ଡକ୍ଟର ବିଜୟଲକ୍ଷ୍ମୀ ଭୂୟାଁ : ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଷୋଡ଼ଶ ଶତାବ୍ଦୀକୁ “ସୁବର୍ଣ୍ଣ ଯୁଗ’ ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ । ଏହି ଷୋଡ଼ଶ ଶତାବ୍ଦୀକୁ ପଞ୍ଚସଖା ଯୁଗ ଭାବେ ଅଭିହିତ କରାଯାଇଥାଏ । ସାରଳା ଦାସଙ୍କ ପରେ ପଞ୍ଚସଖା ଯୁଗର ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚୁ୍ୟତାନନ୍ଦ ଦାସ ଏବଂ ଶିଶୁ ଅନନ୍ତ ଦାସ ପ୍ରମୁଖ ସିଦ୍ଧ ସାଧକଗଣ ଓଡ଼ିଆ ଭାଷାରେ ଅନେକ ଉପାଦେୟ ଆଧ୍ୟାତ୍ମିକ ଗ୍ରନ୍ଥ ରଚନା କରି ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ସଂପାଦନ ସଙ୍ଗେ ସଙ୍ଗେ ଧର୍ମ, ସଂସ୍କୃତି ଓ ସାମାଜିକତା କ୍ଷେତ୍ରରେ ମଧ୍ୟ ଓଡ଼ିଆ ଜାତିର ମାର୍ଗଦର୍ଶକ ଭାବେ ଉଭା ହୋଇଥିଲେ । ଏହି ପଞ୍ଚସଖା ସାଧକମାନଙ୍କ ମଧ୍ୟରେ ସନ୍ଥ ଅଚୁ୍ୟତାନନ୍ଦ ଥିଲେ ଜଣେ ଅଗ୍ରଗାମୀ ତଥା ଦୂରଦୃଷ୍ଟି ସମ୍ପନ୍ନ ସାଧକ । ସେ ଏକାଧାରାରେ ଥିଲେ କବି, ଦାର୍ଶନିକ, ଐତିହାସିକ, ପୁରାଣକାର, ଶାସ୍ତ୍ରକାର, ଚିକିତ୍ସାବିତ୍, ସମାଜ ସଂସ୍କାରକ ଓ ସନାତନ ଧର୍ମର ପ୍ରଧାନ ପ୍ରଚାରକ । ତାଙ୍କ ରଚିତ ଅକଳନ ଆଧ୍ୟାତ୍ମିକ ଗ୍ରନ୍ଥରାଜି ମାଧ୍ୟମରେ ସେ ମଣିଷର ସାମାଜିକ ଆଚାର, ବିଚାର, ଚାଲିଚଳନ, ଜୀବନ ଧାରଣ ପ୍ରଣାଳୀ ଇତ୍ୟାଦିକୁ ଶୃଙ୍ଖଳିତ କରିବାରେ ସକ୍ଷମ ହୋଇଛନ୍ତି ।

ଅଚୁ୍ୟତାନନ୍ଦ ଜାତି ଅପେକ୍ଷା ବ୍ୟକ୍ତିର କର୍ମ ଉପରେ ଗୁରୁତ୍ୱ ଦେଇଛନ୍ତି । ତାଙ୍କର ଅମୃତମୟୀ ବାଣୀରେ ସମାଜରୁ ପାପ ତାପ, କ୍ଲେଶ, ଦୁଃଖ ଦୂର କରି ସମାଜରେ ପ୍ରକୃତ ମାନବିକତାର ଆଦର୍ଶ ପ୍ରତିଷ୍ଠା କରିବା ପାଇଁ ସେ ପ୍ରୟାସ କରିଛନ୍ତି ।

ମହାପୁରୁଷ ଶ୍ରୀ ଶ୍ରୀ ଅଚୁ୍ୟତାନନ୍ଦ ଦାସ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳ ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମହାନଦୀର ଶାଖାନଦୀ ଚିତ୍ରୋତ୍ପଳା କୂଳରେ ଏହି ଗ୍ରାମ ଅବସ୍ଥିତ । କବିଙ୍କ ଭାଷାରେ – “ଆମ୍ଭ ନିଜ ସ୍ଥାନ ଦିବ୍ୟ ଶୋଭାବନ, ଚିତ୍ରାଂଗୀ କୂଳରେ ଯାଇ, ନେମ୍ବାଳ ଗ୍ରାମ ଚିତ୍ରୋତ୍ପଳା ଉତ୍ତରେ ପଦ୍ମବନ ନାମ ଭୂଇଁ । ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଜନ୍ମଲାଭ କରିଥିଲେ ବୋଲି ପିତା ତାଙ୍କ ନାମ ଦେଇଥିଲେ ଅଚୁ୍ୟତାନନ୍ଦ । ସେ ଥିଲେ ଜଣେ ଭକ୍ତ, ଯୋଗୀ, ସାଧକ ଓ ଜାତିସ୍ମର ମହାପୁରୁଷ, ଅର୍ଥାତ୍ ତାଙ୍କୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଅବଗତ ଥିଲା । ମିଥ୍ୟା, ଛଳନା, ଅହଂକାର, ଆତ୍ମ ବଡ଼ିମାରୁ ସେ ଥିଲେ ବହୁଦୂରରେ । ଅଚୁ୍ୟତାନନ୍ଦ ସନ୍ନ୍ୟାସ ଧର୍ମ ଗ୍ରହଣ କରିବା ପରେ ଶିଷ୍ୟମାନଙ୍କ ସହିତ ତୀର୍ଥାଟନ କରିବାକୁ ବାହାରିଥିଲେ ।

ଚୈତନ୍ୟଙ୍କ ଆଦେଶରେ ଡୋରକୌପୁନି ଧାରଣ କରି ସେ ରାମେଶ୍ୱର, ଅଯୋଧ୍ୟା, ଦ୍ୱାରକା, କାଶୀ, ବାରାଣସୀ, ପ୍ରୟାଗ, ଗୋପ, ମଥୁରା, ବୃନ୍ଦାବନ ଆଦି ତୀର୍ଥ ଭ୍ରମଣ କରି ଶ୍ରୀକ୍ଷେତ୍ରରେ ତି୍ରମୂର୍ତ୍ତି ଦର୍ଶନ କରିଥିଲେ । କଟକ ଜିଲ୍ଲା ନେମାଳ ଠାରେ ଅଚୁ୍ୟତାନନ୍ଦଙ୍କର ପ୍ରଧାନ ପୀଠ ଥିଲେ ମଧ୍ୟ ପୁରୀ ବାଙ୍କୀ ମୁହାଣ ନିକଟସ୍ଥ ପୀଠ ସର୍ବପ୍ରଧାନ ପୀଠ ବୋଲି ସେ ନିଜେ କହିଛନ୍ତି । ଏଠାରେ ସେ ଗୋପାଳ ମାନଙ୍କୁ ଦୀକ୍ଷା ପ୍ରଦାନ କରୁଥିଲେ । ଗୋପାଳ ମାନଙ୍କୁ ଦୀକ୍ଷା ଦେଇ ମୂଢ଼ପଣରୁ ତରିବା ନିମନ୍ତେ ଅନାଦି ନାରାୟଣଙ୍କ ଆଜ୍ଞାରେ ସେ ଜନ୍ମ ଲାଭ କରିଥିବା କଥା “ଶୂନ୍ୟସଂହିତା’ ରେ ବର୍ଣ୍ଣନା କରିଛନ୍ତି । ଅଚୁ୍ୟତାନନ୍ଦ ଜାତି ଅପେକ୍ଷା ବ୍ୟକ୍ତିର କର୍ମ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଥିପାଇଁ ସେ ଲେଖିଛନ୍ତି – “ସମସ୍ତେ ଯେ ଏକ ଜାତି ଜ୍ଞାନ ବଳେ ହେଜ, ସଂସାର ଚଳିବା ପାଇଁ କରିଛ ବଣିଜ ।’ ଅଚୁ୍ୟତାନନ୍ଦ ରଣପୁରରେ ଶେଷ ଜୀବନ ଯାପନ କରିଥିଲେ । ତାଙ୍କ ଧାର୍ମିକ ସାଧନାରେ ମୁଗ୍ଧ ହୋଇ ରଣପୁର ରାଜା ପଦ୍ମନାଭ ନରେନ୍ଦ୍ର ତାଙ୍କ ପାଇଁ ଅନ୍ନବସ୍ତ୍ର ସଂସ୍ଥାନ କରିବା କଥା ସେ “ହରିବଂଶ’ରେ ଉଲ୍ଲେଖ କରିଛନ୍ତି । ରଣପୁରରେ ଥିଲାବେଳେ ସେ ତାଙ୍କର ଶ୍ରେଷ୍ଠକୃତି “ହରିବଂଶ’ ରଚନା କରିଥିଲେ ।

ତାଙ୍କ ସମାଧି ଦିବସ ଉପଗତ ହେବା ଜାଣିପାରି ସେ ନେମାଳ ଫେରି ଆସିଥିଲେ ଓ ନେମାଳରେ ସମାଧି ଲାଭ କରିଥିଲେ । ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି – “ସନାତନ ଧର୍ମସ୍ଥାପି ଦେହ ହଜାଇବି, ନେମାଳ ଗ୍ରାମରେ ଶୂନ୍ୟ ସମାଧି ପାଇବି ।’ କଟକ ଜିଲ୍ଲା ସାଲେପୁର ନିକଟବର୍ତ୍ତୀ ନିଶ୍ଚିନ୍ତକୋଇଲି ବ୍ଲକରେ ନେମାଳ ଗ୍ରାମ ଅବସ୍ଥିତ । କଟକ ଠାରୁ ଏହାର ଦୂରତା ୩୮ କିମି । ଏଠାରେ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ଗାଦି ଅବସ୍ଥିତ । ନେମାଳ ହେଉଛି ଅଚୁ୍ୟତାନନ୍ଦଙ୍କର ଆଧ୍ୟାତ୍ମିକ ସାଧନାର ପୂଣ୍ୟପୀଠ । ନେମାଳ ପୀଠ ହିଁ ପବିତ୍ର ମୁକ୍ତିର ପୀଠ ବୋଲି ଗୁରୁଭକ୍ତି ଗୀତାରେ ଅଚୁ୍ୟତାନନ୍ଦ ବର୍ଣ୍ଣନା କରିଛନ୍ତି । କବିଙ୍କ ଭାଷାରେ “ଏହି ପଦ୍ମବନ ଅଟଇ ମହାନିତ୍ୟର ସ୍ଥାନ, ଏ ଭେଦ ଭେଦାଇ କୁହନ୍ତୁ ମୂଢ଼ ହେବ କାରଣ ।’ ଅଚୁ୍ୟତାନନ୍ଦଙ୍କର ଦର୍ଶନ ହେଲା ଚଞ୍ଚଳ ଅସ୍ଥିର ମନକୁ ଆୟତ୍ତ କରି ଆତ୍ମାର ନିକଟବର୍ତ୍ତୀ ହେବା ।

ଏଥିପାଇଁ ଈଶ୍ୱର ବିଶ୍ୱାସ ଏକାନ୍ତ ପ୍ରୟୋଜନ । ମନୁଷ୍ୟ ନିଜକୁ ନିଜେ ଚିହ୍ନି ନପାରି ଆତ୍ମାକୁ କଳୁଷିତ କରିବା ପୂର୍ବକ ଯନ୍ତ୍ରଣା ଭୋଗ କରୁଛି । ତେଣୁ ପ୍ରତ୍ୟେକ ମନୁଷ୍ୟ ଭକ୍ତିମାର୍ଗକୁ ଆପଣେଇ ନିଜ ଭିତରେ ଥିବା ଆଧ୍ୟାତ୍ମିକ ଶକ୍ତିର ଉନ୍ମୀଳନ କରି ସମାଜ ସଂସ୍କାର ପାଇଁ ଆଗେଇ ଆସିବା ଉଚିତ । କାରଣ ମନୁଷ୍ୟ ଅମୃତର ସନ୍ତାନ । ଏହା ହିଁ ହେବ ଆମର ମହାପୁରୁଷ ଅଚୁ୍ୟତାନନ୍ଦ ତଥା ପଞ୍ଚସଖାଙ୍କୁ ପ୍ରକୃତ ଭକ୍ତିର ଅର୍ଘ୍ୟ ।

LEAVE A REPLY

Please enter your comment!
Please enter your name here