି ପରି ଅନେକ ଜାଗାରେ ଏପରି ଖଣିଜ ସମ୍ପଦ ଭରପୁର ରହିଛି । କଟକ, ଢେଙ୍କାନାଳ ଓ କେନ୍ଦୁଝରରେ ଅପର୍ଯ୍ୟାପ୍ତ କୋ୍ରମାଇଟ୍ ଖଣି ରହିଛି ।
ସେଥିପାଇଁ କୋ୍ରମାଇଟ୍ ଉତ୍ପାଦନରେ ଓଡିଶା ଭାରତରେ ପ୍ରଥମ । ଭାରତରେ ସମ୍ପୂର୍ଣ୍ଣ ମାଙ୍ଗାନିଜ୍ ଭଣ୍ଡାରର ଦୁଇ ତୃତୀୟାଂଶ ଓଡିଶାରେ ମହଜୁଦ୍ । କେନ୍ଦୁଝରର ଜୋଡା, ବଡବିଲ, ବଲାଙ୍ଗୀର୍, କୋରାପୁଟ୍, ସୁନ୍ଦରଗଡ, କଳାହାଣ୍ଡି ଜିଲ୍ଲା ମାଙ୍ଗାନିଜ ଖଣିପାଇଁ ସୁପ୍ରସିଦ୍ଧ । ତାଳଚେର୍ ଓ ସମ୍ବଲପୁରରେ ପ୍ରକୃତି ମାଆର କୋଇଲା ଭଣ୍ଡାର ବିଷୟରେ ବିଶ୍ୱ ଜାଣେ । ଢେଙ୍କାନାଳ, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର୍ ପରି କେତେକ ଜାଗାରେ ପ୍ରଚୁର ପରିମାଣରେ ଗ୍ରାଫାଇଟ୍ ଅଛି, ଯାହାକି ପେନସିଲ୍ର ଲିଡ୍, ଛାଂଚ ସହ ପରମାଣୁ ଶକ୍ତିର ଉତ୍ପାଦନ ପାଇଁ ବ୍ୟବହୃତ ହୁଏ । ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ବକ୍ସାଇଟ୍ ଖଣି ମଧ୍ୟ ରହିଛି । ଏଥିରୁ ଆଲୁମିୟମ୍ ପ୍ରସ୍ତୁତ କରାଯାଇଥାଏ । ରୋଷେଇଘର ବାସନ କୁସନରୁ ପ୍ରତିରକ୍ଷା ବିଭାଗର ବଡବଡ ଯୁଦ୍ଧଜାହାଜ ନିର୍ମାଣରେ ଏହାର ଆବଶ୍ୟକତା ରହିଛି । ବିରମିତ୍ରପୁର, ହାତୀବାଡି, କୋଟପାଡ ଓ ଡୁଙ୍ଗ୍ରୀ ଆଦିଜାଗାରେ ଉକôୃଷ୍ଟ ଚୂନପଥର ଖଣି ରହିଛି । ଏହାଛଡା ଡୋଲାମାଇଟ୍, ନିକେଲ, ଚୀନାମାଟି, ସୀସା ଓ ଅଭ୍ରର ମଧ୍ୟ ଅନେକ ଖଣି ଓଡିଶାରେ ଅଛି । ଏତେ ସବୁଥାଇ ଏପର୍ଯ୍ୟନ୍ତ ଆମ ଓଡିଶା ଏତେ ପଛରେ କାହିଁକି? କାହିଁକି ଏପର୍ଯ୍ୟନ୍ତ ଶିଳ୍ପ ସମୃଦ୍ଧ ନୁହେଁ? କାହିଁକି ରାଜ୍ୟର ଅଧିକାଂଶ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି? ଜାଗା ଅଛି, ଶ୍ରମିକ ଅଛନ୍ତି, କଳକାରଖାନା ପାଇଁ କଚ୍ଚାମାଲ୍ ସହ ଈନ୍ଧନଶକ୍ତି ପାଇଁ କୋଇଲା ବି ଭରପୁର ମିଳିବ । ତଥାପି ଆଜି ଆମେ ଏତେ ଅସହାୟ କାହିଁକି!
ଆଜିର ଏହି ଦୟନୀୟ ଅବସ୍ଥା ପାଇଁ ଦାୟୀ କିଏ? ବିକାଶ ରାସ୍ତାରେ ପ୍ରକୃତ ପ୍ରତିବନ୍ଧକ କଣ? ତୁମେ ତ ଶିକ୍ଷିତ ଲୋକ । ମୁଁ ମୁର୍ଖ ହିସାବରେ ପଚାରୁଛି ମୋତେ କୁହ, ଆଜି ଆମ ରାଜ୍ୟର ବହୁତ ଚାଷଜମି ପଡିଆ କାହିଁକି ପଡୁଛି? ଲୋକେ ଚାଷ ନକରି ଦାଦନ ଯିବାକୁ କାହିଁକି ପସନ୍ଦ କରୁଛନ୍ତି? ତୁମକୁ ଦେଖିଲେ ଲାଗୁଛି ଆମରି ପୂର୍ବପୁରୁଷ ଏଇ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଗଢିଥିବେ ବୋଲି? ମୋତେ କିନ୍ତୁ ବିଶ୍ୱାସ ହେଉନି । ଜାଭା ସୁମିତ୍ରା ଯାଇ ଯେଉଁ ଓଡିଆପୁଅ ସାତଦରିଆ ପାରିହୋଇ ବେପାରବଣିଜ କରିବାକୁ ସମର୍ଥ ଥିଲା ଆମେ କ’ଣ ସତରେ ତାଙ୍କରି ଦାୟାଦ! ଯଦି ତାଙ୍କରି ବଂଶଧର ତେବେ ଆମକୁ ଭିକାରି କଲା କିଏ? କେହିତ ଜଣେ ଏପରି ଅଭାବନୀୟ ପରିସ୍ଥିତି ପାଇଁ ନିଜକୁ ଦାୟୀ କରିବା ଉଚିତ୍ । ତୁମେ ଏତେ ପାଠ ପଢିଛ, ବିଶ୍ୱବିଦ୍ୟାଳୟରେ ପଢାଉଛ ଯେତେବେଳେ ଏହାର ସଠିକ୍ ଉତ୍ତର ମୋତେ ଦିଅ । ଦୀର୍ଘ ନିଃଶ୍ୱାସଟିଏ ଛାଡି ଅଧ୍ୟାପକ ଜଣକ ବିମ୍ବାଧରକୁ କହିଲେ,
– ମଉସା! ଆମର ସବୁଥାଇ ବି ଆମେ ଆଜି ନିଃଶ୍ୱ । ଏକଥା ସତ ଯେ ଆମର ପୂର୍ବପୁରୁଷ ସାହସୀ ଓ କର୍ମଠ ଥଲେ । କିନ୍ତୁ ଆମେ ଆଜି ଅନ୍ୟରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର । ଏଥିପାଇଁ ଦାୟୀ ଆମର ଏହି ସମାଜ । ଏହି ସମାଜ ଯେଉଁ ଜନପ୍ରତିନିଧି ମାନଙ୍କୁ ନିର୍ବାଚିତ କରି ଗାଦିରେ ବସେଇଲେ ସେମାନଙ୍କ ଭିତରୁ କେବଳ ମାତ୍ର ହାତଗଣତି ଦୁଇ ତିନିଜଣଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ସମୁହକଥା ଭୁଲିଯାଇ ନିଜ ସ୍ୱାର୍ଥକୁ ସାରଥୀ କରି ରାଜ୍ୟକୁ ଲୁଟି ଖାଇଲେ । ସ୍ୱାଧୀନତା ପରଠାରୁ ଆମରାଜ୍ୟର ଅଧିକାଂଶ ସର୍ବୋଚ୍ଚ ନେତାମାନଙ୍କର ଦୂରଦୃଷ୍ଟିହୀନତା ଯୋଗୁଁ ଓଡିଶାରେ ପ୍ରଚୁର ଖଣିଜ ସମ୍ପଦ ପରିପୂର୍ଣ୍ଣ ହୋଇଥିଲେ ହେଁ ଶିଳ୍ପର ବିକାଶ ଅତ୍ୟନ୍ତ ନୈରାଶ୍ୟପୂର୍ଣ୍ଣ । ଓଡିଶାରୁ ବହୁପରିମାଣରେ ଖଣିଜପଦାର୍ଥ ବିଦେଶକୁ ରପ୍ତାନି ହେଉଛି ଯେଉଁଥିରେ ଅନ୍ୟଦେଶ ଶିଳ୍ପସମୃଦ୍ଧ ହୋଇ ଉନ୍ନତି କରୁଛି ଏବଂ ଆମରାଜ୍ୟର କିଛି ଖଣିମାଲିକ ଏବଂ ଦଲାଲ୍ମାନେ କେବଳ ଉପକୃତ ହେଉଛନ୍ତି । କିନ୍ତୁ ଓଡିଶାର ଜନ ସାଧାରଣ ଯେଁଉଠି ସେଇଠି ।
ମଉସା! ଏବେ ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ନଦେଲେ ପରିସ୍ଥିତି ଅସମ୍ଭାଳ ହେବ । ନୂଆ ଶିଳ୍ପ କଥା ଛାଡ, ପ୍ରଥମେ ତାଲାପଡିଥିବା ପୁରୁଣା ଶିଳ୍ପଗୁଡିକୁ ତୁରନ୍ତ ପୁନରୁଦ୍ଧାର ପୂର୍ବକ ଚାଲୁକରି ଫେରିଥିବା ଦାଦନଭାଇମାନଙ୍କୁ ଯଦି ଦୁଇ ତିନିମାସ ଭିତରେ ଥଇଥାନ କରାନଯାଏ ତେବେ ଓଡିଶାରେ ପୁଣିଥରେ ଖାଦ୍ୟାଭାବରୁ ମୃତୁ୍ୟହେବା ଖବର ପ୍ରତିଦିନ ଶୁଣିବାକୁ ମିଳିବ । ବୁଢା ଚିହିଙ୍କି ଉଠି କହିଲା, – ‘ଠିକ୍ କହିଛୁ ପୁଅ! ଦୁଇ ତିନିମାସ କଥା ନୁହେଁ । ମାସ ଗୋଟାଏରେ ଯଦି ମୋ’ପୁଅ ଦୁଇଟା କିଛି କାମ ନପାଆନ୍ତି ପ୍ରଥମେ ବୁଢୀ ଚାଲିଯିବ । ମଧୁମେହ ସାଙ୍ଗକୁ ଉଚ୍ଚ ରକ୍ତଚାପ ରୋଗ ଦଶବର୍ଷ ପୁରୁଣା । ମାସେହେଲା ଔଷଧପତ୍ର କିଣା ବନ୍ଦ । ତା’ପରେ ମୋର ପାଳି । ଆମ ପରିବାରରେ ମଧ୍ୟ ସେମିତି ନିକଟ ଭବିଷ୍ୟତରେ ଅନାହାର ମୃତୁ୍ୟ ହେବାର ଯଥେଷ୍ଟ ସମ୍ଭାବନା ଅଛି । ଯାହା ଭାଗ୍ୟରେ ଥିବ ଘଟିବ । କିନ୍ତୁ ପୁଅ! ମୋର ମୁଖ୍ୟ ପ୍ରଶ୍ନ ଥିଲା – ସବୁଥାଇ ଓଡିଶା ଦରିଦ୍ର କାହିଁକି? ତା’ର ଉତ୍ତର ତ ଦେଲୁନି!’ ଅଧ୍ୟାପକ ବସିବା ଜାଗାରୁ ଉଠି ଯିବାକୁ ସାଇକେଲ୍ ସଳଖି କହିଲେ – ମୋର ଜରୁରୀ କାମ ଅଛି । ମୁଁ ଆସୁଛି ମଉସା! ନମସ୍କାର ।
