Odisha news

ଅର୍ଚ୍ଚନା ନାଗ ଯୌନ କେଳେଙ୍କାରୀ , ସିବିଆଇ ଦ୍ୱାରା ତଦନ୍ତ କରାନ୍ତୁ ମୁଖ୍ୟମନ୍ତ୍ରୀ

0

 କାହା ଚାପରେ ପୋଲିସ ‘ଅର୍ଚ୍ଚନା ନାଗ ହନିଟ୍ରାପ୍’ ଘଟଣାର ତଦନ୍ତକୁ ଚାପି ଦେବାର ପ୍ରୟାସ କରୁଛି ?
 ଶାସକ ବିଜେଡିର ପ୍ରତ୍ୟକ୍ଷ ପୃଷ୍ଟପୋଷକତାରେ ଗତ ୫ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଚାଲିଆସୁଥିଲା ‘ଅର୍ଚ୍ଚନା ନାଗ ହନିଟ୍ରାପ୍’ ଓ ‘ବ୍ଲାକମେଲିଂ ରାକେଟ୍’
 ଶାସକ ଦଳ ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଏବଂ ପୃଷ୍ଟପୋଷକତାରେ ବିଭିନ୍ନ ଯୌନ କେଳେଙ୍କାରୀ ଘଟଣା ଘଟୁଥିବାରୁ ରାଜ୍ୟରେ ମହିଳାଙ୍କ ଇଜ୍ଜତ ଓ ସ୍ୱାଭିମାନ ଲୁଣ୍ଠିତ ହେଉଛି
 ପୋଲିସ ଜବତ୍ କରିଥିବା ସମସ୍ତ ତଥ୍ୟପ୍ରମାଣ ସହିତ ସଂପୃକ୍ତ ଥିବା ବିଜେଡିର ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ପୋଲିସ, ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସୂଚୀକୁ ସାର୍ବଜନୀନ କରାଯାଉ

ଭୁବନେଶ୍ୱର, ତା.୧୧/୧୦: ମହିଳା ଶସକ୍ତିକରଣ ଓ ମହିଳା ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ମିଛ ଡିଣ୍ଡିମର ସତ ପୋଲ ଖୋଲିଛି । ୨୨ ବର୍ଷର ନିରଙ୍କୁଶ ସରକାର ଏବଂ ୨୫ ବର୍ଷର ଜନ ସେବା ବଡ ବଡ ବିଜ୍ଞାପନର ପ୍ରଚାର ସର୍ବସ୍ୱ ସରକାରଙ୍କର ମିଛ ରାଜ୍ୟର ୪.୫କୋଟି ଲୋକ ବିଶେଷ ଭାବରେ ମହିଳାମାନଙ୍କୁ ବ୍ୟଥିତ କରୁଛି । ରାଜ୍ୟ ଶାସକ ଦଳ ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଏବଂ ପୃଷ୍ଟପୋଷକତାରେ ବିଭିନ୍ନ ଯୌନ କେଳେଙ୍କାରୀ ଘଟଣା ଘଟୁଥିବାରୁ ରାଜ୍ୟରେ ମହିଳାଙ୍କ ଇଜ୍ଜତ ଓ ସ୍ୱାଭିମାନ ଲୁଣ୍ଠିତ ହେଉଛି । ଅତୀତରେ ସ୍ମିତାରାଣୀ, ମମିତା ମେହେର ଘଟଣାରେ ଶାସକ ବିଜେଡିର ବହୁ ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଲୋକଙ୍କ ମନ ଭିତରୁ ଯାଇନଥିବାବେଳେ ବର୍ତମାନ ପୁଣି ଥରେ ଅର୍ଚ୍ଚନା ନାଗ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତୁ୍ୟ ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ରାଜଧାନୀର ଅର୍ଚ୍ଚନା ନାଗଙ୍କ ନାଗଫାଶ ପଛରେ ବଡ ସମ୍ପୃକ୍ତି ଓ ପୃଷ୍ଟପୋଷକତାର ଖବର ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି । ପୋଲିସ ହାର୍ଡ ଡିସ୍କ, ଲାପ୍ଟପ୍, ଲକରରୁ ପ୍ରମାଣ ସମ୍ବନ୍ଧିତ ତଥ୍ୟ ଉଦ୍ଧାର କରିଥିବା କହୁଥିବା ବେଳେ ଏଥିରେ କ’ଣ ଅଛି ଓ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ତଥ୍ୟ ସାର୍ବଜନୀନ କରୁନାହିଁ । ଅର୍ଚ୍ଚନା ନାଗ ହନିଟ୍ରାପ ଓ ବ୍ଲାକମେଲିଂ ଘଟଣା ଶାସକ ବିଜେଡିର ପୃଷ୍ଟପୋଷକତାରେ ଚାଲିଆସୁଥିଲା । ଉଭୟ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦ ବିଜୁ ଜନତା ଦଳର କାର୍ଯ୍ୟକର୍ତା ବୋଲି ସ୍ପଷ୍ଟ ହୋଇସାରିଛି । ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ବା କୌଣସି ସହଯୋଗୀଙ୍କୁ ଜାଣିଶୁଣି ପୋଲିସ ଗିରଫ ନକରି ପ୍ରମାଣ ନଷ୍ଟ କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ଷଡଯନ୍ତ୍ର ରଚାଯାଉଥିବାର ସନେ୍ଦହ ସୃଷ୍ଟି ହୋଇଛି । ଗତ ୫ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଚାଲିଆସୁଥିବା ‘ଅର୍ଚ୍ଚନା ନାଗ ହନିଟ୍ରାପ୍’ ଓ ବ୍ଲାକମେଲିଂ ରାକେଟ୍ କାହାର ପୃଷ୍ଟପୋଷକତାରେ ଚାଲୁଥିଲା ? ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତକୁ ପୋଲିସ କାହା ଚାପରେ ଚାପି ଦେବାର ପ୍ରୟାସ କରୁଛି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଠିକ୍ ସେମିତି ଜଣେ ବରିଷ୍ଠ ମନ୍ତ୍ରୀ ସମୀର ଦାସଙ୍କ ଯୌନ କେଳେଙ୍କାରୀର କଳା କାରନାମା କାରଣରୁ ଖୋଦ୍ ଶାସକ ଦଳର ନିର୍ବାଚିତ ଜନପ୍ରତିନିଧି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଛନ୍ତି । ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସାହୁଙ୍କ ସନେ୍ଦହଜନକ ମୃତୁ୍ୟ ମାମଲାରେ ଉଦ୍ଧାର ହୋଇଥିବା ୨ ମୋବାଇଲରେ କ’ଣ ଭିଡିଓ ଅଛି ଏବଂ ଏଥିରୁ ପ୍ରମାଣ ମିଳିବାର ସ୍ଥିତି କ’ଣ ଅଛି ପୋଲିସ ଜାଣିଶୁଣି ଅହେତୁକ ନୀରବତା ଅବଲମ୍ବନ କରିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ଆଜି ଦିନରେ ମୋବାଇଲ ଏବଂ ବୈଦୁ୍ୟତିକ ଉପକରଣ ପ୍ରମାଣ ଦେବାର ବଡ ମାଧ୍ୟମ ହୋଇଥିବା ବେଳେ ଭୁବନେଶ୍ୱର ରୁଚିକା ମୃତୁ୍ୟ ହେଉ ଅଥବା ମମିତା ମେହେର ହତ୍ୟା ଘଟଣାରେ ‘ତଥ୍ୟ ନମିଳିବା’କୁ ଆଳ କରି ଓଡିଶା ପୋଲିସ ଘଟଣାକୁ ଚପାଇ ଦେବାର ପ୍ରୟାସ କରିଛି । ଓଡିଶା ପୋଲିସ ବିଭିନ୍ନ ସମୟରେ ମୋବାଇଲ ତଥ୍ୟକୁ ଲୁଚାଇ ପ୍ରମାଣ ନଷ୍ଟ କରୁଥିବାର ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ଅର୍ଚ୍ଚନା ନାଗ ଯୌନ କେଳେଙ୍କାରୀ ତଥା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପଛରେ ମନ୍ତ୍ରୀ ସମୀର ଦାସଙ୍କ ଯୌନ କେଳେଙ୍କାରୀର ଯଥେଷ୍ଟ ସୁରାକ ଓ ପ୍ରମାଣ ରହିଛି । ପୋଲିସ ଜବତ୍ କରିଥିବା ସମସ୍ତ ତଥ୍ୟପ୍ରମାଣ ସହିତ ସଂପୃକ୍ତ ଥିବା ବିଜେଡିର ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ପୋଲିସ, ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସୂଚୀକୁ ସାର୍ବଜନୀନ କରି ସାଧାରଣରେ ସୃଷ୍ଟି ହୋଇଥିବା ସନେ୍ଦହକୁ ଦୂର କରିବାକୁ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ଉପରୋକ୍ତ ୨ଟି ସମ୍ବେଦନଶୀଳ ମାମଲାରେ ଶାସକ ଦଳର ବଡ ବଡ ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତିର ଅଭିଯୋଗ ଥିବାରୁ ନାରୀ ସମ୍ମାନ ଓ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ସାମାନ୍ୟତମ ସମ୍ବେଦନଶୀଳତା ଥିଲେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦନ୍ତ ଦାୟୀତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ ଶ୍ରୀମତୀ ପଟ୍ଟନାୟକ ଦାବୀ କରିଛନ୍ତି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ, ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତୀ ପରିଡା, ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

 

Nalco
Leave A Reply