ଭଦ୍ରକ,୦୨ ।୦୫:ଭଦ୍ରକ ଜିଲ୍ଲାକୁ ଗୁଜରାଟ ସୁରଟ୍ରୁ ଏକ ବସ୍ ଯୋଗେ ଫେରି ଆସିଥିବା ୪୫ଜଣ ପ୍ରବାସୀ ଗତକାଲି ରାତିରେ ଭଣ୍ଡାରିପୋଖରୀରେ ପହଞ୍ଚିଛନ୍ତି । ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସେହିପରି ରାଜସ୍ଥାନ କୋଟାରୁ ଏକ ବସ୍ ଯୋଗେ ଜିଲ୍ଲାକୁ ଫେରୁଥିବା ୨୬ଜଣ ଛାତ୍ରଛାତ୍ରୀ ଆଜି ରାତିରେ ପହଞ୍ଚିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ରହଣୀ, ସ୍ୱାସ୍ଥ୍ୟ ପରୀକ୍ଷା ଆଦି ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି ।
ବିଶେଷ କରି ଫେରନ୍ତା ସହରାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ହୋମ୍ କ୍ୱାରେଣ୍ଟାଇନରେ ରଖାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷେ ଗାଁ ମାନଙ୍କରେ ପରିମଳ ବ୍ୟବସ୍ଥାର ବିଶେଷ ସୁବିଧା ନଥିବା କାରଣରୁ ଗ୍ରାମାଞ୍ଚଳ ଫେରନ୍ତାମାନଙ୍କୁ ଆନୁଷ୍ଠାନିକ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।