ଭୁବନେଶ୍ୱର ,୩୦/୬  : ରାଜ୍ୟ ସରକାର ଜୁଲାଇ ମାସରେ ପୂର୍ବରୁ ଜାରି ଥିବା ରାତ୍ରିକାଳୀନ କର୍ଫ୍ୟୁ ସମୟରେ ସମୟରେ ପରିବର୍ତନ କରିଛନ୍ତି । ଜୁନ୍ ମାସରେ ରାତି କର୍ଫ୍ୟୁ ସଂନ୍ଧା ୭ରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହୁଥିବା ବେଳେ ଏଥିରେ ୨ ଘଂଟା କୋହଳ କରିଛନ୍ତି ସରକାର । ଅନଲକ-୨ରେ ନାଇଟ୍ କର୍ଫ୍ୟୁ ରାତି ୯ଟାରୁ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ସାଧାରଣ ଜନତାଙ୍କ ସମସ୍ତ ପ୍ରକାରର ଚଳପ୍ରଚଳ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଆବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସବୁପ୍ରକାର କାର୍ଯ୍ୟ ଏହି ସମୟରେ କରାଯାଇପାରିବ ନାହିଁ । ଓଡ଼ିଶା ସକରାରଙ୍କ ଦ୍ୱାରା ଜାରି ନୂତନ ଗାଇଡଲାଇନ୍ ଅନୁଯାୟୀ, ଜରୁରୀ କାର୍ଯ୍ୟକଳାପ ବ୍ୟତୀତ ରାତି ୯ରୁ ସକାଳ ୫ ଟା ମଧ୍ୟରେ ବ୍ୟକ୍ତିବିଶେଷଙ୍କ ଗତିବିଧି ‘ ସମ୍ପୂର୍ଣ୍ଣ ନିଷେଧ’ ରହିବ । ଏ ନେଇ ଜିଲ୍‌ଲା ଆରକ୍ଷୀ ଅଧିକ୍ଷକ ପୋଲିସ କମିଶନର ଏବଂ ମୁନିସପାଲ କମିଶନର ସିଆରପିସିର ଧାରା ୧୪୪ ଅଧୀନରେ (କର୍ଫ୍ୟୁ) ନିର୍ଦ୍ଦେଶନାମା ଜାରି କରିବା ସହ ଏହାର ଅନୁପାଳନ କରିବେ । ସେହିଭଳି ରାତ୍ରିକାଳୀନ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ଓ ମାଲ ପରିବହନକୁ ଅନୁମତି ମିଳିବ ବୋଲି କେନ୍ଦ୍ର ସରକାର ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଥିବା ବେଳେ ରାଜ୍ୟ ସରକାର ଏଥିରେ ଆଉ କିଛି ସେବା ଉପରେ କରୋନା କଟକଣା ଛାଡ କରିଛନ୍ତି । ତେବେ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ଜୁରୁରୀ ସେବା ସହ ଉଭୟ ସରକାରୀ ଏବଂ ବେସରକାରୀ ଡାକ୍ତରଖାନା ସ୍ୱାସ୍ଥ୍ୟକର୍ମୀ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୋଲିସ, ସରକାରୀ କର୍ମଚାରୀ ଓ ଗଣମାଧ୍ୟମ କର୍ମୀ ଏବଂ ଯଦି କାହାର ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥାଏ ତେବେ ସେମାନଙ୍କୁ ବି ଏହି ରାତି କର୍ଫ୍ୟୁ ସମୟରେ ଯିବା ପାଇଁ ଅନୁମତି ମିଳିବ । ରାଜ୍ୟ ସରକାର ଅନଲକ-୨ ପର୍ଯ୍ୟାୟରେ ଶିଳ୍ପସଂସ୍ଥାରେ ନିୟୋଜିତ କର୍ମଚାରୀମାନଙ୍କୁ ଗମନାଗମନ ଲାଗି ଅନୁମତି ଦେଇଛନ୍ତି । ତେବେ ସେବାରେ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ସେହିଭଳି ନିର୍ମାଣ ସଂସ୍ଥାର କର୍ମଚାରୀଙ୍କୁ ବି ଏହି ସମୟରେ ଯାତାୟତ କରିପାରିବେ । ରାତି କର୍ଫ୍ୟୁ ବେଳେ ସରକାରୀ ଓ ଘରୋଇ ଯାନବାହନ ବନ୍ଦ ରହିବ କିନ୍ତୁ ମାଲ ପରିବହନ ଜାରି ରହିବ । ତେବେ ଏୟାରପୋର୍ଟ, ରେଳ ଷ୍ଟେସନ, ଏବଂ ବସଷ୍ଟାଣ୍ଡକୁ ଯାଉଥିବା କିମ୍ବା ଫେରୁଥିବା ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରୁ ଓଲା, ଉବେର ସେବା ଜାରି ପାଇଁ ଅନୁମତି ଦିଆଯାଇଛି । ସେହିଭଳି ପେଟ୍ରୋଲ ପମ୍ପ ଏବଂ ସିଏନଜି ଷ୍ଟେସନ ଖୋଲା ରହିବା ସହ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ କର୍ଫ୍ୟୁ ସମୟରେ ଯା’ଆସ ପାଇଁ ଅନୁମତି ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here