Odisha news

ଟୋକିଓ ଅଲିମ୍ପିକ୍ : ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅବସାନ , ପୁରୁଷ ହକିରେ ଜର୍ମାନିକୁ ୫-୪ରେ ପରାସ୍ତ କରି ଭାରତ କାଂସ୍ୟପଦକ ଜିଣିଲା

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାର ପୁରୁଷ ହକିରେ ଜର୍ମାନିକୁ ୫-୪ରେ ପରାସ୍ତ କରି ଭାରତ କାଂସ୍ୟପଦକ ଜିଣିବା ସହ ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇଛି। ୧୯୮୦ ମସ୍କୋ ଅଲିମ୍ପିକ୍‌ ବିଜୟ ପରେ ଏହା ହେଉଛି ‌ଅଲିମ୍ପିକ୍‌ ହକି କ୍ରୀଡ଼ାରେ ଭାରତର ପ୍ରଥମ ପଦକ ବିଜୟ। ପୂର୍ବରୁ ୪ଥର ଚାମ୍ପିଅନ୍‌ ହୋଇଥିବା ଜର୍ମାନି ଏହି ପ୍ରତିଯୋଗିତାରେ ଶୋଚନୀୟ ପରାଜୟ ସ୍ବୀକାର କରିଛି।

ଆଜିର ଏହି ରୋମାଞ୍ଚକର କ୍ରୀଡ଼ାରେ ସିମରନ୍‌ଜିତ୍ ସିଂହ ଦୁଇଟି ‘ଫିଲ୍‌ଡ୍‌ ଗୋଲ୍‌’ ଦେଇଥିବା ବେଳେ ହାର୍ଦ୍ଦିକ ସିଂହ ପେନାଲ୍‌ଟି କର୍ଣ୍ଣର୍‌ରେ ଗୋଲ୍‌ ଦେଇଥିଲେ। ପ୍ରଥମେ ୩-୧ରେ ଥିବା ଭାରତ ପ୍ରତିଯୋଗିତାର ଦ୍ବିତୀୟ ପର୍ଯ୍ୟାୟରେ ୩-୩ ସ୍ତରକୁ ଆସିଯାଇଥିଲା। ଏହି ସମୟରେ ରୁପିନ୍ଦର ପାଲ୍‌ ସିଂହ ପେନାଲ୍‌ଟି କର୍ଣ୍ଣର୍‌ରେ ଗୋଲ୍‌ଟିଏ ଦେବାରୁ ଭାରତ ଗୋଟିଏ ଗୋଲ୍‌ରେ ଅଗ୍ରଣୀ ରହିଲା। ଏହାପରେ ସିମରନ୍‌ଜିତ୍ ଆଉ ଏକ ଗୋଲ୍‌ ଦେବାରୁ ଭାରତ ଜର୍ମାନିକୁ ୫ଟି ଗୋଲ୍‌ ଦେବ‌ାରେ ସମର୍ଥ ହୋଇଥିଲା।

 

ଏହା ହେଉଛି ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତର ୪ର୍ଥ କାଂସ୍ୟପଦକ। ୧୦୭୨ରେ ମୁନିଚ୍‌ରେ ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତୀୟ ଦଳ ଶେଷଥର ପାଇଁ କାଂସ୍ୟ ପଦକ ବିଜୟୀ ହୋଇଥିଲା। ପୁରୁଷ ହକିରେ ଏଯାବତ୍ ୮ଟି ସ୍ବର୍ଣ୍ଣପଦକ ପାଇଥିବା ଭାରତ ହେଉଛି ଅଲିମ୍ପିକ୍‌ କ୍ରୀଡ଼ାରେ ସବୁଠୁ ସଫଳ ଟିମ୍‌।

ଆଜିର ହକି ପ୍ରତିଯୋଗିତାରେ ୨୪ ମିନିଟ୍‌ ଖେଳ ହେବା ପରେ ୩-୧ରେ ଥିବା ଭାରତ ଜର୍ମାନିଦ୍ବାରା ଚାପଗ୍ରସ୍ତ ହୋଇଥିଲା। କିନ୍ତୁ, ପ୍ରତିଆକ୍ରମଣ ସୁଯୋଗର ସଦ୍‌ବ୍ୟବହାର ପାଇଁ ଜାଗ୍ରତ ଥିଲେ ସୁଦ୍ଧା ଏହି ସମୟରେ ଭାରତକୁ ମିଳିଥିବା ଏକ ପେନାଲ୍‌ଟି କର୍ଣ୍ଣର୍‌କୁ ହର୍‌ମାନପ୍ରୀତ୍‌ ଗୋଲ୍‌ କରାଇବାରେ ଅସମର୍ଥ ହୋଇଥିଲେ।

 

ଏହାର ମାତ୍ର ଦୁଇ ମିନିଟ୍‌ ପରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର୍‌ ଦେବାର ସୁଯୋଗ ମିଳିଲା ଏବଂ ହାର୍ଦ୍ଦିକ ସିଂହ ଏଥିରେ ଗୋଲ୍‌ ଦେଇଥିଲେ। ଖେଳର ୨୯ ମିନିଟ୍‌ରେ ହର୍‌ମନ୍‌ପ୍ରୀତ୍‌ ଆଉ ଏକ ପେନାଲ୍‌ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରି ଭାରତୀୟ ଟିମ୍‌କୁ ଜର୍ମାନି ସମକକ୍ଷ କରାଇଥିଲେ। ଖେଳ ଅଧା ବେଳକୁ ଦୁଇ ଦଳର ସ୍କୋର୍‌ ଥିଲା ୩-୩।

ଏହା ପରେ ପୁଣି ଭାରତକୁ ମିଳିଥିବା ଏକ ପେନାଲ୍‌ଟି କର୍ଣ୍ଣର୍‌ର ସଦୁପଯୋଗ କରି ରୁପିନ୍ଦର ଗୋଲ୍‌ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଏହାର ପାଞ୍ଚ ମିନିଟ୍‌ପରେ ସିମରନ୍‌ଜିତ୍‌ ଆଉ ଏକ ଗୋଲ୍‌ ସ୍କୋର୍ କରି ଭାରତକୁ ୫-୩ରେ ଅଗ୍ରଣୀ କରାଇଥିଲେ। ଏହି ସ୍କୋର ଖେଳର ତୃତୀୟ ରାଉଣ୍ଡ୍‌ଯାଏଁ ବଳବତ୍ତର ଥିଲା।

ଖେଳ ଶେଷ ହେବାକୁ ଆଉ ମାତ୍ର ୩ ମିନିଟ୍‌ ଥିବାବେଳେ ଜର୍ମାନି ଦେଇଥିବା ଗୋଟିଏ ପେନାଲ୍‌ଟି କର୍ଣ୍ଣର୍‌କୁ ପ୍ରତିରୋଧ କରି ଭାରତ ଐତିହାସିକ ବିଜୟ ହାସଲ କରିଥିଲା।

Comments are closed.