ଉତ୍ତର ପ୍ରଦେଶ ସରକାର ସଜନାର ବୃକ୍ଷରୋପଣକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରସ୍ତୁତି କରୁଛନ୍ତି । ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ମେଗା ଟ୍ରି ପ୍ଲାଣ୍ଟେସନ୍ ଡ୍ରାଇଭ୍ ପାଇଁ ପ୍ରାୟ ୧.୭ କୋଟି ଚାରା ପ୍ରସ୍ତୁତ କରାଯାଇଛି । ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଅତିକମ୍ରେ ଗୋଟିଏ ସଜନା ଗଛ ଲଗାଇବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଭରପୂର ପୋଷଣ ଓ ଔଷଧୀୟ ଗୁଣ ଯୋଗୁ ନୂଆ ସୁପରଫୁଡ୍ ସଜନା ଚମତ୍କାରୀ ଗଛ ଭାବେ ପରିଚିତ । ରାଜ୍ୟ ବନ ବିଭାଗ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ୨୮୩ ଗ୍ରାମ୍ ସଜନାରେ ୪ ଗ୍ଲାସ୍ କ୍ଷୀର ବରାବର କ୍ୟାଲସିୟମ୍ ରହିଛି । ୭ଟି କମଳା ସମାନ ଭିଟାମିନ୍ ସି, ୩ଟି କଦଳୀ ସମାନ ପୋଟାସିୟମ୍ ଓ ପାଳଙ୍ଗ ତୁଳନାରେ ୩ ଗୁଣ ଅଧିକ ଆଇରନ୍ ରହିଛି । ସଜନାର ପତ୍ର, ଫଳ ଓ ଫୁଲକୁ ପନିପରିବା ପରିବର୍ତ୍ତେ ରୋଷେଇ କରାଯାଇପାରିବ । ଆୟୁର୍ବେଦରେ ସଜନା ଗଛ ବ୍ୟବହାର କରାଯାଏ । ଏହା ଯକୃତ ସମସ୍ୟା ଠିକ୍ କରିବା ସହ ଏଥିରେ କ୍ୟାନସର୍ ବିରୋଧୀ ଗୁଣ ରହିଛି । ସଜନା ମଞ୍ଜିରୁ ପ୍ରସ୍ତୁତ ତେଲ ଗଣ୍ଠି ଦରଜ ଦୂର କରିବା ସହ ଜ୍ୱର ନିୟନ୍ତ୍ରଣ କରିଥାଏ । ସଜନା ଫଳରେ ମଧୁମେହ ବିରୋଧୀ ଗୁଣ ରହିଛି, ଏହାର ଛାଲ ଚର୍ମ ରୋଗ ଚିକିତ୍ସାରେ ସହାୟକ ହୋଇଥାଏ । ସଜନାରେ ୯୨ ଭିଟାମିନ୍, ୪୬ ଆଣ୍ଟିଅକ୍ସିଡାଣ୍ଟ, ୩୬ ଦରଜ ନିବାରଣ ତତ୍ତ୍ୱ ଓ ୧୮ ଏମିନୋ ଏସିଡ୍ ରହିଛି