ଢେଙ୍କାନାଳ : ମହିମା ଜ୍ୟୋତିଯାତ୍ରା ଚଳିତ ବର୍ଷ ଏପ୍ରିଲ୍ ୩ ତାରିଖ ଶନିବାର ପ୍ରାତଃ ସମୟରୁ ଯୋରନ୍ଦା ଗାଦିପୀଠରୁ ଯାତ୍ରା ଆରମ୍ଭ କରି ୪ ତାରିଖ ରବିବାର ରାତ୍ରରେ ତପୋବନ ମହିମା ପୀଠକୁ ପ୍ରତ୍ୟାବର୍ତନ କରିବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଜ୍ୟୋତିଯାତ୍ରାର ଉଦ୍ଘାଟନ ଉତ୍ସବ ଏପ୍ରିଲ୍ ୩ ତାରିଖରେ ଜିଲ୍ଲାର ଓଡାପଡା ବ୍ଲକ୍ ଅନ୍ତର୍ଗତ ବଦାଳୋ ପଂଚାୟତର ଶ୍ରୀଡିହି ଗ୍ରାମସ୍ଥିତି ମହିମା ଟୁଙ୍ଗୀରେ ଅନୁଷ୍ଠିତ ହେବ । ଏଠାରେ ଜ୍ୟୋତିଯାତ୍ରାର ସହଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭିକ୍ଷାର ବ୍ୟବସ୍ଥା କରାଯିବା ସହ ବ୍ରହ୍ମଜ୍ୟୋତିଙ୍କର ଗ୍ରାମ ପରିକ୍ରମା ହେବ । ପୂର୍ବାହ୍ନ ୧୦ଟାରେ ଧର୍ମସଭା ଅନୁଷ୍ଠିତ ହେବ । ଏ ନେଇ ମହିମା ସନ୍ନାସୀ ଶ୍ରୀଧର ବାବାଙ୍କ ଅଧ୍ୟକ୍ଷତାରେ ଶ୍ରୀଡିହି ମହିମା ଭକ୍ତଙ୍କ ଏକ ସଭା ଜାନୁଆରୀ ୩୦ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ଶ୍ରୀକାନ୍ତ ଭୋଇ,ଚକ୍ରଧର ନାୟକ, ପ୍ରସନ୍ନ କୁମାର ସାହୁ, ସୁଶାନ୍ତ ସାହୁ, ତ୍ରିନାଥ ସାହୁ ଓ ଟିକମ ସାହୁଙ୍କ ସହ ଜ୍ୟୋତିଯାତ୍ରା ପରିଚାଳନା ପରିଷଦର ଅଧ୍ୟକ୍ଷ ବାବା ଶ୍ରୀମଦ୍ ରଘୁନାଥ ଦାସ, ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦୁ୍ୟମ୍ନ ରଥ, ଆବାହକ ପ୍ରଶାନ୍ତ କୁମାର ମହାପାତ୍ର ଓ ବଦାଳୋର ଭକ୍ତ ଶତ୍ରୁଘ୍ନ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଚୂଡାନ୍ତ କରିଥିଲେ ।