Odisha news

ଶ୍ରୀମନ୍ଦିର ଇତିହାସରେ ଲେଖା ହେବ ନୂଆ ଘଟଣା : ବଡ଼ଦାଣ୍ଡରେ ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣମୀ ନୀତି।

0

ପୁରୀ : ଶ୍ରୀମନ୍ଦିର ଇତିହାସରେ ଲେଖା ହେବ ନୂଆ ଘଟଣା। ବଡ଼ଦାଣ୍ଡରେ ବିନା ଭକ୍ତରେ ସମ୍ପନ୍ନ ହେବ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣମୀ ନୀତି। ଏଥିପାଇଁ ଶ୍ରୀଜିଉଙ୍କ ଅପେକ୍ଷାରେ ରହିଛି ସ୍ନାନ ବେଦି। ରତ୍ନସିଂହାସନରୁ ଓହ୍ଲାଇ ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତୀ।

Play Deva Snana Purnima Songs Online for Free or Download MP3 | Wynkପରମ୍ପରା ଅନୁସାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା’ପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସିବେ ମହାପ୍ରଭୁ ଜଗନ୍ନାଥ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ଆଜି ରାତି ଗୋଟାଏରୁ ଭୋର ୪ଟା ମଧ୍ୟରେ ସମ୍ପନ୍ନ ହେବ ପହଣ୍ଡି। ସାଢ଼େ ୪ଟାରେ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି ସହ କାଲି ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ଓ ସ୍ନାନ ବିଧି ସଂପନ୍ନ ହେବ। ସାଢ଼େ ୧୦ଟାରେ ଛେରା ପହଁରା ନୀତି ଧାର୍ଯ୍ୟ ହୋଇଛି। ମଧ୍ୟାହ୍ନ ୧୧ଟାରୁ ୧୨ ଭିତରେ ହେବ ହାତୀବେଶ। ଯେହେତୁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ମନା, ତେଣୁ ସାହାଣମେଲା ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ।

ଅନ୍ୟପଟେ ଶ୍ରୀଅଙ୍ଗ ସୁରକ୍ଷା ଲାଗି ଦଇତାପତି ସେବାୟତ ବାହୁଟ କଣ୍ଟ ଓ ସେନାପଟା ଲାଗି କରି ସାରିଲେଣି। ସ୍ନାନ ପାଇଁ ସୁନାକୂଅରୁ ୧୦୮ ଗରା ଜଳ ଆସି ଅଧିବାସ ଗୃହରେ ରହିଛନ୍ତି। ପହଣ୍ଡି ବେଳର ଆକର୍ଷଣ ଟାହିଆ ଓ ହାତୀ ବେଶ ଲାଗି ମଧ୍ୟ ସବୁ ସାମଗ୍ରୀ ପ୍ରସ୍ତୁତ ରହିଛି। ତେବେ ଏସବୁ ବେଶ ଓ ଲୀଳା କିନ୍ତୁ ଚର୍ମଚକ୍ଷୁରେ ଦେଖିପାରିବେନି ଭକ୍ତ। କେବଳ ସୂଚନା ଓ ପ୍ରସାରଣ ବିଭାଗ ଦ୍ୱାରା ଆୟୋଜନ କରାଯାଇଥିବା ସିଧାପ୍ରସାରଣକୁ ବିଭିନ୍ନ ଚାନେଲ୍‌ରେ ଦେଖି ସାନିଧ୍ୟ ଲାଭ କରିବେ। ତା’ ସହିତ ଏଥର ସ୍ନାନ ବେଦିକୁ ଶ୍ରୀଜିଉଙ୍କ ପହଣ୍ଡି ବେଳର ଲାଇଭ୍‌ ଦୃଶ୍ୟ ମଧ୍ୟ ଟିଭିରେ ଦେଖିବାକୁ ମିଳିନପାରେ।

ସେପଟେ ସ୍ନାନଯାତ୍ରାରେ ସାମାଜିକ ଦୂରତ୍ୱ କଟକଣା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୁଲିସ। ଆଜି ରାତି ୧୦ଟା ପରଠୁ ୧୪୪ ଧାରା ବଳୟରେ ରହିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ବଡ଼ଦାଣ୍ଡ ସୁରକ୍ଷାରେ ମୁତୟନ ହେବେ ୩୮ ପ୍ଲାଟୁନ ଫୋର୍ସ। ୨ଜଣ କମାଣ୍ଡାଣ୍ଟ, ୬ଜଣ ଏଏସ୍‌ପି, ୧୬ ଡିଏସ୍‌ପି ଓ ୪୪ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ। ୨୦ଟି କ୍ୟାମେରାରେ ଭିଡିଓଗ୍ରାଫି କରାଯିବ। ୨୪ ଘଣ୍ଟିଆ ଡ୍ୟୁଟି ଥିବାରୁ ପୁଲିସକୁ ୪ଟି ସିଫ୍ଟରେ ବିଭକ୍ତ କରାଯାଇଥିବା କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ କହିଛନ୍ତି।

ସ୍ନାନ ଯାତ୍ରା ସରିଲେ ଆରମ୍ଭ ହେବ ଶ୍ରୀଜିଉଙ୍କ ୧୫ ଦିନର ଅନବସର ନୀତି। ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ।ସେଥିପାଇଁ ପଟିଦିଅଁ ପ୍ରସ୍ତୁତ କରି ସାରିଲେଣି କାରିଗର।

ଏଠାରେ କହି ରଖୁଛୁ, ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣକୁ ନେଇ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ସ୍ନାନବେଦୀରେ ମହାପ୍ରଭୁ’ ଦେଖିପାରିବେ ଆସନ୍ତାକାଲି ସକାଳ ୫ଟାରୁ, ଓଟିଭିରେ।

Leave A Reply