Odisha news

୬ଟି ଜିଲ୍ଲାର ୨୦୯ ପ୍ରବାସୀ ଶ୍ରମିକ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଲେ ସ୍ୱତନ୍ତ୍ର ଟ୍ରେନ

0

ରାୟଗଡା : କେରଳର କୋଏମ୍ବୁଟୁରରୁ ବାଲେଶ୍ୱର ଅଭିମୁଖେ ୧୧୪୮ ଜଣଙ୍କୁ ନେଇ ବାହାରିଥିବା ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ରାୟଗଡା ରେଳ ଷ୍ଟେସନ ଠାରେ ସକାଳ ୮ଟାରେ ପହଂଚିଥିଲା । ରାୟଗଡା ଠାରେ ୬ଟି ଜିଲ୍ଲା ତଥା ରାୟଗଡା,ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କନ୍ଧମାଳ ଓ ଗଜପତି ଜିଲ୍ଲାର  ୨୦୯ ଜଣ ପ୍ରବାସୀ ଓଡିଆ ଓହ୍ଲାଇଥିଲେ । ସମସ୍ତ ଶ୍ରମିକଙ୍କ ପଂଜିକରଣ ପରେ ନିଜ ନିଜ ଜିଲ୍ଲାକୁ ପଠାଇବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ରାୟଗଡା ସହରରେ ୧୪୪ ଧାରା ଲାଗୁ କରାଯାଇଥିଲା ।

କନ୍ଧମାଳ ଜିଲ୍ଲାର ୧୫, ଗଜପତି ଜିଲ୍ଲାର ୮୫, ରାୟଗଡା ଜିଲ୍ଲାର ୭୯, ମାଲକାନଗିରି ଜିଲ୍ଲାର ୧, ନବରଙ୍ଗପୁର ଜିଲ୍ଲାର ୧୭ ଓ କୋରାପୁଟ ଜିଲ୍ଲାର ୧୨ ଜଣ ଶ୍ରମିକ ରାୟଗଡା ଠାରେ ଓହ୍ଲାଇଥିଲେ । ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ରାୟଗଡା ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା କରାଯାଇ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କର ଥର୍ମାଲ ସ୍କ୍ରିନିଂ ପରେ ହାତରେ ଷ୍ଟାମ ଲଗା ଯାଇ ସଂପୃକ୍ତ ଜିଲ୍ଲାର ନୋଡାଲ ଅଫିସରଙ୍କୁ ହସ୍ତାନ୍ତର କରାଯାଇଛି । ରାୟଗଡା ଜିଲ୍ଲାକୁ ଆସିଥିବା ୭୯ ଜଣ ପ୍ରବାସୀ ଶ୍ରମିକ ମାନଙ୍କ ମଧ୍ୟରୁ ଗୁଣପୁର ବ୍ଲକର ୪୧ ଜଣ, ରାୟଗଡା ସଦର ବ୍ଲକର ୯, ରାମନାଗୁଡା ୧୨, କାଶିପୁର ବ୍ଲକର ୯, ମୁନିଗୁଡା ବ୍ଲକର ୪, ବିଷମକଟକ ବ୍ଲକର ଜଣେ, ପଦ୍ମପୁର ବ୍ଲକର ଜଣେ, କଲ୍ୟାଣସିଂହପୁର ବ୍ଲକର ୨ ଜଣ ଶ୍ରମିକ ଅଛନ୍ତି ।

ସମସ୍ତ ଶ୍ରମିକ ମାନଙ୍କୁ ନିଜ ନିଜ ବ୍ଲକରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି । ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସ.ପି ଡା.ଶ୍ରବଣା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଡିଏ ଅମ୍ରିତ ଋତୁରାଜ, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଏସଡିପିଓ ତପନ ନାରାୟଣ ରଥ, ପୌର ନିର୍ବାହୀ ଅଧିକାରୀ ସଚିଦାନନ୍ଦ ଶତପଥି ପ୍ରମୁଖ ରେଳ ଷ୍ଟେସନ ପରିସରରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଥିଲେ ।

Leave A Reply