ବାରାଣାସୀରେ କାଶୀ-ତାମିଲ ସଙ୍ଗମମ ୪.୦ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ , ଭାରତର ବିବିଧତା ଓ ଭାଷାଗତ ପରମ୍ପରା ହିଁ ସବୁଠୁ ବଡ଼ ଶକ୍ତି – ଧର୍ମେନ୍ଦ୍ର ପ୍ରଧାନ
• ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କେଟିଏସ ୪.୦ର ଶୁଭାରମ୍ଭ କଲେ
• କାଶୀ-ତାମିଲ ସଙ୍ଗମମ୍ କାଶୀ ଓ ତାମିଲନାଡୁ ମଧ୍ୟରେ ଜ୍ଞାନର ସେତୁ ତିଆରି କରିଛି
• ଏହା ‘ଏକ୍ ଭାରତ, ଶ୍ରେଷ୍ଠ ଭାରତ’ ର ବିଚାରକୁ ଅଧିକ ମଜବୁତ କରିବ
ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୦୨ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବାରାଣାସୀରେ କାଶୀ- ତାମିଲ ସଙ୍ଗମମ୍(କେଟିଏସ ୪.୦)ର ଶୁଭାରମ୍ଭ କରିଛନ୍ତି । କାଶୀ ଓ ତାମିଲନାଡୁ ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ଐତିହାସିକ ସମ୍ପର୍କକୁ ଉଜାଗର କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇ ଆସୁଛି ।
କାଶୀ ତାମିଲ ସଙ୍ଗମମ୍ ୪.୦ର ସମସ୍ତ ପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଆରମ୍ଭ ହୋଇଥିବା କାଶୀ-ତାମିଲ ସଙ୍ଗମମ୍ କାଶୀ ଓ ତାମିଲନାଡୁ ମଧ୍ୟରେ ଜ୍ଞାନର ସେତୁ ତିଆରି କରିଛି । ସଭ୍ୟତାର ଦୁଇଟି ସ୍ତମ୍ଭ ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ପୁରାତନ ସମ୍ପର୍କକୁ ମଜଭୂତ୍ କରିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଜନ ଆନ୍ଦୋଳନରେ ପରିଣତ ହେବା ସହ ଅନୁଭୂତିଭିତ୍ତିକ ଶିକ୍ଷଣର ଏକ ମାଧ୍ୟମରେ ପରିଣତ ହୋଇଛି ।
ଭାରତର ବିବିଧତା ଏବଂ ଭାଷାଗତ ପରମ୍ପରା ହିଁ ଏହାର ସବୁଠାରୁ ବଡ଼ ଶକ୍ତି । ତେଣୁ, ଭାଷାଗତ ଏକତା ଓ ଗୌରବ ହିଁ କାଶୀ- ତାମିଲ ସଙ୍ଗମମର ମୂଳରେ ଅନ୍ତର୍ନିହିତ । ‘ତାମିଲ ଶିଖିବା’କୁ ଏହାର ପ୍ରମୁଖ ବିଷୟ ଭାବେ ରଖି, କାଶୀ ତାମିଲ ସଙ୍ଗମମ୍ ୪.୦ ଜ୍ଞାନ ଏବଂ ଭାଷା ଭିତ୍ତିକ ଆଦାନପ୍ରଦାନ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ସହ ତାମିଲନାଡୁ ବାହାରେ ତାମିଲ ଭାଷା ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଦେଉଛି । କାଶୀ ତାମିଲ ସଙ୍ଗମମ୍ ୪.୦ ‘ଏକ୍ ଭାରତ, ଶ୍ରେଷ୍ଠ ଭାରତ’ ର ବିଚାରକୁ ଅଧିକ ମଜବୁତ କରିବା ସହିତ ଟିବି ମାକାଉଲେଙ୍କ ମାନସିକତାକୁ ସବୁଦିନ ପାଇଁ ଶେଷ କରିବାରେ ମୂଳଦୁଆ ପକାଇବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ.ରବି, ପୁଡୁଚେରିର ଉପରାଜ୍ୟପାଳ ଶ୍ରୀ କେ କୈଳାଶନାଥନ, ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ବ୍ରଜେଶ ପାଠକ, ସୂଚନା, ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଏଲ. ମୁରୁଗନ ପ୍ରମୁଖ ଉପସ୍ଥିତ ଥିଲେ ।
*
