Odisha news

ସ୍ମୃତିରେ ପଣ୍ଡିତ ନୀଳକଣ୍ଠ ଦାସ : ଅଗଷ୍ଟ ୫ ତାରିଖ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୭ ତମ ଜୟନ୍ତୀ ଉପଲକ୍ଷେ ……….

ହିମାଂଶୁ ଶେଖର ଆଚାର୍ଯ୍ୟ : ବ୍ୟକ୍ତି ସମକାଳର, ବ୍ୟକ୍ତିତ୍ୱ ଚିରକାଳର । ଆଦର୍ଶ ବ୍ୟକ୍ତିତ୍ୱର ମହକ ବିଚ୍ଛୁରିତ ହୋଇପଡେ ସମାଜରୁ ରାଷ୍ଟ୍ରକୁ । ସେମିତ ଜଣେ ଆଦର୍ଶ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ସତ୍ୟବାଦୀ ଯୁଗର ଅନ୍ୟତମ ସଖା ପଣ୍ଡିତ ନୀଳକଣ୍ଠ ଦାସ । ତାଙ୍କର ଉର୍ତ୍ସଗୀକୃତ ଜୀବନ, ସାଧନା ଓ ତ୍ୟାଗ ଜନ ମାନସରେ ଅମ୍ଳାନ ଜ୍ୟୋତି ଭାବେ ଲିପିବଦ୍ଧ ହୋଇ ରହିବ । ଏକାଧାରରେ ସେ ଥିଲେ ଜଣେ ନୀତିନିଷ୍ଠ ଆ·ର୍ଯ୍ୟ, ସାମ୍ବାଦିକ, ସଂସ୍କାରକ, ସାହିତି୍ୟକ, ଗବେଷକ, ଆଦର୍ଶ ରାଜନୀତିଜ୍ଞ ଓ ସର୍ବୋପରି ଭଗବତ୍ ଗୀତାର ଭାଷ୍ୟକାର । ଶିକ୍ଷକତା,ସାମ୍ବାଦିକତା, ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ନୀଳକଣ୍ଠ ନିଜର ଅସାଧାରଣ ପାଣ୍ଡିତ୍ୟର ପରିଚୟ ଦେଇଥିଲେ । ପ୍ରକୃତରେ ପଣ୍ଡିତ ଉପାଧି ତାଙ୍କୁୁ ହିଁ ଶୋଭା ପାଉଥିଲା ।

ଅବିଭକ୍ତ ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁର ଶାସନରେ ୧୮୮୪ ମସିହା ଅଗଷ୍ଟ ୫ ତାରିଖରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ । ତାଙ୍କ ପିତା ଥିଲେ ଆନନ୍ଦ ଦାଶ ଓ ମାତା ହୀରା ଦେବୀ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଲ୍ୟକାଳରୁ ତାଙ୍କ ପ୍ରତିଭାର ଉନ୍ମେଷ ଘଟିଥିଲା । ପରିବାରର ଆର୍ଥିକ ଦୁଃସ୍ଥିତି ତାଙ୍କ ପ୍ରତିଭାର କଣ୍ଠରୋଧ କରିପାରିନଥିଲା । ଅସୀମ ମନୋବଳ ଓ କଠୋର ଅଧ୍ୟବସାୟ ଯୋଗୁଁ ସେ ଉନ୍ନତିର ଚରମ ସୋପାନରେ ପହଞ୍ଚି ପାରିଥିଲେ । ଘରେ ପରିବାରର ଆଦର୍ଶ, ଶିକ୍ଷାଗୁରୁ ଚନ୍ଦ୍ରମୋହନ ମହାରଣା,ବଙ୍ଗ ଭଙ୍ଗ ଆନେ୍ଦାଳନର ନେତା ଶଶୀଭୂଷଣ ଚୈାଧୁରୀ ,ଦେଶପା୍ରଣ ରାମଚନ୍ଦ୍ର ଦାଶଙ୍କ ପ୍ରଭାବ କିଶୋର ନୀଳକଣ୍ଠଙ୍କ ଉପରେ ପଡିଥିଲା ଓ ପରେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରେରଣା ଏବଂ ସାହଚର୍ଯ୍ୟ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ଆଉ ତାପରର ଘଟଣା ଥିଲା ଏକ ସ୍ୱର୍ଣ୍ଣାଭ ଇତିହାସ । ସ୍କୁଲ ଶିକ୍ଷା ଶେଷକରି ନୀଳକଣ୍ଠ ଉଚ୍ଚଶିକ୍ଷା ପାଇଁ କଲିକତା ଗଲେ ଓ ସେଠାରେ ଦର୍ଶନଶାସ୍ତ୍ରରେ ଏମ.ଏ ପାଶ୍ କରିଥିଲେ । କଲେଜ ଶିକ୍ଷା ଶେଷ ପରେ ଦେଶ ଓ ଜାତିକୁ ଗଢିବା ନିମନ୍ତେ ସେ ସତ୍ୟବାଦୀ ବନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରି ନିଜର କର୍ମମୟ ଜୀବନର ଶୁଭାରମ୍ଭ କରିଥିଲେ ।

ପଣ୍ଡିତ ନୀଳକଣ୍ଠ ଥିଲେ ଜଣେ ସଂସ୍କାରକ । ବାଲ୍ୟକାଳରୁ ସଂସ୍କାର ପ୍ରବୃତ୍ତି ତାଙ୍କ ଶିରା ପ୍ରଶିରାରେ ପ୍ରବାହିତ ହେଉଥିଲା । ତେଣୁ ବ୍ୟକ୍ତି ଠାରୁ ନୀତିକୁ ସେ ବେଶୀ ଗୁରୁତ୍ୱ ଦେଉଥିଲେ ।ଥରେ ସେ ଯାହା ଚିନ୍ତା କରୁଥିଲେ ତାକୁ କାର୍ଯ୍ୟରେ ପରିଣତ କରି ଦେଖାଉଥିଲେ ।କୈାଣସି ପରିସ୍ଥିତିରେ ସେ ସେଥିରୁ ଓହରି ଯାଉନଥିଲେ । ସେତେବେଳେ ବ୍ରାହ୍ମଣ ସମାଜରେ ଦାଢି କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି ନୀଳକଣ୍ଠ ଓ ଗୋଦାବରୀଶ ଦାଢି କାଟି ନିଶ ରଖିଥିଲେ । ଯାହାକି ସେତେବେଳେ “ନିଶ ଆନେ୍ଦାଳନ” ନାମରେ ପରିଚିତ । ସେଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜ ଦ୍ୱାରା ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ମାତ୍ର ସେଥିପ୍ରତି ଭ୍ରୁକ୍ଷେପ ନଥିଲା ତାଙ୍କର । ପରେ ସେ ଦାଢି ରଖିଲେ । ବ୍ରାହ୍ମଣମାନଙ୍କର ଦୌରାତ୍ମ୍ୟକୁ ପ୍ରତିବାଦ କରିବାକୁ ଯାଇ ସେ “ମୋ ନିଶ” ଭଳିି ପ୍ରବନ୍ଧ ରଚନା କରି ଧର୍ମ ନାମରେ ବ୍ରାହ୍ମଣମାନଙ୍କର ତଥାକଥିତ ଆଚରଣକୁ ତୀବ୍ର ବିଦ୍ରୁପ କରିଥିଲେ । ଏପରିକି ନୀଳକଣ୍ଠ ଜାତି ଭେଦ ମାନୁ ନଥିଲେ । ବନବିଦ୍ୟାଳୟର ଛାତ୍ରାବାସରେ ସେ ଛାତ୍ରଛାତ୍ରୀଙ୍କ ମନରୁ ଭେଦଭାବର ପାଚେରୀକୁ ଭାଙ୍ଗି ଦେଇଥିଲେ । ଜଣେ ସଂସ୍କାରକ ଭାବେ ଏପରି ପ୍ରବୃତ୍ତିରୁ ନିବୃତ୍ତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରୁଥିଲେ ।

ନୀଳକଣ୍ଠଙ୍କର ସୃଜନଶୀଳତାର ଚଉହଦୀ ବେଶ୍ ପ୍ରସାରିତ ଥିଲା । ସେ ଥିଲେ ଜଣେ ଉଚ୍ଚକୋଟୀର ସାହିତ୍ୟ ଗବେଷକ ଓ ସମୀକ୍ଷକ । ଓଡ଼ିଆ ସମାଲୋଚନା ସାହିତ୍ୟ ମଧ୍ୟରେ ଲାବଣ୍ୟବତୀ କାବ୍ୟ, ଫକୀର ମୋହନ ଓ ଓଡ଼ିଆ ଉପନ୍ୟାସ ଇତ୍ୟାଦି ତାଙ୍କ ସାରସ୍ୱତ ପ୍ରତିଭାର ମୂଲ୍ୟାୟନ କରେ । ସବୁଠୁ ବଡକଥା ହେଲା ଶିଶୁ, ପଲ୍ଲୀ ଜନତା ଓ ବୁଦ୍ଧିଜୀବୀ ଏହିପରି ସବୁ ବର୍ଗର ଲୋକଙ୍କ ପାଇଁ ନୀଳକଣ୍ଠ ସାହିତ୍ୟ ରଚନା କରିଥିଲେ । ଜଣେ ଉଚ୍ଚ ମାନର ପ୍ରାବନ୍ଧିକ ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା ।ସେ ଲେଖିଥିବା ପ୍ରବନ୍ଧ ଭିତରେ ମୋ ନିଶ, ନୀତି ଓ ପ୍ରକୃତି, ଇଂରାଜୀ ଶିକ୍ଷାର ମୋହ, ଯୈ÷ାବନର ପ୍ରଭାବ ଓ ପ୍ରତିଷ୍ଠା ଆଦି ଉଲ୍ଲେଖଯୋଗ୍ୟ । ସବୁଠୁ ଉଦ୍ଧ୍ୱର୍ରେ ଥିଲା ତାଙ୍କର ସ୍ୱଦେଶ ଭାବନା ଓ ଚିନ୍ତା । “ସଂସ୍କୃତ ଓ ସଂସ୍କୃତି” ଗ୍ରନ୍ଥ ପଢିଲେ ତାଙ୍କ ଅଗାଧ ପାଣ୍ଡିତ୍ୟର ପ୍ରମାଣ ମିଳେ, ଏଥିରେ ଦ୍ୱିରୁକ୍ତି ନାହିଁ । ଖାଲି ସେତିକି ନୁହେଁ, ନୀଳକଣ୍ଠଙ୍କର “ମୋ ରଜା” କବିତା ଏବେ ମଧ୍ୟ ଆବାଳ ବୃଦ୍ଧବନିତାଙ୍କୁ ଆମୋଦିତ କରେ । ସେହିପରି ଗୀତା ଭଳି ପବିତ୍ର ଗ୍ରନ୍ଥର ସୁନାମଧନ୍ୟ ଭାଷ୍ୟକାର ରୂପେ ସେ ପ୍ରତିଷ୍ଠା ଅର୍ଜନ କରିପାରିଥିଲେ ।
ଜଣେ ସଚ୍ଚା ସ୍ୱାଧୀନତା ସଂଗ୍ରାମୀ ଭାବେ ନୀଳକଣ୍ଠଙ୍କର ନିଆରା ପରିଚୟ ଥିଲା ।

ସେହିପରି ଦୀର୍ଘଦିନ ଧରି ଓଡ଼ିଶା ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ଅସହଯୋଗ ଆନେ୍ଦାଳନ ଓ ଲବଣ ସତ୍ୟାଗ୍ରହ ସମୟରେ ସେ ଦେଶ ପାଇଁ କାରାବରଣ କରିଥିଲେ । ନୀଳକଣ୍ଠ ବହୁଦିନ ଯାଏ ଓଡ଼ିଶା କଂଗ୍ରେସର ମୁଖ୍ୟ ପୁରୋଧା ଥିଲେ । ଏପରିକି ୧୯୩୮ ମସିହାରେ ସେ ଉକ୍ରଳ କଂଗ୍ରେସ କମିଟିର ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ବହୁବାର ସେ କେନ୍ଦ୍ର ଆସେମ୍ବ୍ଲିର ସଭ୍ୟ ଥିଲେ । ୧୯୨୭ ମସିହା ଫେବୃଆରୀ ୮ ତାରିଖରେ କେନ୍ଦ୍ର ଆସେମ୍ବ୍ଲିରେ ଓଡ଼ିଆ ଭାଷା ଅଞ୍ଚଳଗୁଡିକର ଏକତ୍ରୀକରଣ ପାଇଁ ପ୍ରସ୍ତାବ ରଖିଥିଲେ । ୧୯୫୭ ମସିହାରେ ପଣ୍ଡିତ ନୀଳକଣ୍ଠ କଂଗ୍ରେସ ପ୍ରାର୍ଥୀ ଭାବେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ଅପ୍ରତିଦ୍ୱନ୍ଦୀ ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଓ ଓଡ଼ିଶା ବିଧାନସଭାରେ ବାଚସ୍ପତି ପଦ ଗ୍ରହଣ କରିଥିଲେ । ସେ ଉକ୍ରଳ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପଦ ଅଳଙ୍କୃତ କରି ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଥିଲେ । ପତ୍ରିକା ସମ୍ପାଦନାରେ ତାଙ୍କର ଦକ୍ଷତା ଅତୁଳନୀୟ ଥିଲା । ଗୋପବନ୍ଧୁଙ୍କ ମୃତୁ୍ୟ ପରେ ପଣ୍ଡିତ ନୀଳକଣ୍ଠ ‘ସମାଜ’ ସମ୍ପାଦନା ଦାୟିତ୍ୱ ନେଇଥିଲେ । ‘ସମାଜ’ ସହିତ ସେ ‘ନବଭାରତ’ ପତ୍ରିକାର ସମ୍ପାଦନା କରିଥିଲେ ଯାହାକୁ ପରବର୍ତ୍ତୀ କାଳରେ ‘ସମାଜ’ ଅନୁଷ୍ଠାନକୁ ଦାନ କରିଥିଲେ ।

ଅନେକ ପୁରସ୍କାର ଓ ସମ୍ମାନ ଆପେ ଆପେ ଆସିଛି ତାଙ୍କ ପାଖକୁ । ଉକ୍ରଳ ବିଶ୍ୱବିଦ୍ୟାଳୟ ତରଫରୁ ପଣ୍ଡିତ ନୀଳକଣ୍ଠଙ୍କୁ ଡି.ଲିଟ୍ ଉପାଧି ପ୍ରଦାନ କରାଯାଇଥିଲା । ୧୯୫୧ ମସିହାରେ ନୀଳକଣ୍ଠଙ୍କୁ ‘ଉକ୍ରଳଗୁରୁ’ ଉପାଧିରେ ଭୂଷିତ କରାଯାଇଥିଲା । ୧୯୫୮ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରିଥିଲେ । ୧୯୬୩ ମସିହାରେ ‘ଆତ୍ମଜୀବନୀ’ ନିମନ୍ତେ ତାଙ୍କୁ ଭାରତୀୟ ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏତେସବୁ ସମ୍ମାନର ଅଧିକାରୀ ହୋଇ ମଧ୍ୟ ଗର୍ବ ଓ ଅହଙ୍କାର ତାଙ୍କୁ ସ୍ପର୍ଶ କରିନଥିଲା । ୧୯୬୭ ମସିହା ନଭେମ୍ବର ୬ ତାରିଖରେ ଏହି ମହାନ୍ ପ୍ରତିଭାଧରଙ୍କର ମହାପ୍ରୟାଣ ଘଟିଲା । ହେଲେ ସେ ଜୀଇଁ ରହିଛନ୍ତି ଓ ଜୀଇଁ ରହିବେ କାଳ କାଳକୁ ତାଙ୍କ ସୁଗୁଣ ଓ ସୁକର୍ମ ପାଇଁ । ଉତ୍ତର ପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହାହିଁ ହେବ ଆଜିର ଦିନରେ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

Shares