Odisha news

ଉପେକ୍ଷିତ ପିତାମାତା ଓ ବୟସ୍କ

0

ଯଦୁମଣି ପାଣିଗ୍ରାହୀ  : ଆଜିକାଲି ଅନେକ ପରିବାରରେ ପିତାମାତା ଓ ବୟସ୍କମାନେ ସେମାନଙ୍କ ଜନ୍ମିତ ସନ୍ତାନ ମାନଙ୍କ ଦ୍ୱାରା ଉପେକ୍ଷିତ ହେବା ସହ ଓ ଅବହେଳାର ଶିକାର ହେଉଛନ୍ତି । ଦୈନିକ ଖବରକାଗଜ ପୃଷ୍ଠା ଓ ଟିଭି ପରଦାରେ ଏ ସଂପର୍କରେ ପ୍ରସାରିତ ଖବରକୁ ଦେଖିଲେ ମଣିଷର ସ୍ୱଭାବ ଓ ପ୍ରକୃତି କିଭଳି ଅତି ନୀଚ୍ଚ ସ୍ତରକୁ ଖସିଯାଉଛି ତାହା ମନକୁ ଆନେ୍ଦାଳିତ କରୁଛି । ଦିନକୁଦିନ ମଣିଷର ନୀତି ନୈତିକତା ଓ ମଣିଷପଣିଆର ଭାବ ଧୀରେ ଧୀରେ କୁଆଡେ ଉଭାନ ହୋଇଯାଉଛି । ଆମ ସମାଜରେ ଆଜି ଅଧିକାଂଶ ସଂଭ୍ରାନ୍ତ, ଆଭିଜାତ୍ୟ ସଂପନ୍ନ ପରିବାର ଠାରୁ ପୁଣି ସାଧାରଣ ପରିବାରରେ ମଧ୍ୟ ଦେଖିବାକୁ ମିଳୁଛି । ପରିଣତ ବୟସରେ ପିତମାତା ନିଜ ସନ୍ତାନଙ୍କ ଠାରୁ ଟିକେ ସେବ ଯତ୍ନ ପାଇବା ବଦଳରେ ସେମାନଙ୍କ ଦ୍ୱାରା ପ୍ରତାରିତ ଓ ଲାଂଛିତ ହେବା ବିଡମ୍ବନାର ବିଷୟ । କେଉଁ ପରିବାରରେ ପିତାମାତା ଓ ବୟସ୍କଙ୍କୁ ଭୋକ ଓପାସରେ ରଖାଯିବା ସହ ମାଡ ଗାଳି ଭଳି ନିର୍ଯାତନା ଦିଆଯାଉଛି ତ ପୁଣି କେଉଁ ପରିବାରରେ ସେମାନଙ୍କୁ ଚାକର ଚାକରାଣୀଙ୍କ ପରି ଆଚରଣ ପ୍ରଦର୍ଶନ କରାଯାଉଛି । ପୁଣି କେଉଁଠି ମାଡ ମାଡି ଘରୁ ବି ତଡି ଦିଆଯାଉଛି ।

ପିତାମାତା ଓ ବୟସ୍କଙ୍କ ପ୍ରତି ଏତାଦୃଶ ଆଚରଣ ପ୍ରଦର୍ଶନ କରୁଥିବା ସନ୍ତାନମାନେ ଆଜି କୃତଘ୍ନତାର ସବୁ ସୀମା ସରହଦକୁ ଅତିକ୍ରମ କରିବାକୁ ବସିଲେଣି । ଶିକ୍ଷିତ-ଅଶିକ୍ଷିତ ଓ ଧନୀ-ନିର୍ଦ୍ଧନ ନିର୍ବିଶେଷରେ ଆଜି ସବୁରି ପରିବାରରେ ଏଭଳି ଘଟଣା ପରିଲକ୍ଷିତ ହେଉଛି । ସନ୍ତାନଙ୍କ ଏଭଳି ଅତ୍ୟାଚାର ଓ ଅପମାନରୁ ନିଜକୁ ଦୂରେଇ ରଖିବା ଲାଗି ଆଜି ଅନେକ ପିତମାତା ମଠ ମନ୍ଦିର, ଜରାନିବାସ କିମ୍ବା ରାସ୍ତା କଡକୁ ସେମାନଙ୍କର ନିରାପଦ ଆଶ୍ରୟସ୍ଥଳୀ ବୋଲି ଭାବିନେଲେଣି । ମଣିଷ ଆଜି ଯେତେ ସଭ୍ୟ ଓ ଶିକ୍ଷିତ ହେଉଛି ତା’ ଭିତରୁ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ଭାବ ଓ ଭାବନା ଆପଣାଛାଏଁ ଉଭେଇ ଯାଉଛି । ବେସାହାରା ହୋଇ ପଡିଥିବା ପରିବାରର ପିତାମାତା ଓ ବୟସ୍କ ମାନଙ୍କ ପ୍ରତି ସେମାନଙ୍କର କର୍ତ୍ତବ୍ୟ କ’ଣ ହେବା ଉଚିତ ସେକଥା ସନ୍ତାନମାନେ ଆଜି ଭୁଲି ଯାଉଛନ୍ତି । ଏପରିସ୍ଥିତିରେ ନିଜକୁ ବେଶ ଅସହାୟବୋଧ କରୁଛନ୍ତି ପିତାମାତା ଓ ବୟସ୍କ ବ୍ୟକ୍ତିମାନେ । ଅଜାଗା ଘା’ ଦେଖି ହୁଏନି କି ଦେଖେଇ ହୁଏନି ନ୍ୟାୟରେ ଆଜି ଅନେକ ନୀରବରେ ଏହା ସହ୍ୟ କରିନେଉଥିବା ବେଳେ ଆହୁରି ଅନେକ ସବୁଦିନ ଲାଗି ସେମାନଙ୍କ ସନ୍ତାନଙ୍କ ଠାରୁ ନିଜକୁ ଦୂରେଇ ନେଉଛନ୍ତି ।

ଆଜି ଅଧିକାଂଶ ପରିବାରରେ ସନ୍ତାନ ମାନେ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ଅନ୍ୟତ୍ର ବସବାସ କରୁଥିବା ବେଳେ ଘରେ ବୃଦ୍ଧ ପିତାମାତା ନିଃସଙ୍ଗ ଜୀବନ ଅତିବାହିତ କରୁଛନ୍ତି । ଏମାନଙ୍କ ଖାଇବା ପିିଇବା ଓ ଦେହ ପା’ ଭଲ ମନ୍ଦ ଲାଗି କେବଳ କିଛି ଅର୍ଥ ପଠାଇ ଦେଇ ସେମାନଙ୍କ ସନ୍ତାନ ମାନେ ନିଜର କର୍ତ୍ତବ୍ୟ ଶେଷ କରୁଥିବା ବେଳେ ବଳ ବୟସ ହରାଇ ଅସହାୟ ହୋଇ ପଡିଥିବା ବୃଦ୍ଧ ପିତାମାତା ଓ ବୟସ୍କମାନେ ଯେ, ଘରେ କି କଷ୍ଟ ଭୋଗ କରୁଚନ୍ତି ତାହା ଦେଖିବାକୁ ସେମାନଙ୍କ ପାଖରେ ସୁଯୋଗ ନଥାଏ । ଏମିତି କି ଆଜି ବି ଅନେକ ପିତାମାତା ଅଛନ୍ତି ଯେଉଁମାନେ ରୋଗଶଯ୍ୟାରେ ପଡି ଜୀବନ ମରଣ ସହ ଲଢେଇ କରୁଥିବା ବେଳେ ସେମାନଙ୍କର ଦେଖାଶୁଣା ଓ ସେବାଯତ୍ନ କରିବାକୁ ପାଖରେ କେହି ନାହାନ୍ତି । ପାଖ ପଡୋଶୀ କିମ୍ବା ସନ୍ତାନଙ୍କ ଦ୍ୱାରା ନିୟୋଜିତ କୌଣସି ଚାକର ବା ଚାକରାଣୀ ସେମାନଙ୍କ ଦେଖାଶୁଣା କରୁଛନ୍ତି ।

ସନ୍ତାନଟିଏ ଜନˆ ଦେବାଠାରୁ ଆରମ୍ଭ କରି ତା’ର ଲାଳନପାଳନ, ତାକୁ ଉପଯୁକ୍ତ ଶିକ୍ଷାଦୀକ୍ଷା ଓ ସଂସ୍କାର ପ୍ରଦାନ କରି ବଡ କରିବାରେ ପିତାମାତାଙ୍କ ଅବଦାନ ଅତୁଳନୀୟ । ଯଥାର୍ଥରେ ପିତାମାତାଙ୍କ ସେବା, ତ୍ୟାଗ ଓ ତପସ୍ୟା ବିନା କୌଣସି ସନ୍ତାନ ଜୀବନରେ କେବେ ବଡ ମଣିଷ ହୋଇପାରେନା । ସନ୍ତାନଙ୍କ ପ୍ରତି ପିତାମାତାଙ୍କ ଏହି କର୍ତ୍ତବ୍ୟ ପଛରେ ଯେଉଁ ସାମାନ୍ୟ ଟିକକ ପ୍ରାପ୍ତିର ଆଶା ରହିଥାଏ ତାହା ହେଉଛି ପରିଣତ ବୟସରେ ଟିକେ ସାହାରା ଯୋଗାଇଦେବା । ଏହି ଭରସା ଟିକକ ବ୍ୟତୀତ ସଂସାରରେ କୌଣସି ପିତାମାତା ସେମାନଙ୍କ ସନ୍ତାନଙ୍କ ଠାରୁ ଆଉ କିଛି ବି ପାଇବାକୁ ଆଶା ରଖି ନଥାନ୍ତି ।

ହେଲେ ଆଜିର କୃତଘ୍ନ ସନ୍ତାନମାନେ ଏତେ ମାତ୍ରାରେ ସ୍ୱାର୍ଥପର ହୋଇ ପଡିଛନ୍ତି ଯେ, ସେମାନେ କେବଳ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟକୁ ଅଗ୍ରାଧିକାର ଦେଇ ଦେବତା ସମାନ ପିତାମାତାଙ୍କୁ ଅବହେଳା କରି ଚାଲିଛନ୍ତି । ନିଜ ଜୀବଦ୍ଦଶାରେ କୌଣସି ସନ୍ତାନ ସେମାନଙ୍କ ପିତାମାତାଙ୍କ ଋଣ ପରିଶୋଧ କରିପାରିବେ ନାହିଁ । ନିଜର ସନ୍ତାନ ସନ୍ତତିଙ୍କୁ ସୁଖ ସୁରକ୍ଷା ଲାଗି ଯେଉଁମାନେ ଜୀବନର ସବୁ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇପାରନ୍ତି ଆଉ ମରଣକୁ ବରଣ କରିପାରନ୍ତି ସେମାନେ ବୋଧହୁଏ ପିତାମାତାଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି ଏକଥା ଆଜିର ଏହି କୃତଘ୍ନ ସନ୍ତାନ ମାନେ ଅନୁଭବ କରିବା ଉଚିତ । ପିତାମାତା ଓ ବୟସ୍କଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧା ସମ୍ମାନ ପ୍ରଦାନରେ ସନ୍ତାନମାନେ କୁଣ୍ଠିତ ନହୋଇ ସର୍ବଦା ଉଚ୍ଚାଭିଳାଷ ପୋଷଣ କରିବାରେ ବ୍ରତୀ ହୁଅନ୍ତୁ ।

Leave A Reply